ବାଲିକୁଦା-ଏରସମା ନିର୍ବାଚନୀ ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନମଣ୍ତଳୀରେ ଗତକାଲି ହୋଇଥିବା ଲଛମନ ବେହେରା ହତ୍ୟାକାଣ୍ତର ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରା(କୁନା)କୁ ଆଜି ଅଭୟଚାନ୍ଦପୁର ପୁଲିସ ଗିରଫ କରିଛି। କୁନାକୁ ପୁଲିସ ନୋଳିଆସାହିସ୍ଥିତ ତା’ର ଜଣେ ସମ୍ପର୍କୀୟଙ୍କ ଘରୁ ଗିରଫ କରିଛି। ତେବେ, ମୃତ ହତ୍ୟାକାଣ୍ତ ସହ କୌଣସି ରାଜନୈତିକ ସମ୍ପର୍କ ନାହିଁ ବୋଲି ଆଜି ଜଗତସିଂହପୁର ଏସ୍‌ପି ସୁଧା ସିଂ ପତ୍ରକାର ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି। ଏକ ଛୋଟ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିବା ଗଣ୍ତଗୋଳ ହତ୍ୟାକାଣ୍ତ ରୂପ ନେଇଥିଲା ବୋଲି ସେ କହିଛନ୍ତି।

ଏସ୍‌ପିଙ୍କ ଦେଇଥିବା ତଥ୍ୟ ମୁତାବକ, ଗତକାଲି ଭୋଟ୍ ଗ୍ରହଣ ନୋଳିଆସାହି (୨୦୭ ନମ୍ବର) ମତଦାନ କେନ୍ଦ୍ରଠାରୁ କିଛି ଦୂରରେ ଲଛମନ ବେହେରାଙ୍କ ଭାଇ ବଛାଙ୍କ ସହ ହତ୍ୟାକାରୀ କୁନାର ପାଟିତୁଣ୍ତ ହୋଇଥିଲା। ସେ ଦୁହେଁ ଦିନ ମଜୁରିଆ ଅଟନ୍ତି। କାମ କରୁଥିବା ବେଳେ ପ୍ରଚୁର ମଦ ପିଇ ନିଶାଶକ୍ତ ଅବସ୍ଥାରେ ଥିଲେ। ଦୁହେଁ ପାଟିତୁଣ୍ତ କରୁଥିବା ଦେଖି ଗ୍ରାମବାସୀ ସେମାନଙ୍କୁ ବୁଝାଇ ଶୁଝାଇ ପଠାଇ ଦେଇଥିଲେ। ତେବେ, ଏହାର କିଛି ସମୟ ପରେ ବଛା ଚାଲିଚାଲି ଘରକୁ ଫେରୁଥିବା ବେଳେ କୁନା ତାଙ୍କୁ ପୁଣି ଅଟକାଇ ଗାଳି ଗୁଲଜ କରିଥିଲା। ସେ ଗାଳି ଦେଉଥିବା ବେଳେ ବଛାଙ୍କ ବଡ଼ଭାଇ ଲଛମନ ସେଠାରେ ପହଞ୍ଚିଥିଲେ। କୁନା ବଛାଙ୍କୁ ଗାଳି ଦେଉଥିବା ଦେଖି ସେ ତାକୁ ଏହାର କାରଣ ପଚାରିଥିଲେ। ତାହାକୁ ନେଇ ଲଛମନ ଓ କୁନାଙ୍କର ପାଟିତୁଣ୍ଡ ହୋଇଥିଲା। କୁନା ନିଶାସକ୍ତ ଥିବାରୁ ପାଟିତୁଣ୍ତ ଅଧିକ ବଢ଼ିଥିଲା। ରାଗରେ କୁନା ନିକଟରେ ପଡ଼ିଥିବା ଏକ ବିଅର ବୋତଲକୁ ଭାଙ୍ଗି ଲଛମନଙ୍କ ପେଟରେ ଭୁସି ଦେଇଥିଲା।

ସମ୍ବନ୍ଧିତ ଖବର