ଡିଟିଏଚ୍‌ କଲେକ୍ସନ୍‌ ନାଁରେ ସାଢ଼େ ୩ ଲକ୍ଷ ଠକେଇ, ଯୁବକ ଗିରଫ

ଭୁବନେଶ୍ୱର: ଡିଟିଏଚ୍‌ (ଡାଇରେକ୍ଟ-ଟୁ-ହୋମ) ସେବା ଯୋଗାଉଥିବା ରାମକୃଷ୍ଣ ଏଜେନ୍ସି ନାମକ ଏକ ଘରୋଇ ସଂସ୍ଥାରୁ ସାଢ଼େ ୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା, ଭଦ୍ରକ ଜିଲ୍ଲା ଚଷାଖଣ୍ଡ ଅଞ୍ଚଳର ଗଣେଶ ଚନ୍ଦ୍ର ନାୟକ (୨୮)। ଏଠାରେ ରସୁଲଗଡ଼ ଅଞ୍ଚଳରେ ରହି ସଂସ୍ଥାରେ କଲେକ୍ସନ୍‌ ବୟ ଭାବେ କାମ କରୁଥିଲା। ପୁଲିସ ସୂଚନା ମୁତାବକ, ଗତ ୨୦୧୭ ମସିହାରେ ଗଣେଶ ସଂସ୍ଥାର ପାଖାପାଖି ୩ ଲକ୍ଷ ୮୦ ହଜାର ଟଙ୍କା କଲେକ୍ସନ କରି ନିଜ ଆକାଉଣ୍ଟରେ ଜମା ରଖିଥିଲା। ସଂସ୍ଥାକୁ ଆଉ ଟଙ୍କା ଫେରାଇ ନଥିଲା। ମ୍ୟାନେଜର ଗଣେଶଙ୍କୁ ହିସାବ ମାଗିବାରୁ ସେ କଲେକ୍ସନ ହୋଇନଥିବା କହିବା ସହ ତା’ ପରଦିନ ଫେରାର୍‌ ହୋଇଯାଇଥିଲା। ଏନେଇ ମ୍ୟାନେଜର୍‌ ସନ୍ତୋଷ ଦାସ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଶୁକ୍ରବାର ରାତିରେ ପୁଲିସ ଗଣେଶକୁ ଗିରଫ କରି ଥାନାକୁ ଆଣିଥିଲା। ତାକୁ ଥାନାରେ ପଚରାଉଚରା ପରେ କୋର୍ଟଚାଲାଣ କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର