ଖଣ୍ଡଗିରି/ଖୋର୍ଧା: ଖୋର୍ଧା ଜିଲ୍ଲା ଅବକାରୀ ବିଭାଗକୁ ବୁଧବାର ଏକ ବଡ଼ ସଫଳତା ମିଳିଛି। ମୋବାଇଲ୍ ସ୍କ୍ଵାଡ୍ ଓ ଭୁବନେଶ୍ୱର-ଖୋର୍ଧା ଅବକାରୀ ଟିମ୍ର ମିଳିତ ଚଢ଼ଉ ଦ୍ୱାରା ଖୋର୍ଧାରୁ ୫ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଓ ଖଣ୍ଡଗିରିରୁ ନକଲି ଦେଶୀ ମଦ କାରଖାନା ଠାବ କରାଯାଇଛି। ଜଣେ ବ୍ରାଉନ୍ ସୁଗାର ବେପାରୀ ଓ ୩ ଜଣ ମଦ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଖୋର୍ଧା ସାମନ୍ତରାପୁର ବୁଢ଼ୀବଗିଚାର ପ୍ରସନ୍ନ କୁମାର ସାହୁ ଓ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଜୋରକଣିର ପିଣ୍ଟୁ ବିଶ୍ୱାଳ(୨୧), ସଂଜୟ ସାହୁ(୨୦) ଓ ସେହି ଥାନା ଗୁନ୍ଥଳ ଗାଁର ପ୍ରଦୀପ ପ୍ରଧାନ(୩୨)। ଏହି ୩ ମଦ ବେପାରୀ ଖଣ୍ଡଗିରି ବରବାରୀରେ ରହୁଥିବାବେଳେ ସୀତାରାମ ବସ୍ତିରେ ଏକ ଭଡ଼ାଘରେ ନକଲି ମଦ କାରଖାନା ଚଳାଇଥିଲେ। ସେମାନଙ୍କଠାରୁ ବିପୁଳ ପରିମାଣର ନକଲି ମଦ, ସ୍ପିରିଟ୍, ସିଲ୍ ମେସିନ୍ ଓ ଉପକରଣ ସମେତ ଫ୍ରିଜ୍ ଏବଂ ୩ଟି ସ୍କୁଟି ଜବତ କରାଯାଇଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନାନୁସାରେ ପ୍ରାୟ ୨ ମାସ ହେଲା ଖଣ୍ଡଗିରି ତପୋବନ ସ୍କୁଲ ନିକଟ ସୀତାରାମ ବସ୍ତିରେ ଏକ ର୍ୟାକେଟ୍ ଦ୍ୱାରା ନକଲି ମଦ କାରଖାନା ଚାଲିଛି ବୋଲି ଅବକାରୀ ବିଭାଗ ନିକଟରେ ବିଶ୍ୱସ୍ତ ସୂତ୍ରରୁ ଖବର ପହଞ୍ଚିଥିଲା। ତେଣୁ ପ୍ରାୟ ସପ୍ତାହେ ହେଲା ଅବକାରୀ ବିଭାଗର ଅଧିକାରୀମାନେ ଖଣ୍ଡଗିରିରେ ଡେରା ପକାଇଥିଲେ। ଆଜି ସକାଳୁ ବସ୍ତିରେ ଏକ ଆଜ୍ବେଷ୍ଟସ୍ ଘରେ ଚଢ଼ଉ କରାଯାଇଥିଲା। ଚଢ଼ଉବେଳେ ଅବକାରୀ ପୁଲିସ ପ୍ରଥମେ ୩ ବେପାରୀଙ୍କୁ କାବୁ କରି ନେଇଥିଲା। ସେହି ଆଜ୍ବେଷ୍ଟସ୍ ଘର ଭିତରେ ଏକ ବଡ଼ ଫ୍ରିଜ୍, ୪୦୦ ବୋତଲ ନକଲି ଆସ୍କା-୪୦, ୨୦୦ ଖାଲି ବୋତଲ, ୨୦୦ ଠିପି, ୨୦ ଲିଟରରୁ ଅଧିକ ସ୍ପିରିଟ୍, ବୋତଲ ସିଲ୍ ମେସିନ୍, ଷ୍ଟିକର୍ ଆଦି ଜବତ କରାଯାଇଥିଲା। ଏଥିସହିତ ୩ଜଣଙ୍କଠାରୁ ୩ଟି ନମ୍ବର ବିହୀନ ସ୍କୁଟି ମଧ୍ୟ ଅବକାରୀ ପୁଲିସ ଜବତ କରିଛି। ବୋତଲ, ଠିପି, ସିଲ୍ ମେସିନ୍, ଷ୍ଟିକର୍ ଆଦି ସମସ୍ତ ଉପକରଣ କୋଲକାତାରୁ ଅଣାଯାଇ ଏଠାରେ ନକଲି କାରଖାନା ଚାଲିଥିଲା ବୋଲି ସେମାନେ ମାନି ଯାଇଥିଲେ। ଏହି ଗ୍ୟାଙ୍ଗ୍ର ମାଷ୍ଟର ମାଇଣ୍ଡ ହେଉଛି ପ୍ରଦୀପ ପ୍ରଧାନ। ପରେ ସେ ପିଣ୍ଟୁ ଓ ସଂଜୟକୁ ସାମିଲ୍ କରି ରାଜଧାନୀରେ ଏହି ନକଲି ଦେଶୀ ମଦ କରାଖାନା ଚଳାଇଥିଲା।
ସେହିଭଳି ଏହି ଟିମ୍ ଖୋର୍ଧା ସାମନ୍ତରାପୁର ବୁଢ଼ୀବଗିଚା ଅଞ୍ଚଳରେ ଚଢ଼ଉ କରି ବ୍ରାଉନ୍ ସୁଗାର ବେପାରୀ ପ୍ରସନ୍ନ କୁମାର ସାହୁ(୨୧)କୁ ଗିରଫ କରିଥିଲା। ପ୍ରସନ୍ନଠାରୁ ୨୨ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରାଯାଇଥିଲା। ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ତା’ ନିକଟରୁ ଏକ ବଜାଜ୍ ବାଇକ୍(ଓଡି୦୨ଜେଡ୍-୦୭୯୨) ମଧ୍ୟ ଜବତ ହୋଇଛି। ଦୀର୍ଘ ଦିନ ଧରି ପୁଲିସ ଆଖିରେ ଧୂଳି ଦେଇ ସେ ଖୋର୍ଧାରେ ବ୍ରାଉନ୍ ସୁଗାର ବେପାର କରୁଥିଲା। ଖୋର୍ଧାରେ ବେପାର କରୁଥିବା ର୍ୟାକେଟ୍ର କିଛି କୁଖ୍ୟାତ ବେପାରୀ ପୂର୍ବରୁ ଅବକାରୀ ବିଭାଗ ଦ୍ୱାରା ଗିରଫ ହୋଇ ସାରିଥିଲେ ବି ପ୍ରସନ୍ନ ସବୁବେଳେ ଚମ୍ପଟ ମାରୁଥିଲା। ଭୁବନେଶ୍ୱର, ଖଣ୍ଡଗିରି, କଳିଙ୍ଗବିହାର, ଘାଟିକିଆ, ଯାଁଳା ଓ ଖୋର୍ଧାରେ ପ୍ରସନ୍ନର ନେଟ୍ ଓ୍ଵାର୍କ କାମ କରୁଥିବା ସୂଚନା ମିଳିଛି। ଏହି ଚଢ଼ଉରେ ମୋବାଇଲ୍ ସ୍କ୍ଵାଡ୍ ଅଧିକାରୀ ଶରତ ଚନ୍ଦ୍ର ଭଂଜ, ଇନ୍ସ୍ପେକ୍ଟର ଦେବୀପ୍ରସାଦ ଦାସ, ରଂଜନ କୁମାର ନାୟକ, ଏସ୍ ମୁଦୁଲି, ଏସ୍ ପ୍ରଧାନ, ସମରଜିତ୍ ପ୍ରଧାନ, ଏଚ୍ ସାମନ୍ତ ଓ ଅନ୍ୟମାନେ ସାମିଲ୍ ହୋଇଥିଲେ।
୧ ଅସଲି ଆସ୍କା-୪୦ରୁ ୨ ବୋତଲ ନକଲି ମାଲ୍
ଅବକାରୀ ପୁଲିସ ହାତରେ ଧରାପଡ଼ିବା ପରେ ନକଲି ମଦ ନିର୍ମାତାମାନେ ସବୁ ସତ ମାନି ଯାଇଥିଲେ। ଏମିତିକି କିଭଳି ଗୋଟିଏ ଅସଲି ଆସ୍କା-୪୦ ବୋତଲରୁ ୨ ବୋତଲ ନକଲି ମାଲ୍ ପ୍ରସ୍ତୁତ ହେଉଛି, ତାହା କରି ଦେଖାଇଥିଲେ। ନକଲି ମାଲ୍ରେ ପାଣି ଓ ସ୍ପିରିଟ୍ ମିଶାଇ ପ୍ରସ୍ତୁତ କରାଯାଉଥିବା ଡେମୋ ପ୍ରଦର୍ଶନ କରିଥିଲେ। ମେସିନ୍ ଦ୍ୱାରା ବୋତଲ ସିଲ୍ କରିବା ଓ ନୂଆ ଷ୍ଟିକର୍ ମାରିବା ଆଦି ସବୁ କୌଶଳ ପ୍ରଦର୍ଶନ କରିଥିଲେ ଓ ଅବକାରୀ ପୁଲିସ ଏସବୁର ଭିଡିଓ ଚିତ୍ର ଉତ୍ତୋଳନ କରିଥିଲା। ନକଲି ମାଲ୍ରେ ଅଧିକ ପରିମାଣର ସ୍ପିରିଟ୍ ମିଶା ଯାଉଥିବାରୁ ଅସଲି ଆସ୍କା-୪୦ ଅପେକ୍ଷା ଏହା ଅଧିକ ବିଷାକ୍ତ ବୋଲି ଜଣାପଡ଼ିଥିଲା। ନକଲି ଭଳି ଜଣାପଡ଼ୁନଥିବାବେଳେ କିଛି ଟଙ୍କା କମ୍ରେ ବିକ୍ରି ହେଉଥିବାରୁ ଗ୍ରାହକମାନେ ଏହି ମାଲ୍କୁ ବେଶ୍ ଆଗ୍ରହର ସହ କିଣୁଥିଲେ ବୋଲି ସେମାନେ କହିଥିଲେ।
ସପ୍ତାହକୁ ହଜାରେ ବୋତଲ
ଏହି ନକଲି ମାଲ୍ର ବଜାର ଚାହିଦା ଭଲ ଥିବାରୁ ଗୋଟିଏ ସପ୍ତାହରେ ପ୍ରାୟ ୧ ହଜାର ବୋତଲ ବିକ୍ରି ହେଉଥିଲା। ଗଣ୍ଡମୁଣ୍ଡା, ଖଣ୍ଡଗିରି, ଭରତପୁର, ସାଲିଆସାହି, ଡୁମୁଡୁମା ଆଦି ଅଞ୍ଚଳରେ ଥିବା ବସ୍ତିମାନଙ୍କରେ ଏହି ମାଲ୍ ଜୋର୍ଦାର ବିକ୍ରି ହେଉଥିଲା। ବସ୍ତିବାସିନ୍ଦାମାନଙ୍କୁ ଶସ୍ତାରେ ଯୋଗାଉଥିବା ଏହି ମାଲ୍ ଯେ କେତେ ବିଷାକ୍ତ ତାହା କେହି ଜାଣିନଥିଲେ। ତେଣୁ ଗରିବ ଲୋକଙ୍କୁ ବିଷାକ୍ତ ମଦ ବିକୁଥିବା ଏହି ବେପାରୀମାନେ ସବୁଠାରୁ ଭୟଙ୍କର ବୋଲି ମୋବାଇଲ୍ ସ୍କ୍ଵାଡ୍ ଅଧିକାରୀ ଶ୍ରୀ ଭଂଜ କହିଛନ୍ତି।