ଇନ୍ଦୋର: ମଧ୍ୟପ୍ରଦେଶରେ ଜଣେ ସପ୍ଟୱୟାର ଇଞ୍ଜିନିୟର ୫ ଦିନରେ ଦୁଇଜଣ ଯୁବତୀଙ୍କୁ ବିବାହ କରିବା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଭିଯୁକ୍ତ ଇଞ୍ଜିନିୟର ବୟସ ୨୬ ବର୍ଷ ହୋଇଥିବା ବେଳେ ସେ ଇନ୍ଦୋରର ମୁସାଖେଡିରେ ବସବାସ କରୁଥିବା ଜଣାପଡ଼ିଛି।
ଅଭିଯୋଗ ଅନୁସାରେ ଇଞ୍ଜିନିୟର ଜଣଙ୍କ ଡିସେମ୍ବର ୨ ତାରିଖରେ ଖଣ୍ଡବାରେ ଜଣେ ମହିଳାଙ୍କୁ ବିବାହ କରିଥିଲା । ଏହି ବିବାହର କିଛିଦିନ ପରେ ଅର୍ଥାତ ଡିସେମ୍ବର ୭ ତାରିଖରେ ଇନ୍ଦୋରର ମହୁରେ ଇଞ୍ଜିନିୟର ଆଉ ଜଣେ ଯୁବତୀଙ୍କୁ ବିବାହ କରିଥିଲା। ଏହି ବିବାହର କିଛି ଫଟୋ ଭୋଜିକୁ ନିମନ୍ତ୍ରିତ ହୋଇ ଆସିଥିବା ଲୋକଙ୍କ ମଧ୍ୟରୁ କେହି ଜଣେ ଉଠାଇ ଇଞ୍ଜିନିୟରଙ୍କ ପ୍ରଥମ ପତ୍ନୀଙ୍କ ପାଖକୁ ପଠାଇ ଦେଇଥିଲେ।
ବିବାହକୁ ମାତ୍ର କିଛିଦିନ ହୋଇଥିବା ବେଳେ ସ୍ବାମୀ ଆଉ କାହାକୁ ବିବାହ କରିଥିବା ଦେଖି ପ୍ରଥମ ପତ୍ନୀ ସ୍ତବ୍ଧ ହୋଇଯାଇଥିଲେ। ସେ ସଙ୍ଗେସଙ୍ଗେ ସ୍ବାମୀକୁ ଫୋନ କରିଥିଲେ। କିନ୍ତୁ ଫୋନ ସୁଇଚ୍ ଅଫ କହିଥିଲା। ଏହାପରେ ସେ ଏନେଇ ନିଜ ବାପ ଘର ଲୋକଙ୍କୁ ଜଣାଇଥିଲେ। ସେମାନେ ପୁଲିସରେ ଠକ ଇଞ୍ଜିନିୟର ଜ୍ବାଇଁଙ୍କ ନାମରେ ଅଭିଯୋଗ କରିଥିଲେ।
ସତ ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ଇଞ୍ଜିନିୟର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।