ନୂଆଦିଲ୍ଲୀ: କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟରେ ଜଣେ ‘ଓଏସ୍ଡି’ ବୋଲି ପରିଚୟ ଦେଇ ‘ଗଙ୍ଗା ଏକ୍ସପ୍ରେସ୍ୱେ ପ୍ରକଳ୍ପ’ରେ ଜଣେ ବରିଷ୍ଠ ଅଧିକାରୀ ଭାବେ ନିଯୁକ୍ତି ପାଇବାକୁ ଉଦ୍ୟମ କରି ପୂର୍ବରୁ ଚାକିରିରୁ ବିତାଡ଼ିତ ହୋଇଥିବା ଜଣେ ସିଭିଲ୍ ଇଞ୍ଜିନିୟର୍ଙ୍କୁ ଗିରଫ କରାଯାଇଥିବା କଥା ରବିବାର ଦିନ ପୁଲିସ କହିଛି।
ପୁଲିସ କହିଛି, ଗିରଫ ହୋଇଥିବା ବ୍ୟକ୍ତିଜଣକ ହେଉଛନ୍ତି, ଉତ୍ତର ପ୍ରଦେଶ ଅନ୍ତର୍ଗତ ମିରଟ୍ ବାସିନ୍ଦା ୪୮ ବର୍ଷିୟ ରବିନ୍ ଉପାଧ୍ୟାୟ। ସେ ଅନେକ ବହୁରାଷ୍ଟ୍ରୀୟ କମ୍ପାନୀରେ ୨୫ ବର୍ଷରୁ ଊର୍ଦ୍ଧ୍ବକାଳ ଧରି କାର୍ଯ୍ୟ କରିଥିବା କଥା ଦାବି କରିଛନ୍ତି। କୌଶଳ କରି ଉପାଧ୍ୟାୟ ‘ଏକ୍ସପ୍ରେସ୍ୱେ ପ୍ରକଳ୍ପ’ରେ ଉପାଧ୍ୟକ୍ଷ-ତଥା-ପ୍ରକଳ୍ପ ସଂଯୋଜକ ପଦବୀ ହାତେଇବାକୁ ଉଦ୍ୟମ କରୁଥିଲେ।
କେନ୍ଦ୍ର ଗୃହମନ୍ତ୍ରୀଙ୍କ ‘ଅଫିସର୍-ଅନ୍-ସ୍ପେସାଲ୍-ଡିୟୁଟି’ ବୋଲି ଦାବି କରୁଥିବା ରାଜୀବ କୁମାର ନାମରେ ଜଣେ ବ୍ୟକ୍ତିଙ୍କ ‘ଫେକ୍’ ଇ-ମେଲ୍ ଆଡ୍ରେସ୍ରୁ ତାଙ୍କ ଇ-ମେଲ୍ରେ ଚିଠିଟିଏ ଆସିଥିବା କଥା ଅକ୍ଷତ ଶର୍ମା ନାମରେ ଜଣେ ବ୍ୟକ୍ତି ନୂଆଦିଲ୍ଲୀର ସାଇବର ଥାନାରେ ପହଞ୍ଚି ଅଭିଯୋଗ କରିବା ପରେ ଉପରୋକ୍ତ ଘଟଣା ଲୋକଲୋଚନକୁ ଆସିଥିଲା।
ତଦନ୍ତ କରି ପୁଲିସ ଜାଣିଲା ଯେ, ଉକ୍ତ ଇ-ମେଲ୍ ଆଡ୍ରେସ୍ ଜାଲ୍ ଏବଂ ଲୋକମାନଙ୍କୁ ଠକିବା ଉଦ୍ଦେଶ୍ୟରେ ତାହା ଖୋଲାଯାଇଛି। ‘ଟେକ୍ନିକାଲ୍ ସର୍ଭିଲେନ୍ସ୍’କୁ ଆଧାର କରି ପୁଲିସ ଜାଣିଲା ଯେ, ପ୍ରାୟ ସପ୍ତାହେ ତଳେ ଖୋଲାଯାଇଥିବା ଉକ୍ତ ଇ-ମେଲ୍ଟି ରବିନ୍ ଉପାଧ୍ୟାୟଙ୍କ ନାମରେ ରେଜିଷ୍ଟ୍ରି କରାଯାଇଛି।
ଏହି ମାମଲାରେ ଶନିବାର ଦିନ ମିରଟସ୍ଥିତ ବାସଭବନରେ ଉପାଧ୍ୟାୟଙ୍କୁ ଅଟକ ରଖାଯାଇ ପରେ ଗିରଫ କରାଯାଇଥିବା କଥା ପୁଲିସ କହିଛି। ପଚରା ଉଚରା କରାଯିବାରୁ ସେ କହିଛନ୍ତି ଯେ, ସିଭିଲ୍ ଇଞ୍ଜିନିୟର୍ ହୋଇଥିବାରୁ ‘ସିଭିଲ୍ ନିର୍ମାଣ ପ୍ରକଳ୍ପ’ରେ ତାଙ୍କର ବ୍ୟାପକ ଅଭିଜ୍ଞତା ଅଛି। ଏହି ପ୍ରକଳ୍ପରେ ଚାକିରି ପାଇବା ପାଇଁ ସେ ‘ଫେକ୍ ରେଫେରେସନ୍ସ୍’ ଉପଯୋଗ କରିବାକୁ ସ୍ଥିର କରିଥିଲେ।