ଦୁଷ୍କର୍ମ ପରେ କର୍ଣ୍ଣାଟକ ଇଞ୍ଜିନିୟରିଙ୍ଗ୍ ଛାତ୍ରୀଙ୍କୁ ହତ୍ୟା କରାଯାଇଛି; ତେଜିଲା ଅନ୍ଲାଇନ୍ ପିଟିସନ୍
ରାଇଚୁର: ମଙ୍ଗଳବାର (୧୬) ଦିନ କର୍ଣ୍ଣାଟକର ରାଇଚୁରସ୍ଥିତ ନବୋଦୟ ଇଞ୍ଜିନିୟରିଙ୍ଗ୍ କଲେଜରେ ସିଭିଲ୍ ଇଞ୍ଜିନିୟରିଙ୍ଗ୍ ପଢୁଥିବା ଜଣେ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ଶବ କଲେଜ ଠାରୁ ୫/୬ କିଲୋମିଟର୍ ଦୂରରେ ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ ମଳିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଶବ ମିଳିଥିବା ସ୍ଥାନରୁ ଗୋଟାଏ ସ୍ୟୁସାଇଡ୍ ନୋଟ୍ ମିଳିବା ପରେ ଏହା ଆତ୍ମହତ୍ୟା ଘଟଣା ବୋଲି ପୁଲିସ କହିଥିଲା। ପୂର୍ବ ପରୀକ୍ଷାଗୁଡ଼ିକରେ ବ୍ୟାକ୍ ପେପର୍ ରହି ଯାଇଥିବାରୁ ସେ ଆତ୍ମହତ୍ୟା କରିଥିବା କଥା କୁହାଯାଇଥିଲା। ଏପ୍ରିଲ୍ ୧୩ ତାରିଖ ଦିନ ମଧୁ ନାମ୍ନା ସେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି ବୋଲି କୁହାଯାଉଛି।
କିନ୍ତୁ ଦୁଷ୍କର୍ମ ପରେ ତାଙ୍କୁ ପୋଡ଼ି ମାରି ଦିଆଯାଇଥିବା ପରେ ଗଛରେ ଟାଙ୍ଗି ଦିଆ ଯାଇଥିବା କଥା ସାଧାରଣରେ ଆଲୋଚନା ହେଉଛି। ମୃତା ଝିଅର ପରିବାରକୁ ନ୍ୟାୟ ଦାବି କରି ଶହ ଶହ ସ୍ଥାନୀୟ ଲୋକ ମହମବତି ପଟୁଆରରେ ବାହରିଥିଲେ।
ଲୋକେ ସନ୍ଦେହ କରୁଛନ୍ତି ଯଦି ସେ ରଶି ଦେଇ ମଲେ ତାଙ୍କ ଦେହ ପୋଡ଼ିଲା କେମିତି? ତା’ଛଡ଼ା ପୂର୍ବର କୌଣସି ପରୀକ୍ଷାରେ ତାଙ୍କର ବ୍ୟାକ୍ ପେପର୍ ରହି ନ ଥିଲା। ସେ ସ୍ୟୁସାଇଡ୍ ନୋଟ୍ କାହିଁକି ଲେଖିଲେ? ନା, ତାଙ୍କୁ ଲେଖିବାକୁ ବାଧ୍ୟ କରାଯାଇଥିଲା?
ଏ ସବୁ ପ୍ରଶ୍ନ ସ୍ଥାନୀୟ ବାସିନ୍ଦାଙ୍କ ଭ୍ରୂକୁଞ୍ଚନ କରୁଛି। ମଧୁ ଲାଗି ନ୍ୟାୟ ଦାବି କରି ରାଇଚୁରବାସୀ ରାସ୍ତାକୁ ବାହାରି ଆସିଛନ୍ତି। ସେମାନଙ୍କର ବିଶ୍ୱାସ ଏହା ଗୋଟାଏ ହତ୍ୟାକାଣ୍ଡ ଓ ଜାଣିଶୁଣି ତଦନ୍ତ ବନ୍ଦ କରି ଦିଆଯାଇଛି।
ଏ ଘଟଣା ପାଇଁ କେତେକ ବ୍ୟକ୍ତି ଟୁଇଟର୍ରେ ‘ଜଷ୍ଟିସ୍ ଫର୍ ମଧୁ’ ବୋଲି ଅନ୍ଲାଇନ୍ ପିଟିସନ୍ ଆରମ୍ଭ କରି ଏହାକୁ ସମର୍ଥନ କରିବାକୁ ‘ସାଇନ୍ ଇନ୍’ କରିବାକୁ ଅନୁରୋଧ କରିଛନ୍ତି। ମାମଲାର ନିରପେକ୍ଷ ତଦନ୍ତ କରାଇ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ସମ୍ଭାବ୍ୟ କର୍ତ୍ତୃପକ୍ଷଙ୍କୁ ଏହି ପିଟିସନ୍ ପ୍ରଭାବିତ କରିବ ବୋଲି ସେମାନଙ୍କର ବିଶ୍ୱାସ।