ମଦ ନିଶାରେ ତିନିମାସର ଶିଶୁକନ୍ୟା ଉପରେ ବସିପଡ଼ିଲା ଯୁବକ; ଘଟଣାସ୍ଥଳରେ ଉଡ଼ିଗଲା ପ୍ରାଣବାୟୁ

ରାୟପୁର: ଛତିଶଗଡ଼ର ଅମ୍ବିକାପୁରରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ହୋଲି ଦିନ ମଦ ନିଶାରେ ତିନି ମାସର ଶିଶୁକନ୍ୟା ଉପରେ ବସିପଡ଼ିଲା ଯୁବକ । ଘଟଣାସ୍ଥଳରେ ହିଁ ଶିଶୁକନ୍ୟାଟିର ପ୍ରାଣବାୟୁ ଉଡ଼ିଗଲା। ଏହି ମାମଲାରେ ଶିଶୁକନ୍ୟାର ବାପାର ଅଭିଯୋଗ ଉପରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି ସୀତାପୁର ପୁଲିସ । ସୂଚନାନୁସାରେ, ଘଟଣାଟି ଅମ୍ବିକାପୁରର ସୀତାପୁର ପୁଲିସ ଷ୍ଟେସନ ଅଞ୍ଚଳର ଗିରହୁଲଡିହରେ ଘଟିଛି।

ହୋଲିଦିନ ଖଟରେ ଶୋଇଥିଲା ଗୋପାଳ ରାମଙ୍କ ତିନି ମାସର ଶିଶୁକନ୍ୟା । ଶିଶୁକନ୍ୟାର ମାଆ ଘର କାମରେ ବ୍ୟସ୍ତ ଥିଲେ । ଗୋପାଳଙ୍କ ଘରକୁ ଆସିଥିଲା ଅଭିଯୁକ୍ତ ଜଙ୍ଗଲୁ । ଆଉ ଯେତେବେଳେ ଘରେ ପଡ଼ିଥିବା ଖଟ ଉପରେ ବସିବାକୁ ଗଲା, ସେତେବେଳେ ଗୋପାଳଙ୍କ ପତ୍ନୀ ତାକୁ ଅଟକାଇଥିଲେ, ଅଭିଯୁକ୍ତକୁ କହିଥିଲେ ଯେ ଝିଅ ଖଟ ଉପରେ ଶୋଇଛି । ହେଲେ ମାନି ନଥିଲା ଜଙ୍ଗଲୁ, ମଦନିଶାରେ ଭୁଲିଗଲା ସବୁକିଛି । ଶୋଇଥିବା ତିନି ମାସର ଶିଶୁକନ୍ୟା ଉପରେ ବସିପଡ଼ିଲା ଅଭିଯୁକ୍ତ ଜଙ୍ଗଲୁ । ଅଣନିଃଶ୍ଵାସୀ ହୋଇଗଲା ଶିଶୁକନ୍ୟା । ଘଟଣାସ୍ଥଳରେ ହିଁ ତାର ପ୍ରାଣବାୟୁ ଉଡ଼ି ଯାଇଥିଲା ।

ଅଭିଯୋଗ ପରେ ପୁଲିସ ଜଙ୍ଗଲୁ ବିରୋଧରେ ହତ୍ୟା ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗିରଫ କରିଛି । ସେପଟେ ପୋଷ୍ଟମର୍ଟମ ପରେ ସମ୍ପର୍କୀୟଙ୍କୁ ଶିଶୁକନ୍ୟାର ମୃତଦେହକୁ ହସ୍ତାନ୍ତର କରିଛି ପୁଲିସ । ଧାରା ୩୦୨ ଅନୁଯାୟୀ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ସୀତାପୁର ପୁଲିସ ।

ସମ୍ବନ୍ଧିତ ଖବର