ନୂଆଦିଲ୍ଲୀ: ଛତିଶଗଡ଼ର ଧମତରିରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କ ପଡ଼ିଶା ଘରେ ରହୁଥିବା ବୃଦ୍ଧଙ୍କ ଠାରୁ ୫୦୦୦ଟଙ୍କା କରଜ ନେଇଥିଲେ। ଏହା ବଦଳରେ ସେ ମହିଳାଙ୍କ ନାବାଳିକା ଝିଅଙ୍କ ଇଜ୍ଜତ ନେଇଥିବା ଖବର ମିଳିଛି। ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ମହିଳାଙ୍କ ନାବାଳିକା ଝିଅ ୩ମାସର ଗର୍ଭବତୀ ଥିବା ଘଟଣା ଜଣାପଡ଼ିଥିଲା। ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି।
ପୀଡ଼ିତାଙ୍କ ମା’ ଧମତରି ଜାନୁଆରି ୨୭ ତାରିଖରେ ମାମଲା ରୁଜୁ କରିଛନ୍ତି। ନାବାଳିକାଙ୍କ ମା’ଙ୍କ କହିବାନୁସାରେ, ଟଙ୍କା ଅଭାବରୁ ପଡ଼ିଶା ଘରେ ରହୁଥିବା ଜଣେ ବୃଦ୍ଧଙ୍କ ଠାରୁ ମୁଁ ୫୦୦୦ଟଙ୍କା କରଜ ନେଇଥିଲି। ଆଉ ଟଙ୍କା ସୁଝି ପାରି ନଥିଲି। ଏହାପର ଠାରୁ ବୃଦ୍ଧ ମୋ ଝିଅକୁ ଘରକୁ ଡାକି ଜୋରଜବରଦସ୍ତ ତା ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଆଉ ଏହି ଘଟଣା ବିଷୟରେ ସେ ଯଦି କାହାକୁ କହିବ ତେବେ ସେ ତାର ମା’କୁ ଅର୍ଥାତ ମୋତେ ମାରି ଦେବେ ବୋଲି ଧମକ ଦେଇଥିଲେ।
ଏସବୁ ଭୟରେ ଝିଅର କାହାକୁ କିଛି ନକହି ମୋର ଜୀବନ ବଞ୍ଚାଇବା ପାଇଁ ସବୁକିଛି ସହି ଚାଲିଥିଲା। କିଛିଦିନ ହେବ ତାର ସ୍ବାସ୍ଥ୍ୟ ଭଲ ରହୁ ନଥିଲା। ତେଣୁ ତାକୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇ ଯାଇଥିଲି। ସେଠାରେ ଡାକ୍ତର ତାର ସ୍ବାସ୍ଥ୍ୟ ପରୀକ୍ଷା କରି ତିନିମାସର ଗର୍ଭବତୀ ଥିବା କଥା କହିଥିଲେ। ମୁଁ ଝିଅକୁ ଏହି ଘଟଣା ପଛରେ କାହାର ହାତ ଅଛି ବୋଲି ପଚାରିବାରୁ ସେ ପଡ଼ିଶା ଘରେ ରହୁଥିବା ବୃଦ୍ଧଙ୍କ ନାମ ନେଇ ଭୋଭୋ ହୋଇ କାନ୍ଦିଥିଲା।’