ନକଲି ଆଇଆରଏସ୍‌ ଗିରଫ ମାମଲା: ପୂର୍ବରୁ ଠକିଥିଲା ୭ ଲକ୍ଷ

୩ ବର୍ଷ ତଳୁ ଜାରି ହୋଇଥିଲା ଗିରଫ ପରୱାନା, ଧରୁନଥିଲା ପୁଲିସ

ବାଲିପାଟଣା: ମାଟ୍ରିମୋନି ସାଇଟ୍‌ରେ ନିଜକୁ ଆଇଆରଏସ୍‌ ଅଧିକାରୀ ଦର୍ଶାଇ ଯୁବତୀଙ୍କୁ ଜାଲରେ ଫସାଉଥିବା ସାଲିଆସାହି ତାରିଣୀନଗର ବସ୍ତିର ବିରଞ୍ଚି ନାରାୟଣ ନାଥ ଗତ ୧୭ ତାରିଖରେ ଗିରଫ ହୋଇଛି। ୩ ବର୍ଷ ପୂର୍ବରୁ ତା’ ନାମରେ ୭ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହେବା ସହ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି ହୋଇଥିବା ଜଣାପଡ଼ିଛି। ଏନବିଡବ୍ଲ୍ୟୁ ଜାରି ହୋଇଥିଲେ ହେଁ ୩ବର୍ଷ ଧରି ତାକୁ ବାଲିପାଟଣା ଥାନା ପୁଲିସ ଗିରଫ ନ କରି ଫେରାର ଦର୍ଶାଇଥିଲା। ପୁଲିସର ଏହି କୋହଳ ମନୋଭାବ ନେଇ ୩ ବର୍ଷ ଭିତରେ ସେ ଅନେକଙ୍କୁ ବିଭିନ୍ନ ଉପାୟରେ ଠକିଥିଲା। ତେବେ ମାଟ୍ରିମୋନି ସାଇଟ୍‌ରେ ଜଣେ ଯୁବତୀଙ୍କୁ ଠକିବା ପରେ ଗତ ୧୭ ତାରିଖ ଦିନ ନୂଆପଲ୍ଲୀ ଥାନା ପୁଲିସ ତାକୁ ଗିରଫ କରିଥିଲା। ବାଲିପାଟଣା ଥାନା ପୁଲିସ ଅଭିଯୁକ୍ତକୁ କାହିଁକି ଘଣ୍ଟ ଘୋଡ଼ାଇଥିଲା? ପୁଲିସ ଖାତାର ଫେରାର ଅଭିଯୁକ୍ତ ଯେଉଁ ଅପରାଧ ଘଟାଇଲା ତା’ ପାଇଁ ଦାୟୀ କିଏ? ଏବେ ୭ ଲକ୍ଷ ଟଙ୍କାର ଠକାମିର ଶିକାର ହୋଇ ୩ ବର୍ଷ ଧରି ମାନସିକ ନିର୍ଯାତନା ପାଇଥିବା ଯୁବକଙ୍କୁ ନ୍ୟାୟ ଦେବ କିଏ? ଏଭଳି ଅନେକ ପ୍ରଶ୍ନ ଏବେ ବାଲିପାଟଣା ଥାନା ପୁଲିସକୁ ବିବାଦ ଘେରକୁ ଆଣିଛି।

ପୁଲିସ୍‌ ସୂଚନା ମୁତାବକ, କିଛି ବର୍ଷ ପୂର୍ବେ ବାଲିପାଟଣା ଅଞ୍ଚଳର ସ୍ବପ୍ନସରିତ ଦାସଙ୍କ ବାପା ଓ ମା’ଙ୍କର ଆକସ୍ମିକ ମୃତ୍ୟୁ ହୋଇଥିଲା। ପରେ ସ୍ବପ୍ନସରିତ ଚାକିରି ଖୋଜିଥିଲେ। ଏହି ସମୟରେ ବନମାଳୀପୁର କଲେଜରେ ଅଧ୍ୟାପିକା ଥିବା ପ୍ରଭାତି ସାହୁଙ୍କ ସହ ‌ପରିଚୟ ହୋଇଥିଲା। ସେ ବିରଞ୍ଚିଙ୍କ ପତ୍ନୀ ବୋଲି ପରିଚୟ ଦେଇଥିଲେ। ବିରଞ୍ଚି ନିଜକୁ ଉତ୍ତରାଖଣ୍ତ ଡେପୁଟି କଲେକ୍ଟର ପରିଚୟ ଦେଇ ସ୍ବପ୍ନସରିତଙ୍କୁ ସମ୍ବଲପୁର ଏମସିଏଲରେ ଚାକିରି କରାଇ ଦେବା ପାଇଁ କହିଥିଲା। ଏଥିପାଇଁ ପର୍ଯ୍ୟାୟ କ୍ରମେ ୭ ଲକ୍ଷ ଟଙ୍କା ଦାବି କରିଥିଲା। ବିରଞ୍ଚିର ନିର୍ଦ୍ଦେଶ ମୁତାବକ ଏହି ସମସ୍ତ ଟଙ୍କା ତା’ ଅଧ୍ୟାପିକା ପତ୍ନୀ ପ୍ରଭାତି ଓ ଆଉ ଜଣେ ପତ୍ନୀ ଲୀନା ଶର୍ମାଙ୍କ ଆକାଉଣ୍ଟରେ ଜମା କରିଥିଲେ। ଦୀର୍ଘ ଦିନ ଧରି ଚାକିରି ନ ପାଇବାରୁ ସ୍ବପ୍ନସରିତ ଅର୍ଥ ଫେରସ୍ତ ପାଇଁ କହିଥିଲେ। କିନ୍ତୁ ସେ ଫେରାଇ ନଥିଲା। ଏଣୁ ୨୦୧୬ ମସିହା ମାର୍ଚ୍ଚ ୨୬ରେ ବାଲିପାଟଣା ଥାନାରେ ସ୍ବପ୍ନସରିତ ବିରଞ୍ଚି ଓ ତା’ ଦୁଇ ପତ୍ନୀଙ୍କ ନାମରେ ଏତାଲା ଦେଇଥିଲେ। ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଭୁବନେଶ୍ବର ଜେଏମ୍ଏଫସିଙ୍କ କୋର୍ଟରୁ ୨୦୧୬ ମସିହାରେ ବିରଞ୍ଚିଙ୍କ ନାମରେ ଜାମିନ ବିହୀନ ପରୱାନା (କେସ୍‌ ନଂ. ୩୦୦/୧୬)ରେ ଏନବିଡବ୍ଲ୍ୟୁ ଜାରି ହୋଇଥିଲା। ଏହି ଘଟଣାରେ ବିରଞ୍ଚିର ଦୁଇ ପତ୍ନୀଙ୍କୁ ବାଲିପାଟଣା ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ମୁଖ୍ୟ ଅଭିଯୁକ୍ତ ବିରଞ୍ଚି ଫେରାର୍‌ ଥିବା ଦର୍ଶାଉଥିଲା।

ସମ୍ବନ୍ଧିତ ଖବର