ଖାକିରେ କଳଙ୍କ: ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଖୋର୍ଦ୍ଧା: ଖାକି ପୋଷାକରେ ଲାଗିଛି କଳଙ୍କର ଦାଗ। ଖୋର୍ଦ୍ଧା ଉପକଣ୍ଠରେ ଥିବା ଏକ ଇଞ୍ଜିନିୟରିଂ କଲେଜର ଜଣେ ଡିପ୍ଲୋମା ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ଜଣେ କର୍ତ୍ତବ୍ୟରତ ପୁଲିସ୍‌ କର୍ମଚାରୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଭିଯୁକ୍ତ ପୁଲିସ କର୍ମଚାରୀ ଫେରାର୍ ହୋଇଯାଇଛନ୍ତି। ଏନେଇ ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୀଡ଼ିତା ଛାତ୍ରୀଙ୍କ ବୟାନ ଅନୁସାରେ, ଗତକାଲି ରାତିରେ ତାଙ୍କ କଲେଜର ବାର୍ଷିକ ଉତ୍ସବ ଥିଲା। ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିଥିଲେ। ରାତି ପ୍ରାୟ ୧୦ଟା ବେଳେ କଲେଜର ଉତ୍ସବ ଶେଷ ହୋଇଥିଲା। ତାଙ୍କୁ ନେବା ପାଇଁ ତାଙ୍କ ଘରକୁ ଫୋନ୍ କରି ଗେଟ୍ ନିକଟରେ ଅପେକ୍ଷା କରିଥିଲେ। ଏହି ସମୟରେ ସେଠାରେ ଶାନ୍ତିଶୃଙ୍ଖଳା ପାଇଁ ନିୟୋଜିତ ଥିବା ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ତିର ଡ୍ରାଇଭର୍‌ ସୀତାକାନ୍ତ ସାମନ୍ତରାୟ ତାଙ୍କୁ ଦେଖି ଅଶ୍ଳୀଳ ଇଙ୍ଗତ କରିବା ସହ ଫୋନ୍ ନମ୍ବର ମାଗିଥିଲେ।

ଛାତ୍ରୀଜଣକ ଭୟଭୀତ ହୋଇ ନିଜ ଭାଇକୁ ପୁଣି ଫୋନ୍ କରିବା ବେଳେ ସୀତାକାନ୍ତ ତାଙ୍କ ହାତରୁ ମୋବାଇଲ୍‌ଟି ଛଡ଼ାଇ ନେବା ସହ ତାଙ୍କୁ ଟଣାଓଟରା କରିଥିଲେ। ଛାତ୍ରୀଜଣକ ଚିତ୍କାର କରିବାରୁ କଲେଜର କର୍ମଚାରୀ ଓ ଅନ୍ୟ ଛାତ୍ରଛାତ୍ରୀମାନେ ସେଠାରେ ପହଞ୍ଚିବା ଦେଖି ସୀତାକାନ୍ତ ସେଠାରୁ ନିଜର ଜିପ୍ ଛାଡ଼ି ଫେରାର୍ ହୋଇଯାଇଥିଲେ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ, ଏହି ସମୟରେ ଫାଣ୍ତି ଅଧିକାରୀ ସମିତା ମିଶ୍ର ସେଠାରେ ଉପସ୍ଥିତ ଥିଲେ ଓ ଡ୍ରାଇଭର ଫେରାର୍ ହୋଇଯିବା ପରେ ଅନ୍ୟ ଜଣେ ଡ୍ରାଇଭରଙ୍କ ସହାୟତାରେ ସେଠାରୁ ଫେରିଥିଲେ। ଏପରିକି ଘଟଣା ସମ୍ପର୍କରେ ପୀଡ଼ିତା ଛାତ୍ରୀ, କଲେଜ କର୍ତ୍ତୃପକ୍ଷ ଓ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା ମଧ୍ୟ କରିଥିଲେ। ଆଜି ସକାଳେ ଏନେଇ ଏତଲା ଦେବା ପାଇଁ ପୀଡ଼ିତା ଓ ତାଙ୍କ ବାପାମାଆ ଫାଣ୍ତି ଅଧିକାରୀଙ୍କୁ ଫୋନ୍ କରିବାରୁ କୋର୍ଟ କାମରେ ବ୍ୟସ୍ତ ରହିଥିବାରୁ ପରେ ଆସିବା ପାଇଁ କହିଥିଲେ। ଶେଷରେ ଅପରାହ୍ଣ ୪ଟାରେ ଏତଲା ଦେବା ପାଇଁ ପୀଡ଼ିତା ପରିବାର ସହ ଫାଣ୍ତିରେ ପହଞ୍ଚିଥିଲେ। ସେଠାରେ କାହାରିକୁ ନପାଇ ଦୀର୍ଘ ୧ ଘଣ୍ଟା ଅପେକ୍ଷା କରିବା ପରେ ଫାଣ୍ତି ଅଧିକାରୀ ପହଞ୍ଚି ଏତଲା ଗ୍ରହଣ କରିଥିଲେ। ଏନେଇ ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ବାଇଁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ଏଭଳି ଘଟଣା ଘଟିଛି। ଆଜି ୬ଟାରେ ଏନେଇ ଆଇପିସିର ଦଫା ୩୫୪(କ)ଅନୁଯାୟୀ ୭୩/୨୦୨୦ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଡ୍ରାଇଭରଙ୍କ ମୋବାଇଲ୍ ସ୍ବିଚ୍‌ ଅଫ୍‌ ରହିଛି ଓ ସେ ଫେରାର୍ ଅଛି। ତାଙ୍କୁ ଟ୍ରାକ୍ କରାଯାଉଛି, ତୁରନ୍ତ ଗିରଫ କରାଯିବ। ସେହିଭଳି ତଦନ୍ତରେ ସ୍ବଚ୍ଛତା ପାଇଁ ଟାଉନ୍ ଥାନାର ଇନ୍‌ସପେକ୍ଟର ଅନୁଭା ଦାସଙ୍କୁ ଏହାର ତଦନ୍ତ ଦାୟିତ୍ବ ଦିଆଯାଇଛି। କଲେଜର ନିର୍ଦ୍ଦେଶକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଗତକାଲି ଉତ୍ସବ ନିମନ୍ତେ ଫାଣ୍ତି ଅଧିକାରୀଙ୍କ ସହ ୬ଜଣ ପୁଲିସ ଉପସ୍ଥିତ ଥିଲେ। କଲେଜ କର୍ତ୍ତୃପକ୍ଷଙ୍କ ଅନୁମତି ନନେଇ କୌଣସି ଛାତ୍ରଛାତ୍ରୀ ବାହାରକୁ ଯିବା ପାଇଁ ବାରଣ କରାଯାଇଥିଲା। ତେବେ ଛାତ୍ରୀଜଣକ ତାଙ୍କ ଭାଇ ସହ ଘରକୁ ଫେରିବ ବୋଲି କାହାରିକୁ ନଜଣାଇ ବାହାରକୁ ଚାଲି ଆସିଥିଲା। ପରେ ଝିଅର ପାଟି ଶୁଣି ଆମେ ସମସ୍ତେ ପହଞ୍ଚିଥିଲୁ। ଅଭିଯୋଗ ପରେ ଫାଣ୍ତି ଅଧିକାରୀ ଆମ ସହ ଆଲୋଚନା କରିଛନ୍ତି। ଆମେ ସମସ୍ତେ ବିଷୟ ତାଙ୍କୁ ଜଣାଇଛୁ।

ସମ୍ବନ୍ଧିତ ଖବର