ଅଙ୍ଗନବାଡ଼ି କେନ୍ଦ୍ରକୁ ବି ଛାଡ଼ିଲେନି, ଚୋରେଇନେଲେ ଅଣ୍ଡା ଓ ଚାଉଳ

ଖଣ୍ଡଗିରି: ଶେଷକୁ ଅଙ୍ଗନବାଡ଼ି କେନ୍ଦ୍ରକୁ ବି ବାଦ୍ ଦେଲେନି। ପିଲାଙ୍କ ପାଇଁ ଗଚ୍ଛିତ ଥିବା ଅଣ୍ଡା, ଚାଉଳ ଚୋରେଇନେଲେ। ପୂର୍ବରୁ ଯାଁଳା ଅଞ୍ଚଳରେ ଦୋକାନ ବଜାରରୁ ଚୋରି ହେଉଥିବାବେଳେ ଗତକାଲି ରାତିରେ ଏକ ଅଙ୍ଗନବାଡ଼ି କେନ୍ଦ୍ରରୁ ହୋଇଥିବା ଏହି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ପାଇ ପୁଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଦୁର୍ବୃତ୍ତର ପତ୍ତା ମିଳିନଥିବା ଜଣାପଡ଼ିଛି। ଜଟଣୀ ବ୍ଲକ ଯାଁଳା ପଞ୍ଚାୟତର ଓଗାଳପଡ଼ା ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଲିତା ବରାଳଙ୍କ ଅଭିଯୋଗ ଅନୁସାରେ ୫ ଟ୍ରେ ଅଣ୍ଡା, ୨୫ କେଜି ଚାଉଳ, ଗୋଟିଏ ଷ୍ଟୋଭ୍‌, ଗୋଟିଏ ପ୍ରେସର କୁକର, ୨ଟି ଡେକ୍‌ଚି, ୨ଟି ବାଲ୍‌ତି ଓ ୨ଟି କଡ଼େଇ ସହ ସବୁ ରୋଷେଇ ଉପକରଣ ଚୋରି ହୋଇଛି। କେହି ଦୁର୍ବୃତ୍ତ ତାଲା ଭାଙ୍ଗି ଏଭଳି କାଣ୍ଡ କରିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ନିଶାଡ଼ିମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ‌କେନ୍ଦ୍ର ବାରଣ୍ଡାରେ ଆଡା ଜମାଉଛନ୍ତି। ତେଣୁ କେହି ନିଶାଡ଼ି ଏହି କାଣ୍ଡ ଭିଆଇଛି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର