ଜଣେ ଇଞ୍ଜିନିୟର ପ୍ରଥମେ ନିଜ ଅଡି କାର ବିକ୍ରି କଲେ, ତା’ପରେ ସେହି ବ୍ୟକ୍ତିଙ୍କଠାରୁ ପୁଣି ଗାଡ଼ିକୁ ଚୋରାଇ ନେଲେ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ଭାବନ୍ତୁ ତ ଆପଣ ନିଜ ପସନ୍ଦ ମୁତାବକ ଗାଡ଼ି କିଣିଥିବେ, କିଣିବାର କିଛି ଦିନ ପରେ ସେହି ଗାଡ଼ିକୁ ବିକ୍ରି କରିଥିବା ବ୍ୟକ୍ତି ଚୋରାଇ ନେବ। ଏମିତି ହେଲେ ଆପଣଙ୍କ ଉପରେ କ’ଣ ବିତିବ ? ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦିଲ୍ଲୀରେ ଘଟିଛି।

ଦିଲ୍ଲୀରେ ବସବାସ କରୁଥିବା ଜଣେ ସିଭିଲ୍‌ ଇଞ୍ଜିନିୟର ଯାହାଙ୍କ ନାମ ମନୋଜ ସିଙ୍ଘଲ। ସେ ପ୍ରଥମେ ତାଙ୍କ ଅଡି ଗାଡ଼ିକୁ ସରଫରାଜୁଦ୍ଦିନ୍‌ ନାମକ ବ୍ୟକ୍ତିଙ୍କୁ ଶସ୍ତାରେ ବିକ୍ରି କରି ଦେଇଥିଲେ। ଏହାପରେ ପୁଣି ସେହି ବ୍ୟକ୍ତିଙ୍କ ଠାରୁ ମନୋଜ ନିଜ ଅଡି ଗାଡ଼ିକୁ ଚୋରାଇ ଆଣିଥିଲେ। ଏହି ଘଟଣା ନେଇ ଅଭିଯୋଗ ହେବା ପରେ ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚ ପରେ ମନୋଜଙ୍କୁ ଉତ୍ତରାଖଣ୍ଡସ୍ଥିର ତାଙ୍କ ଘରୁ ଗିରଫ କରିଥିଲା ପୁଲିସ। ପୁଲିସ ମନୋଜ ଚୋରାଇଥିବା ଅଡି ଗାଡ଼ିକୁ ବି ତାଙ୍କ ଘରୁ ଠାବ କରିଥିଲେ।

ସୂଚନାଯୋଗ୍ୟ, ସରଫରାଜୁଦ୍ଦିନ୍‌ ନାମକ ବ୍ୟକ୍ତି କ୍ୟାବ୍‌ ସର୍ଭିସ୍‌ରେ ଲଗାଇବା ପାଇଁ ଗାଡ଼ି ଖୋଜୁଥିଲେ। ଏହି ସମୟରେ ଏକ ବିଜ୍ଞାପନ ଜରିଆରେ ସିଙ୍ଘଲଙ୍କ ବିଷୟରେ ଜଣିବାକୁ ପାଇଥିଲେ କି ସେ ତାଙ୍କ ଅଡି ଗାଡ଼ିକୁ ବିକ୍ରି କରିବାକୁ ଚାହୁଁଛନ୍ତି। ଦୁହିଁଙ୍କ ମଧ୍ୟରେ ୧୭.୫ଲକ୍ଷ ଟଙ୍କାରେ ଗାଡ଼ି ଦେବାନେବା ନେଇ ଚୁକ୍ତି ହୋଇଥିଲା। ସରଫରାଜୁଦ୍ଦିନ୍‌ ୫୦ହଜାର ନଗଦ ଟଙ୍କା ୧୪ଲକ୍ଷ ଟଙ୍କା ଅନ୍‌ଲାଇନ୍‌ରେ ଟ୍ରାନ୍ସଫର କରି ଗାଡ଼ି ସିଙ୍ଘଲଙ୍କ ଠାରୁ କିଣି ଥିଲେ। ଗାଡ଼ିର କାଗଜପତ୍ର ବାକି ତିନିଲକ୍ଷ ଦେଲେ ଟ୍ରାନ୍ସଫର କରିବା ପାଇଁ ସିଙ୍ଘଲ ସରଫରାଜୁଦ୍ଦିନ୍‌ଙ୍କୁ କହିଥିଲେ।

ଗାଡ଼ି ଚୋରି ହେବା ଦିନ ସରଫରାଜୁଦ୍ଦିନ ଓ ସିଙ୍ଘଲଙ୍କ ସାକ୍ଷାତ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ଗାଡ଼ି କାଗଜପତ୍ର ଟ୍ରାନ୍ସଫର କରିବା ବିଷୟରେ କଥାବାର୍ତ୍ତା ହୋଇଥିଲା। ଏହାପରେ ସରଫରାଜୁଦ୍ଦିନ ଯେଉଁଠାରେ ତାଙ୍କ ଅଡି ଗାଡ଼ି ପାର୍କିଂ କରିଥିଲେ ସେଠାରେ ଆସି ଦେଖିଲା ବେଳକୁ ତାଙ୍କ ଗାଡ଼ି ନ ଥିଲା। ସରଫରାଜୁଦ୍ଦିନ ସିଙ୍ଘଲକୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇଲା ବେଳକୁ ସେ ଧମକାଇ ଥିଲେ ଏବଂ ତାଙ୍କୁ ଦ୍ୱିତୀୟଥର ଫୋନ୍‌ ନକରିବା ପାଇଁ କହିଥିଲେ। ଏହାପରେ ସରଫରାଜୁଦ୍ଦିନ ଏ ନେଇ ପୁଲିସର ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର