ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀ ବୋଲାଉ ଥିବା ଡକ୍ଟର୍‌ କେକେଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟରେ ଜଣେ ନିର୍ଦେଶକ ଅଛନ୍ତି ବୋଲି ଛଳନା କରୁଥିବା ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ ପୁଲିସ ସ୍ପେସାଲ୍‌ ସେଲ୍‌ ଗିରଫ କରିଛି ବୋଲି ଖବର ମିଳିଛି।

ସ୍ପେସାଲ୍‌ ସେଲ୍‌ ଦ୍ୱାରା ଗିରଫ ହୋଇଥିବା ବ୍ୟକ୍ତି ଜଣକ କହ୍ନେୟା କୁମାର ଏବଂ ଡକ୍ଟର୍‌ କେକେ ନାମରେ ବି ସେ ଜଣାଶୁଣା।
ସୋମବାର ଦିନ ତାଙ୍କୁ ନଏଡ଼ା ସେକ୍ଟର୍‌ ୧୦୦ରୁ ଗିରଫ କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜଣେ ନିର୍ଦେଶକ ବୋଲି ବୋଲାଉଥିବା କହ୍ନେୟା କୁମାର ତାଙ୍କ ଭିଜିଟିଙ୍ଗ୍‌ କାର୍ଡରେ ଠିକଣା ନିମନ୍ତେ ଉଦ୍ଦିଷ୍ଟ ସ୍ଥାନରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର କୋଠରି ନମ୍ବର ୧୫୨ ଛପାଇ ଥିଲେ।

ଅଭିଯୋଗ ଉଠିଛି ଯେ ଜଣେ ଇଣ୍ଡିଆନ୍‌ ଡିଫେନ୍‌ସ୍‌ ଆକାଉଣ୍ଟ୍‌ସ୍‌ ସର୍ଭିସ୍‌ (ଆଇଡିଇଏଏସ୍‌)ଙ୍କୁ ଏକ ଲାଭଜନକ ପୋଷ୍ଟ୍‍ରେ ଅବସ୍ଥାପନ କରାଇବାରେ ତାଙ୍କୁ ସହାୟତା କରିବା ନିମନ୍ତେ କୁମାର ସେଣ୍ଟ୍ରାଲ୍‌ ଭିଜିଲାନ୍‌ସ୍‌ କମିସନର୍‌ଙ୍କୁ ପ୍ରଲୋଭିତ କରିଥିଲେ।

ସିଭିସି ପିଏମ୍‌ଓ ସହ ଯୋଗାଯୋଗ କରି ଅଫିସ୍‌ରେ ତାଙ୍କ ସାକ୍ଷାତ୍‌ ସମୟ ନିଶ୍ଚିତ କରିଥିଲେ।

ବାରମ୍ବାର ଭେଟି କହ୍ନେୟା କୁମାର ସରକାରୀ ଅଧିକାରୀ ଏବଂ ଅମଲାମାନଙ୍କର ସହାୟତା ଖୋଜୁଥିଲେ।

ଭାରତ ସରକାରଙ୍କ ଲୋଗୋ ଲଗା ଯାଇଥିବା ଏକ ଏସ୍‌ୟୁଭି ଗାଡ଼ି ମଧ୍ୟ କୁମାରଙ୍କର ଅଛି।

ଅକ୍ଟୋବର ୧୭ ତାରିଖ ଦିନ ଦିଲ୍ଲୀ ପୁଲିସ ଏକ ସୂଚନା ପାଇବା ପରେ ସ୍ପେସାଲ୍‌ ସେଲ୍‌କୁ ମାମଲା ହସ୍ତାନ୍ତର କରାଯାଇଥିଲା।

ମଙ୍ଗଳବାର ଦିନ ତାଙ୍କୁ ଚିଫ୍‌ ମେଟ୍ରୋପୋଲିସିଆନ୍‌ ମାଜିଷ୍ଟ୍ରେଟ୍‌ ଦୀପକ ସେରାଓ୍ଵତ୍‌ଙ୍କ ପାଟିଆଲା ହାଉସ୍‌ କୋର୍ଟସ୍‌ରେ ହାଜର କରାଯାଇ ୧୦ ଦିନିଆ ରିମାଣ୍ଡ୍‌ରେ ନିଆଯାଇଛି।

ତାଙ୍କ ଭିଜିଟିଙ୍ଗ୍‌ କାର୍ଡ ଛପାଇ ଦେଇଥିବା ହାଇଦ୍ରାବାଦସ୍ଥିତ କହ୍ନେୟା କୁମାରଙ୍କର ଘନିଷ୍ଠ ବନ୍ଧୁଙ୍କୁ ମଧ୍ୟ ପୁଲିସ ଖୋଜୁଛି।

ସମ୍ବନ୍ଧିତ ଖବର