ମୋହାଲି: ପଞ୍ଜାବ ଜଳନ୍ଧରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମ ବିବାହ କରିବା ପରେ ସ୍ବାମୀକୁ ସ୍ତ୍ରୀ ଜାଳି ଦେଇଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ସରକାରୀ ଚାକିରୀ କରୁଥିବା ଗୁରପ୍ରୀତ ସିଂହଙ୍କ ବନ୍ଧୁତା ଜଣେ ଯୁବତୀଙ୍କ ସହ ହୋଇଥିଲା। ଏହି ବନ୍ଧୁତା ପରବର୍ତ୍ତୀ ସମୟରେ ପ୍ରେମରେ ପରିଣତ ହୋଇଥିଲା। ଗୁରପ୍ରୀତ ସିଂହ ଓ ଯୁବତୀଙ୍କ ପରିବାରର ସହମତିରେ ଦୁହିଁଙ୍କ ବିବାହ ହୋଇଥିଲା। ବାହାଘର ପରେ ଗୁରପ୍ରୀତ ଜାଣିବାକୁ ପାଇଲେ ତାଙ୍କ ସ୍ତ୍ରୀ ମଦ ପିଅନ୍ତି । ଏହାପରେ ଏହି ମଦ ପିଇବାକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବିବାଦ ଆରମ୍ଭ ହୋଇ ଯାଇଥିଲା।
ବିବାଦ ପରବର୍ତ୍ତୀ ସମୟରେ ଏତେ ଭୟଙ୍କର ରୂପ ନେଇଥିଲା କି ସ୍ୱାମୀ ଶୋଇଥିବା ଅବସ୍ଥାରେ ସ୍ତ୍ରୀ ତାଙ୍କ ଉପରେ ସ୍ପିରିଟ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଏହି ନିଆଁରେ ଗୁରପ୍ରୀତଙ୍କ ଶରୀର ୪୦ ପ୍ରତିଶତ ଜଳି ଯାଇଥିଲା। ଚିକିତ୍ସା ପାଇଁ ସେ ଅନେକ ମାସ ଯାଏଁ ହସ୍ପିଟାଲରେ ରହିଥିଲେ।
ଗୁରପ୍ରୀତ ଥାନାରେ ସ୍ତ୍ରୀ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜ୍ଜୁ କରିଥିଲେ। କିନ୍ତୁ ପୁଲିସ ଏବେ ଯାଏଁ ସ୍ତ୍ରୀକୁ ଗିରଫ କରି ନଥିବୋ ଗୁରୁପ୍ରୀତ ଅଭିଯୋଗ କରିଛନ୍ତି।
ଏପଟେ ଏହି ମାମଲାରେ ଫିଲ୍ଲୋର ଏସପି ମନଜିତ କୌର ଗଣମାଧ୍ୟମକୁ କହିଛନ୍ତି ଯେ ଅଭିଯୁକ୍ତ ମହିଳା ନିଜକୁ ନିର୍ଦୋଷ କହି ପଞ୍ଜାବ ଡିଜିପିକୁ ନିଜର ଆବେଦନ ଦେଇଛନ୍ତି। ଏହାପରେ ମାମଲାର ପୁଣି ଯାଞ୍ଚ ଚାଲିଛି।