ହତ୍ୟା ସେନ୍ଦହ

ଯୁବକଙ୍କ ମୃତଦେହ ଉଦ୍ଧାର

ଖଣ୍ଡଗିରି: ଗୁରୁବାର ସକାଳେ ଖଣ୍ଡଗିରି ଥାନା ପୁଲିସ ସ୍ଥାନୀୟ ଫୁଲେଶ୍ୱରୀ ବସ୍ତି ନିକଟ ଏକ ପାଚେରି ଘେରା ପ୍ଲଟ୍‌ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିନାହିଁ। ବୟସ ୩୦ ବୋଲି ଅନୁମାନ କରାଯାଉଛି। ସେ ଗାଢ଼ ନୀଳ ରଙ୍ଗର ବାନିୟନ୍‌ ଓ ଏକ ଧଳାରଙ୍ଗର ପ୍ୟାଣ୍ଟ୍‌ ପିନ୍ଧିଛନ୍ତି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ୍‌ ପଠାଇଛି। ମୃତଦେହ ନିକଟରେ ଏକ ବିଷ ବୋତଲ ପଡ଼ିଥିବାରୁ ପୁଲିସ ଏହାକୁ ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି। କିନ୍ତୁ ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। କେହି ତାଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛି ବୋଲି କୁହାଯାଉଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

୧୬ ନମ୍ବର ଜାତୀୟ ରାଜପଥରୁ ଫୁଲେଶ୍ୱରୀ ବସ୍ତିକୁ ଲମ୍ବିଥିବା ରାସ୍ତା କଡ଼ରେ ଓ କାଳୀ ମନ୍ଦିର ପଛ ପଟେ ଥିବା ଏକ ପାଚେରୀ ଘେରା ପ୍ଲଟ ଭିତରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ଯୁବକଙ୍କ ମୃତଦେହଟି ପାଚେରି କଡ଼କୁ ଲାଗି ପଡ଼ି ରହିଥିଲା ଓ ଉପରେ ଗଛଲତା ମାଡ଼ି ରହିଥିଲା। ଯୁବକଙ୍କ ବାମ ହାତର କିଛି ଆଙ୍ଗୁଠିରେ କ୍ଷତ ଚିହ୍ନ ଥିଲା। ନିକଟରେ ଦୁଇଟି ବିଷ ଶିଶି ପଡ଼ିଥିଲା। ତାଙ୍କ ପକେଟ୍‌ରେ ପରିଚୟ ମିଳିଲା ଭଳି କିଛି କାଗଜପତ୍ର ନଥିଲା, କି ମୋବାଇଲ୍‌ ଫୋନ୍‌ ମଧ୍ୟ ନଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଶବ ଉଦ୍ଧାର କରିଥିଲା। ପ୍ରାଥମିକ ତଦନ୍ତରୁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ୁଥିଲା। କିନ୍ତୁ ବଣ ଭିତରେ ବସି ବିଷ ପିଇବା ଓ ମରିଗଲା ପରେ ଉପରେ ଗଛଲତା ମାଡ଼ି ପଡ଼ିବା ଭଳି ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ତେଣୁ ତାଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେବା ସହ ଆତ୍ମହତ୍ୟାର ରୂପ ଦେବାକୁ ନିକଟରେ ବିଷ ବୋତଲ ରଖି ଦେଇଥିବା କୁହାଯାଉଛି। ତେବେ ପୁଲିସ କହିବା କଥା ମୃତଦେହ ବ୍ୟବଚ୍ଛେଦ ହେଲା ପରେ ବାସ୍ତବ ଚିତ୍ର ଜଣାପଡ଼ିବ। ସେହିଭଳି ଯୁବକଙ୍କ ପରିଚୟ ମଳିଗଲେ ମଧ୍ୟ ଅଧିକ ତଥ୍ୟ ହସ୍ତଗତ ହେବ ବୋଲି ପୁଲିସ ଆଶାବାଦୀ ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର