ଇଂଜିନିୟରିଂ ଛାତ୍ରଙ୍କୁ ଲୁଟ୍‌ ମାମଲା. ଆଉ ଜଣେ ଗିରଫ

ଖଣ୍ଡଗିରି: ୧୬ ନମ୍ବର ଜାତୀୟ ରାଜପଥରେ ଜଣେ ଇଂଜିନିୟରିଂ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଲୁଟ୍‌ କରିଥିବା ଅଭିଯୋଗରେ ଗୁରୁବାର ଖଣ୍ଡଗିରି ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲେ ସ୍ଥାନୀୟ ଯଦୁପୁର ଅଞ୍ଚଳର ସେକ୍ ଇସ୍‌ଲାମ୍‌ ଓରଫ୍ ସୁନିଲ୍(୧୯)। ଏହି ମାମଲାରେ ପୂର୍ବରୁ ସେହି ଅଞ୍ଚଳର ଅବ୍‌ଦୁଲ୍‌ ହାସିମ୍‌ ଖାଁ ନାମକ ଜଣେ ଅଭିଯୁକ୍ତ ଗିରଫ ହୋଇଥିଲା। ସୂଚନାନୁସାରେ ଫେବ୍ରୁଆରି ୨୩ ତାରିଖ ରାତି ପ୍ରାୟ ୧୦ଟାବେଳେ ଝାରପଡ଼ା ଶାନ୍ତିନିକେତନ ଆଶ୍ରମରେ ରହୁଥିବା ସିଭି ରମଣ କଲେଜର ଇଂଜିନିୟରିଂ ଛାତ୍ର ବିଘ୍ନରାଜ ବାଗ୍‌ କଲେଜ ଉତ୍ସବରୁ ଫେରୁଥିଲେ। ସେ ଆଇଗିଣିଆ ଓଭରବ୍ରିଜ୍ ଉପରେ ପହଞ୍ଚିଥିବାବେଳେ ଅଭିଯୁକ୍ତ ସୁନିଲ୍‌, ଅବ୍‌ଦୁଲ ଓ ଅନ୍ୟ ଜଣେ ତାଙ୍କୁ ଅଟକାଇଥିଲେ। ବାଇକ୍‌ ଅଟକାଇବା ମାତ୍ରେ ଦୁର୍ବୃତ୍ତମାନେ ତାଙ୍କଠାରୁ ମୋବାଇଲ୍‌ଟି ଛଡ଼ାଇ ନେବା ସହ ବାଇକ୍‌ ଚାବି ଛଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସାହସ କରି ବିଘ୍ନ ସେମାନଙ୍କୁ ପ୍ରତିରୋଧ କରିବାରୁ ଧସ୍ତାଧସ୍ତି ହୋଇଥିଲା। ଏକ ମଦ ବୋତଲ ଭାଙ୍ଗି ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। ତେବେ ଏତିକିବେଳେ ରାଜପଥରେ ଯାଉଥିବା ଅନ୍ୟମାନେ ବିଘ୍ନଙ୍କୁ ସାହାଯ୍ୟ କରିବାରୁ ଅବଦୁଲ୍‌ ଧରାପଡ଼ି ଯାଇଥିଲା ଓ ଅନ୍ୟ ଦୁଇ ଜଣ ଫେରାର୍ ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର