ନାବାଳିକାକୁ ପ୍ରତାରଣା, ଇଂଜିନିୟରିଂ ଛାତ୍ର ଗିରଫ

ଭୁବନେଶ୍ୱର: ଜଣେ ନାବାଳିକାଙ୍କୁ ପ୍ରତାରଣା କରିବା ଅଭିଯୋଗରେ ମହିଳା ଥାନା ପୁଲିସ ଜଣେ ଇଂଜିନିୟରିଂ ଛାତ୍ରକୁ ଗିରଫ କରିଛି। ସେ ହେଲା, ବଲାଙ୍ଗୀର ଲୋଇସିଂହା ଅଞ୍ଚଳର ପ୍ରତ୍ୟୁଷ ନାଗ(୨୪)। ଏଠାରେ ପାତ୍ରପଡ଼ାସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜରେ ବି.ଟେକ୍‌ କରୁଥିଲା। ପୁଲିସ ସୂଚନା ମୁତାବକ, ଦେଢ଼ ବର୍ଷ ତଳେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କ ସହ ପ୍ରତ୍ୟୁଷର ଭେଟ ହୋଇଥିଲା। ପ୍ରଥମ ଦେଖାରେ ପ୍ରତ୍ୟୁଷ ନାବାଳିକାଙ୍କୁ ଭଲ ପାଇ ବସିଥିଲା। ତାଙ୍କୁ ବିଭିନ୍ନ ସମୟରେ ପିଛା କରିବା ସହ ପ୍ରେମ ନିବେଦନ କରିଥିଲା। ନାବାଳିକାଜଣଙ୍କ ମଧ୍ୟ ପ୍ରତ୍ୟୁଷର ଜାଲରେ ଫସି ଯାଇଥିଲେ। ତେବେ ସଂପର୍କ ନିବିଡ଼ ହେବା ପରେ ବିବାହର ପ୍ରତିଶ୍ରୁତି ଦେଇ ପ୍ରତ୍ୟୁଷ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ତେବେ ନାବାଳିକାଜଣଙ୍କ ଗର୍ଭବତୀ ହୋଇଯବାରୁ ସେ ବିବାହ ପାଇଁ ପ୍ରତ୍ୟୁଷଙ୍କୁ କହିଥିଲେ। କିନ୍ତୁ ପ୍ରତ୍ୟୁଷ ମନା କରିଦେବା ସହ ଗର୍ଭନଷ୍ଟ ପାଇଁ ନାବାଳିକାଙ୍କୁ ପ୍ରବର୍ତ୍ତାଇଥିଲେ। ନାବାଳିକାଜଣଙ୍କ ଏଥିରେ ରାଜି ନ ହେବାରୁ ସେ ତାଙ୍କୁ ମାଡ଼ ମାରିବା ସହ ଧମକ ଦେଇଥିଲା। ଏନେଇ ନାବାଳିକାଜଣଙ୍କ ମହିଳା ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଗତକାଲି ରାତିରେ ମହିଳା ଥାନା ପୁଲିସର ଏକ ଟିମ୍‌ ଲୋଇସିଂହାସ୍ଥିତ ପ୍ରତ୍ୟୁଷର ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର