ସଲେମ୍: ୪ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ସ୍କୁଲ ଟପରଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତର ବୟସ ମାତ୍ର ୨୦ବର୍ଷ ହୋଇଥିବା ବେଳେ ଗଞ୍ଜେଇ ଟାଣିବା ପାଇଁ ଟଙ୍କା ନଥିବାରୁ ସେ ଏଭଳି ଅପରାଧ କରିଥିବା ସାମ୍ନାକୁ ଆସିଛି। ଡିସେମ୍ବରରୁ ଫେବ୍ରୁଆରି ମଧ୍ୟରେ ଅଭିଯୁକ୍ତ ୪ଟି ହତ୍ୟା କରିଥିବା ବେଳେ ଶେଷରେ ଫେବ୍ରୁଆରି ୧୮ରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଗିରଫ ପରେ ଅଭିଯୁକ୍ତର ନାଁ ଏମ୍ ଆଣ୍ଡିସାମି ବୋଲି ଜଣା ପଡ଼ିଛି।
ପୁଲିସର କହିବା ମୁତାବକ, ୨୦୧୪ରେ ଦଶମ ପରୀକ୍ଷାରେ ୫୦୦ରୁ ୪୨୮ନମ୍ବର ଆଣି ଟପର ହୋଇଥିଲେ ଏମ୍ ଆଣ୍ଡିସାମି। ହେଲେ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଆଗକୁ ପଢ଼ି ପାରିନଥିଲେ। ପାଠ ନପଢ଼ିବାରୁ ସେ ନିଜ ଗାଁରେ ଛୋଟମୋଟ କାମ କରିବା ସହ ଗଞ୍ଜେଇ ଟାଣିବା ଆରମ୍ଭ କରିଥିଲେ। ଧିରେ ଧିରେ ଗଞ୍ଜେଇ ଟାଣିବା ଏମ୍ ଆଣ୍ଡିସାମିର ଅଭ୍ୟାସରେ ପରିଣତ ହୋଇଯାଇଥିଲା। ପାଖରେ ଟଙ୍କା ନଥିବାରୁ ନିଜ ମା’ଙ୍କୁ ଟଙ୍କା ପାଇଁ ଧମକାଇବା ସହ ଶେଷରେ ସେ ନିଜ ଘର ଛାଡ଼ିଥିଲା।
/sambad/media/post_attachments/aeb0608101ba276599d8749c623fbafc1f6b7de886aba7b7050c021e807f10a5.jpg)
ଘରୁ ବାହାରି ଆସିବା ପରେ ଡିସେମ୍ବରରେ ଭେଲାନକାନ୍ନୀରେ ସେ ପ୍ରଥମ ହତ୍ୟା କରିଥିଲା। ଗଞ୍ଜେଇ ପାଇଁ ଟଙ୍କା ମାଗିବା ପରେ ଜଣେ ଭିକାରୀ ଟଙ୍କା ନଦେବାରୁ ସେ ତା’ ମୁଣ୍ଡକୁ ପଥରରେ ଛେଚି ତାକୁ ହତ୍ୟା କରିଥିଲା। ପରେ ଧରା ପଡ଼ିଯିବା ଡ଼ରରେ ସେ ସଲେମ ଚାଲି ଆସିଥିଲା। ଫେବ୍ରୁଆରିର ପ୍ରଥମ ସପ୍ତାହରେ ପାଖରେ ପୁଣି ଟଙ୍କା ଅଭାବ ହେବାରୁ ସେ ଏକା ସାଙ୍ଗରେ ୩ଜଣଙ୍କୁ ହତ୍ୟା କରିଥିଲା। ଫେବ୍ରୁଆରି ୧,୨,୩ ତାରିଖରେ ସେ ୨ଜଣ ଭିକାରୀ ଏବଂ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରିଥିଲା। ଏ ନେଇ ପୁଲିସକୁ ସୂଚନା ମିଳିବା ପରେ ହତ୍ୟାରେ ସମାନତା ଦେଖି କେହି ଜଣେ ହିଁ ୩ଟି ହତ୍ୟା କରିଥିବା ସନ୍ଦେହ କରିଥିଲା ପୁଲିସ। ପରେ ବିଭିନ୍ନ ଅଞ୍ଚଳର ସିସିଟିଭି ଯାଞ୍ଚ କରି ପୁଲିସ ଏମ୍ ଆଣ୍ଡିସାମି ପାଖରେ ପହଞ୍ଚିଥିଲା। ଗିରଫ ହେବା ପରେ ସଲେମରେ ୩ଟି ହତ୍ୟା ସହ ଭେଲାନକାନ୍ନୀରେ ମଧ୍ୟ ଜଣଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲା ଏମ୍ ଆଣ୍ଡିସାମି।