ବିରିୟାନୀ ପ୍ଲେଟ୍‌ ପ୍ରତି ୧୯୦ ଟଙ୍କା ମାଗିବା ମହଙ୍ଗା ପଡ଼ିଲା; ହୋଟେଲ ମାଲିକଙ୍କୁ ଗୁଳି କରି ହତ୍ୟା କଲେ ଗରାଖ

କୋଲକାତା: ଏକ ହୋଟେଲକୁ ଖାଇବାକୁ ଆସିଥିବା ଗରାଖଙ୍କ ଠାରୁ ଗୁଳିମାଡ଼ ଖାଇ ପ୍ରାଣ ହରାଇଛନ୍ତି ଜଣେ ହୋଟେଲ ମାଳିକ। ଏହି ଦୁଃଖଦ ଘଟଣା ଘଟିଛି ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାରେ।
ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଗତ ରବିବାର ରାତିରେ ୪ ଜଣ ବ୍ୟକ୍ତ୍‍ି ୨୪ ପ୍ରଗଣାରେ ଥିବା ଏକ ହୋଟେଲକୁ ରାତ୍ରିଭୋଜନ କରିବାକୁ ଆସିଥିଲେ। ହୋଟେଲରେ ସେମାନେ ଖାଇବା ପାଇଁ ୪ ପ୍ଲେଟ୍‌ ବିରିୟାନୀ ମଗାଇଥିଲେ। ହୋଟେଲ କର୍ମଚାରୀମାନେ ମଧ୍ୟ ସେମାନଙ୍କ ଅର୍ଡର ମୁତାବକ ୪ ପ୍ଲେଟ୍‌ ବିରିୟାନୀ ସେମାନଙ୍କୁ ଖାଇବା ପାଇଁ ଦେଇଥିଲେ। ଖାଇ ସାରିବା ପରେ ପ୍ଲେଟ୍‌ ପ୍ରତି ବିରିୟାନୀ ୧୯୦ ଟଙ୍କା ଦରରେ ହିସାବ କରି ହୋଟେଲ ମାଲିକ ସେମାନଙ୍କୁ ବିଲ୍‌ ଧରାଇଥିଲେ।

ତେବେ, ପ୍ଲେଟ୍‌ ପ୍ରତି ବିରିୟାନୀ ୧୯୦ ଟଙ୍କା ଦରରେ କାହିଁକି ବିଲ୍‌ କରିଛନ୍ତି ବୋଲି ସେମାନେ ହୋଟେଲ ମାଲିକ ସଂଜୟ ମଣ୍ଡଳଙ୍କ ସହ ଯୁକ୍ତିତର୍କ କରିଥିଲେ। ହେଲେ, ଯୁକ୍ତିତର୍କ ବଢ଼ିବାରୁ ମହମ୍ମଦ ଫିରୋଜ ନାମକ ଜନୈକ ଯୁବକ ପାଖରେ ରଖିଥିବା ଏକ ପିସ୍ତଲ ବାହାର କରି ସେଥିରୁ ହୋଟେଲ ମାଲିକ ସଂଜୟ ମଣ୍ଡଳଙ୍କ ଉପରେ ଗୁଳି ଚଳାଇ ହୋଟେଲରୁ ଫେରାର ହୋଇ ଯାଇଥିଲେ। ପରେ ଗୁରୁତର ଅବସ୍ଥାରେ ହୋଟେଲ ମାଲିକ ସଂଜୟ ମଣ୍ଡଳଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ଏଘଟଣା ସଂପର୍କରେ ହୋଟେଲ ମାଲିକ ସଂଜୟ ମଣ୍ଡଳଙ୍କ ଭାଇ ପୁଲିସ୍‌ରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତ ମହମ୍ମଦ ଫିରୋଜକୁ ଗିରଫ କରିଥିବା ବେଳେ ଅନ୍ୟ ତିନିଜଣ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି।

ସମ୍ବନ୍ଧିତ ଖବର