ଭୁବନେଶ୍ବର: ପାଠକ ବାପ ପୁଅଙ୍କ ଆର୍ଥିକ କାରବାର ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ଟଙ୍କା କାରବାର ନେଇ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବ ଇଡି । ମନି ଲଣ୍ଡରିଂର ତଦନ୍ତ ପାଇଁ ଉଭୟ ଇଡି ଓ ଆୟକର ବିଭାଗ (ଆଇଟି) ବିଭାଗକୁ ଚିଠି ଲେଖିଥିଲା ରାଜ୍ୟ ଭିଜିଲାନ୍ସ ।
ଆକାଶ ପାଠକଙ୍କ ତିନୋଟି ବ୍ୟାଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଜମା ହୋଇଥିବା ପ୍ରମାଣ ମିଳିବା ପରେ ତଦନ୍ତ ପାଇଁ ଇଡି ଓ ଆଇଟିକୁ ରାଜ୍ୟ ଭିଜିଲାନ୍ସ ଚିଠି ଲେଖିଥିଲା । ଏହାପରେ ସେମାନେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆକାଶଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟରେ ବେନାମୀ ଭାବେ କୋଟି କୋଟି ଟଙ୍କା କାରବାର ହୋଇଥିବା ଦର୍ଶାଇ ଅର୍ଥନୈତିକ ଅପରାଧ ଆଇନ ଅନୁସାରେ ଏହାର ତଦନ୍ତ କରିବାକୁ ଭିଜିଲାନ୍ସ ଅନୁରୋଧ କରିଥିଲା ।
ସେହିପରି ବେନାମୀ ଅର୍ଥ ନେଣଦେଣ ନିରୋଧ ଆଇନ ୧୯୮୮ ଆଧାରରେ ତଦନ୍ତ କରିବାକୁ ଆୟକର ବିଭାଗକୁ ଚିଠି ଲେଖିଥିଲା ଭିଜିଲାନ୍ସ । ଚିଠିରେ ଦର୍ଶାଯାଇଛି ଆକାଶଙ୍କ ଆକାଉଣ୍ଟରେ ୯ କୋଟି ୪୮ ଲକ୍ଷ ନଗଦ ଟଙ୍କା ଜମା ହୋଇଥିବା ବେଳେ ୫ କୋଟି ୨୯ ଲକ୍ଷ ଟଙ୍କା ଟ୍ରାନ୍ସଫର ବା କ୍ଲିୟରିଙ୍ଗ ଆକାରରେ ଜମା ହୋଇଛି । ଆଉ ଏକ ବଡ କଥା ହେଉଛି ଆକାଶଙ୍କ ଆକାଉଣ୍ଟରେ ଏତେ ଟଙ୍କା ଜମା ହୋଇଥିଲେ ମଧ୍ୟ ସେ ଆୟକର ବାବଦକୁ ଗୋଟିଏ ବି ଟଙ୍କା ଦେଇ ନାହାନ୍ତି । ଆୟର କୌଣସି ବାଟ ନ ଥିବାବେଳେ ଆକାଶଙ୍କ ଆକାଉଣ୍ଟକୁ କେଉଁଠୁ ଏତେ ଟଙ୍କା ଆସିଲା ଓ କିଏ ଜମା କଲା ଏହାର ତଦନ୍ତ କରିବ ଇଡି ।