କାର ଡୋର ଲକ୍‌ କରି ଯୁବତୀଙ୍କୁ ଡ୍ରାଇଭରଙ୍କ ଅସଦାଚରଣ

ବେଙ୍ଗାଲୁର: ଗତ ରବିବାର ରାତିରେ ବେଙ୍ଗାଲୁରର ଜଣେ ୨୩ ବର୍ଷୀୟା ଫେସନ ଡିଜାଇନରଙ୍କୁ କାର ଭିତରେ ବନ୍ଧକ ରଖି ଡ୍ରାଇଭର ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଓଲା କ୍ୟାବ୍‌ର ଏହି ଡ୍ରାଇଭର ଜଣକ କାରକୁ ଚାଇଲ୍ଡ ଲକ୍‌ କରି ଦେଇ ମହିଳାଙ୍କୁ ଅସଦାଚରଣ କରିଥିଲେ। ମହିଳାଙ୍କ ଚିତ୍‌କାର ପରେ ଡ୍ରାଇଭର ଜଣକ କାରର ଡୋର ଖୋଲିଦେଇଥିଲେ। ପରେ ମହିଳାଜଣକ ଡ୍ରାଇଭରଙ୍କ କବଳରୁ ମୁକ୍ତି ପାଇଥିଲେ। ଯୁବତୀ ଜଣକ କୋରମଙ୍ଗଲାସ୍ଥିତ ନିଜ ଘରକୁ ଏକ ଓଲା କାର ଭଡ଼ା କରି ଯାଉଥିବା ବେଳେ ଇଣ୍ଟମିଡିଏଟ ରିଙ୍ଗ୍‌ ରୋଡ୍‌ରେ ଏହି ଘଟଣା ଘଟିଥିବା ବେଳେ ମହିଳାଜଣକ ଏ ନେଇ ଥାନାରେ କୌଣସି ଅଭିଯୋଗ କରି ନାହାଁନ୍ତି। ମାତ୍ର ଏ ନେଇ ମହିଳାଜଣକ ଓଲା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ଓଲା ପକ୍ଷରୁ ସମ୍ପୃକ୍ତ ଡ୍ରାଇଭରଙ୍କୁ ନିଲମ୍ବିତ କରାଯାଇଛି।

ଓଲା ପକ୍ଷରୁ କୁହାଯାଇଛି ଯେ ଏ ପ୍ରକାର କାର୍ଯ୍ୟକୁ ସଂସ୍ଥା କୌଣସି ପରିସ୍ଥିତିରେ ବରଦାସ୍ତ କରିବ ନାହିଁ। ତେଣୁ ସଂସ୍ଥା ସମ୍ପୃକ୍ତ କାରର ଡ୍ରାଇଭର ରାଜଶେଖର ରେଡ୍ଡିଙ୍କୁ ନିଲମ୍ବିତ କରିଛି। ସେହିପରି ଏ ପ୍ରସଙ୍ଗରେ ମହିଳା ଜଣକ ଥାନାରେ ଅଭିଯୋଗ କରିବାକୁ ଓଲା ପକ୍ଷରୁ ସମ୍ପୃକ୍ତ ଫେସନ ଡିଜାଇନରଙ୍କୁ ପରାମର୍ଶ ଦିଆଯାଇଛି ବୋଲି ଓଲା ପକ୍ଷରୁ କୁହାଯାଇଛି। ସେହିପରି ଗ୍ରାହକଙ୍କ ସୁରକ୍ଷାକୁ ସଂସ୍ଥା ଗୁରୁତ୍ୱ ଦେଉଥିବାରୁ ପୁଲିସ ଡ୍ରାଇଭର ସମ୍ପର୍କରେ ଯେଉଁ ତଦନ୍ତ କରିବ ସେଥିରେ ସଂସ୍ଥା ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି କୁହାଯାଇଛି।
ସେହିପରି ପୁଲିସ ମଧ୍ୟ ଏ ସମ୍ପର୍କରେ କହିଛି ଗଣମାଧ୍ୟମରେ ସୂଚନା ପାଇଛି। ମାତ୍ର ଘଟଣା ଯେଉଁଠାରେ ଘଟିଛି ସେ ଅଞ୍ଚଳର ଥାନାରେ ଏ ନେଇ କୌଣସି ଅଭିଯୋଗ ହୋଇ ନାହିଁ।
ସୂଚନା ଅନୁଯାୟୀ, ଗତ ରବିବାର ରାତି ୧୦ଟା ୨୮ ମିନିଟ୍‌ ସମୟରେ ଏହି ମହିଳା ଫେସନ ଡିଜାଇନର ଏକ ଓଲା କ୍ୟାବ୍‌ ଇନ୍ଦିରାନଗରରୁ ବିଟିଏମ ଲେଆଉଟ୍‌ ପର୍ଯ୍ୟନ୍ତ ବୁକ୍‌ କରିଥିଲେ ଓ ଏହି କାରଟିକୁ ରାଜଶେଖର ରେଡ୍ଡି ଚଳାଉଥିଲେ। ଇଣ୍ଟମିଡିଏଟ୍‌ ରିଙ୍ଗ ରୋଡ୍‌୍‌ରେ କାର ଚାଳକ ଶ୍ରୀ ରେଡ୍ଡି ହଠାତ୍‌ କାର ବନ୍ଦ କରି ଦେଇ ଯୁବତୀଙ୍କୁ ଅସଦାଚରଣ କରିବା ଆରମ୍ଭ କରିଥିଲେ। ଡ୍ରାଇଭର ଜଣକ କାରକୁ ଚାଇଲ୍ଡ ଳକ୍‌ କରି ଦେଇ ତାଙ୍କୁ ଅସଦାଚରଣ କରିବାରୁ ସେ ପଦକୁ ମଧ୍ୟ ବାହାରି ପାରି ନ ଥିଲେ। ତେବେ ଯୁବତୀ ଜଣକ ପାଟି କରିବା ସହିତ କାରର ଝରକାକୁ ବାଡ଼େଇବାରୁ ଡ୍ରାଇଭର ତାଙ୍କୁ ଛାଡ଼ି ଦେବା ସହିତ ଏକଥା ବାହାରେ ବିଶେଷ କରି ପୁଲିସ ନିକଟରେ କହିଲେ ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଥିଲେ। ତେବେ ଯୁବତୀ ଜଣକ ଘରେ ପହଞ୍ଚିବା ପରେ ସେ ଏ ନେଇ ଓଲା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ଓ ଓଲା କର୍ତ୍ତୃପକ୍ଷ ଡ୍ରାଇଭର ଶ୍ରୀ ରେଡ୍ଡିଙ୍କୁ ନିଲମ୍ବନ କରିଥିଲେ। ତେବେ ପରଦିନ ଡ୍ରାଇଭର ଶ୍ରୀ ରେଡ୍ଡି ଏ ନେଇ ପୁଲିସରେ ଅଭିଯୋଗ ନ କରିବା ପାଇଁ ଫୋନ୍‌ରେ ଯୁବତୀଙ୍କୁ ଧମକଚମକ ଦେଇଥିଲେ।
ଏ କଥା ଜାଣିବା ପରେ ପୁଲିସ ଯୁବତୀ ଜଣକ ଅଭିଯୋଗ କରିବେ ବୋଲି ଅପେକ୍ଷା କରିଛି। ଯଦି ବି ଯୁବତୀ ଜଣକ ଅଭିଯୋଗ ନ କରନ୍ତି, ତେବେ ଘଟଣା ଯେଉଁ ଅଞ୍ଚଳରେ ଘଟିଛି ତାହା ଜାଣିବା ପରେ ଏପରି ଏକ ଗୁରୁତର ଘଟଣା ନେଇ ପୁଲିସ ନଜ ଆଡୁ ମାମଲା ରୁଜୁ କରି ତଦନ୍ତ କରିବ ବୋଲି କହିଛି।

ସମ୍ବନ୍ଧିତ ଖବର