ନୂଆଦିଲ୍ଲୀ: ସୋସିଆଲ ମିଡିଆର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହା ‌ଯେତିକି ଭଲ ସେତିକି ମନ୍ଦ। ତେଣୁ ଏହାକୁ ଚଲାଇଲା ବେଳେ ସାବଧାନତାର ସହ ଚଲାଇବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏହାସତ୍ତ୍ବେ ବି ଲୋକେ ଅଜଣାତ‌ରେ ଏମିତି କିଛି ଭୁଲ କରି ବସୁଛନ୍ତି ଯେଉଁଥିପାଇଁ ସେମାନେ ଲକ୍ଷାଧିକ ଟଙ୍କା ହରାଇ ବସୁଛନ୍ତି। ନିକଟରେ ଜଣେ ବୃଦ୍ଧ ଏମିତି ଏକ ଅସୁବିଧା ଫସି ଲକ୍ଷେ କି ଦୁଇଲକ୍ଷେ ନୁହେଁ ଏକାସହିତ ୧୨ଲକ୍ଷ ଟଙ୍କା ହରାଇ ଦେଇଛନ୍ତି।

Advertisment

ଏହି ଘଟଣାଟି ଦିଲ୍ଲୀରେ ଘଟିଛି। ଠକେଇର ଶିକାର ହୋଇଥିବା ପୀଡ଼ିତ ବୃଦ୍ଧ ଦିଲ୍ଲୀ ସାଇବର ସେଲ୍‌ର ପୁଲିସ ନିକଟ‌ରେ ପହଞ୍ଚି ଅଭିଯୋଗ କରି କହିଥିଲେ,  ‘କିଛି ଦିନ ପୂର୍ବେ ମୁଁ ହ୍ୱାଟସ୍‌ ଆପ୍‌ରେ ବ୍ୟସ୍ତ ଥିବା ବେଳେ ଏକ ଭିଡିଓ କଲ୍‌ ଆସିଥିଲା। ହଠାତ ମୁଁ କିଛି ବୁଝି ନପାରି ଉକ୍ତ କଳକୁ ଉଠାଇ ଦେଇଥିଲି। ଯେମିତି ଭିଡିଓ କଲ ଉଠାଇଛି ଅପର ପାର୍ଶ୍ୱରେ ଉଲଗ୍ନ ଅବସ୍ଥାରେ ଜଣେ ଯୁବତୀ ଥିବା ଦେଖିବାକୁ ପାଇଥିଲି। ଏହା ଦେଖି ମୁଁ ତରବର ହୋଇ ଫୋନ କାଟି ଦେଇଥିଲି।

ଏହାର କିଛି ସମୟ ପରେ ମୋ ଫୋନକୁ ଏକ ସ୍କ୍ରିନ ସଟ ଆସିଲା। ଯେଉଁଥିରେ ମୁଁ ଉକ୍ତ  ଭିଡିଓ କଲରେ ଥିବା ଦେଖିବାକୁ ପାଇଥିଲି। ଏହାପରେ ବିଭିନ୍ନ ପ୍ରକାର ନମ୍ବରରୁ ମୋ ପାଖକୁ କଲ ଆସିଥିଲା। ଏହି କଲ କରି ଲୋକେ ମୋତେ ଟଙ୍କା ଦାବି କରିଥିଲେ। ଏହି ଦାବି ଟଙ୍କା ନଦେଲେ ସ୍କ୍ରିନ ସଟ ସେୟାର କରିଦେବେ ବୋଲି ଧମକ ଦେଇଥିଲେ।

ମୋର ସମାଜରେ ବହୁତ ସମ୍ମାନ ଅଛି। ଏହି ସ୍କ୍ରିନସଟ ଯଦି ସେମାନେ ଭାଇରାଲ କରି ଦିଅନ୍ତି ଲୋକେ ତ କ’ଣ ହୋଇଛି ବ‌ାସ୍ତବ ଘଟଣା ବୁଝିବା ପରିବର୍ତ୍ତେ ମୋ‌ତେ ଭୁଲ ବୁଝିବେ। ତେଣୁ ଅପମ‌ାନିତ ହେବା ଭୟରେ ମୁଁ  ସେମାନଙ୍କ ଆକାଉଣ୍ଟକୁ ୧୨ ଲକ୍ଷ ୮୦ ହଜାର ଟଙ୍କା ପଠାଇ ଦେଇଥିଲି। ଏହାପ‌ରେ ବି ସେମାନେ ଆହୁରି ଟଙ୍କା ଦାବି କରିବାରୁ ମୁଁ ବାଧ୍ୟ ହୋଇ ପୁଲିସର ସାହାଯ୍ୟ ଲୋଡ଼ିଛି।’

ଦିଲ୍ଲୀ ପୁଲିସ୍‌ର ସାଇବର ସେଲ୍‌ ଏହି ଘଟଣାର ତଦନ୍ତ କରି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ଅପରାଧୀଙ୍କ ନାମ ବରକତ ଖାନ ଓ ରିଜୱାନ ବୋଲି ଜଣାପଡ଼ିଛି। ଦୁହେଁ ରାଜସ୍ଥାନ ବାସିନ୍ଦା ଥିବା କୁହାଯାଉଛି।