ନୂଆଦିଲ୍ଲୀ: ସାଇକେଲ ହଟାଇବାରେ ବିଳମ୍ବ ହେବାରୁ ବୃଦ୍ଧ ଶିକ୍ଷକଙ୍କୁ ମାଡ଼। ଏବେ ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ବିହାରର କୈମୁର ଜିଲ୍ଲାର ଭଭୁଆ ପୁଲିସ ଷ୍ଟେସନ ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଥିବା ଜଣାପଡ଼ିଛି। ଭାଇରାଲ ହେଉଥିବା ଏହି ଭିଡିଓରେ ଦୁଇଜଣ ମହିଳା କନଷ୍ଟେବଳ ଜଣେ ବୃଦ୍ଧଙ୍କୁ ନିର୍ଦ୍ଦୟ ଭାବରେ ପିଟୁଥିବାର ନଜର ଆସିଛନ୍ତି। ପୀଡିତଜଣଙ୍କ ନବଲ କିଶୋର ପାଣ୍ଡେ ବୋଲି ଜଣାପଡିଛି। ସେ ଜଣେ ଶିକ୍ଷକ ଏବଂ ଗତ ୪୦ବର୍ଷ ଧରି ପିଲାମାନଙ୍କୁ ପଢ଼ାଇ ଆସୁଛନ୍ତି।

Advertisment

ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ନବଲ କହିଛନ୍ତି ଯେ ମୁଁ ଗରିବ ପିଲାଙ୍କୁ ମାଗଣାରେ ଟିଉସନ କରେ। ଘଟଣା ଦିନ ଟିଉସନ ସାରି ଫେରୁଥିବା ବେଳେ ଦୁଇଜଣ ମହିଳା କନଷ୍ଟେବଳ ମ‌ୋ ସାଇକେଲକୁ ଟାଣି ଧରିବା ସହ ମୋତେ ମାଡ଼ ମାରିଥିଲେ। ମୁଁ ଜଣେ ଗରିବ ଲୋକ। ଗରିବ ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରି ସେମାନଙ୍କୁ ମାଗଣା ଶିକ୍ଷା ଦେଇ ଏହି ଅଞ୍ଚଳରେ ସମ୍ମାନ ଅର୍ଜନ କରିଛି। କୌଣସି ଦୋଷ ନଥାଇ ସର୍ବସାଧାରଣରେ ମୋତେ ଏଭଳି ମାଡ଼ ମରାଯିବା କେବଳ ମୋ ଶରୀରକୁ ଆଘାତ ଦେଇନାହିଁ, ବରଂ ଏହା ଦଶନ୍ଧି ଧରି ମୁଁ ଅର୍ଜନ କରିଥିବା ମୋର ପ୍ରତିଷ୍ଠା ମଧ୍ୟ ନଷ୍ଟ କରିଛି।

ଏହି ଭିଡିଓ ଭାଇରାଲ ହେବା ପରେ ବରିଷ୍ଠ ପୁଲିସ ଅଧିକାରୀ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବୃଦ୍ଧ ନବଲ କିଶୋର ପାଣ୍ଡେ ସବୁଦିନ ଭଳି ପିଲାଙ୍କୁ ପାଠ ପଢ଼ାଇ ଘରକୁ ଫେରୁଥିବା ବେଳେ ଏକତା ଚୌକ୍ ନିକଟରେ ସାଇକେଲରୁ ପଡ଼ିଯାଇଥିଲେ। ଏହା ପରେ ଟ୍ରାଫିକ ପୁଲିସର ୨ଜଣ ମହିଳା କନଷ୍ଟେବଳ ତାଙ୍କ ପାଖକୁ ଯାଇ ତାଙ୍କୁ ସାଇକେଲ ଶୀଘ୍ର ହଟାଇବାକୁ କହିଥିଲେ। କିନ୍ତୁ ସାଇକେଲଟିକୁ ହଟାଇବାରେ ବୃଦ୍ଧ ବିଳମ୍ବ କରିଥିଲେ। ଏହି କାରଣରୁ ୨ଜଣ ମହିଳା କନଷ୍ଟେବଳ ରାଗିଯାଇ ବୃଦ୍ଧଙ୍କୁ ସର୍ବସାଧାରଣରେ ପିଟିବା ଆରମ୍ଭ କରିଥିଲେ। ଏବେ ଆମେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛୁ।