ଚାକିରି ନାଁରେ ୪ ଲକ୍ଷ ଚଳୁ, ନକଲି ସାମ୍ବାଦିକ ଗିରଫ

ଖଣ୍ଡଗିରି,: ଚାକିରି କରାଇଦେବା ବାହାନାରେ ଜଣେ ଅଟୋ ଚାଳକଙ୍କଠାରୁ ପାଖାପାଖି ୪ ଲକ୍ଷ ଟଙ୍କା ଠକି ନେବା ଅଭିଯୋଗରେ ରବିବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ, କଟକ ଚାଉଳିଆଗଞ୍ଜର ପ୍ରସନ୍ନଜିତ୍‌ ମହାନ୍ତି (୪୩)। ନିଜକୁ ଜଣେ ଜାତୀୟସ୍ତରୀୟ ସାମ୍ବାଦିକ ବୋଲି ପରିଚୟ ଦେଇ ପ୍ରସନ୍ନଜିତ୍‌ ଅଟୋ ଚାଳକଙ୍କୁ ଚୂନ ଲଗାଇଥିବା ପୁଲିସ ସୂଚନା ଦେଇଛି।
ସୂଚନାନୁସାରେ, ବରମୁଣ୍ଡା ଫାୟାର୍‌ ଷ୍ଟେସନ୍‌ ନିକଟ ଭଗବତ ବସ୍ତିରେ ରହୁଥିବା ଅଟୋଚାଳକ ନିରଂଜନ ପ୍ରଧାନ ଏକଦା କଟକ ଯାଇଥିବା ବେଳେ ଅଭିଯୁକ୍ତ ପ୍ରସନ୍ନଜିତ୍‌ ସହ ପରିଚିତ ହୋଇଥିଲା। ପ୍ରସନ୍ନଜିତ୍‌ ନିଜକୁ ଜଣେ ବରିଷ୍ଠ ସାମ୍ବାଦିକ ବୋଲି ପରିଚୟ ଦେବା ସହ ଦିଲ୍ଲୀରେ ତାଙ୍କ ଲମ୍ବା ହାତ ରହିଛି ବୋଲି କହିଥିଲା। ଦିଲ୍ଲୀ ସଚ୍ଚିବାଳୟ ଓ ରାଷ୍ଟ୍ରପତି ଭବନରେ ବି ତାଙ୍କ ହାତ ରହିଛି ବୋଲି କହିଥିଲା। ଏଡ଼େ ବଡ଼ ଲୋକ ସହ ପରିଚିତ ହେବା ପରେ ନିଂରଜନ ଖୁସି ହୋଇ ଯାଇଥିଲେ। ନିଜ ପୁଅର ଚାକିରି ଖଣ୍ଡେ କରାଇଦେବାକୁ ଅନୁରୋଧ କରିଥିଲେ। ଚାକିରିଟା ବାମ ହାତର ଖେଳ ବୋଲି ପ୍ରସନ୍ନଜିତ୍‌ କହିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଚାକିରି କରାଇଦେବ ବୋଲି ପ୍ରସନ୍ନଜିତ୍‌ କହିଥିଲା। ତେଣୁ ପର୍ଯ୍ୟାୟକ୍ରମେ ନିରଂଜନ ତାକୁ ୩.୭୦ ଲକ୍ଷ ଟଙ୍କା ଦେଇଥିଲେ। ଏମିତିକି ଥରେ ପୁଅକୁ ରାଷ୍ଟ୍ରପତି ଭବନ ବୁଲାଇନେବାକୁ କହି ଫ୍ଲାଇଟ୍‌ ଟିକେଟ୍‌ ମଧ୍ୟ କିଣାଇ ଦେଇଥିଲା। ଏ ଭିତରେ ୬ ମାସ ବିତି ଯାଇଥିଲା। ହଠାତ୍‌ ପ୍ରସନ୍ନଜିତ୍‌ ସହ ନିରଂଜନଙ୍କ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା। ନିରଂଜନ ଯେତେ ଚେଷ୍ଟା କଲେ ବି ପ୍ରସନ୍ନଜିତ୍‌ର ଦର୍ଶନ ମିଳିଲା ନାହିଁ। ତେଣୁ ସେ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ ଖଣ୍ଡଗିରି ଥାନା ପୁଲିସ ପ୍ରସନ୍ନଜିତ୍‌ ପଛରେ ପଡ଼ିଥିଲା। ୨୦ ଦିନର ଲୁଚକାଳି ଖେଳ ପରେ ଗତକାଲି ରାତିରେ ତାକୁ ପୁଲିସ କଟକରୁ ଧରିବାରେ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର