ରାଜଧାନୀରୁ ଅନ୍ତଃରାଜ୍ୟ ଏରାଗୋଲା ଗ୍ୟାଙ୍ଗ୍‌ର ୭ ଗିରଫ

ଲକ୍ଷେ ଟଙ୍କା, ସୁନାଗହଣା, ୪ ବାଇକ୍‌ ଓ ୫ ମୋବାଇଲ୍‌ ଜବତ

ଭୁବନେଶ୍ୱର: ମଙ୍ଗଳବାର ସ୍ପେସାଲ୍‌ ସ୍କ୍ଵାଡ୍‌ ଓ କ୍ୟୁଏଟି ରାଜଧାନୀରୁ କୁଖ୍ୟାତ ଅନ୍ତଃରାଜ୍ୟ ଏରାଗୋଲା ଗ୍ୟାଙ୍ଗ୍‌ର ୭ ଜଣ ସଦସ୍ୟଙ୍କୁ ଗିରଫ କରିଛି। ସେମାନେ ହେଲେ, ନୂଆପଲ୍ଲୀ ସାଲିଆ ସାହିରେ ରହୁଥିବା ଗଞ୍ଜାମ ଆସ୍କାର ପି ମାଧବ, ଏ ନରେଶ, ଆସ୍କା ଗଣ୍ଡାପାଲ୍ଲୀ ଏରାଗୋଲା କ୍ୟାମ୍ପର ଆହୁଲା ମୁରଲୀ, ଗଞ୍ଜାମ କୋଦଳା ରେଂଜର ବଙ୍ଗଳାର ଏମ୍‌ କିରଣ, ଭରତପୁରରେ ରହୁଥିବା ଆସ୍କା ଧୁକୁଣି ସାହିର ଶିବ ଚୌଧୁରୀ, ସନ୍ତୋଷ ଦାସ ଓ ନରେଶ ପ୍ରଧାନ। ପୁଲିସ ଏମାନଙ୍କଠାରୁ ନଗଦ ଲକ୍ଷେ ଟଙ୍କା, ସୁନା ଗହଣା, ୪ଟି ବାଇକ୍‌ (୩ଟି ଆପାଚି, ଗୋଟିଏ ହିରୋ ହୋଣ୍ଡା ଆଚିଭର୍‌) ଓ ୫ଟି ମୋବାଇଲ୍‌ ଜବତ କରିଛି। ଗତ କିଛି ସପ୍ତାହ ହେଲା ରାଜଧାନୀରେ ଡେରା ପକାଇଥିବା ଏହି ଗ୍ୟାଙ୍ଗ୍‌ ଦୁଇ ଦୁଇଟି ବଡ଼ଧରଣର ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଇଥିଲେ। ଏମାନଙ୍କ ନାମରେ ନୂଆପଲ୍ଲୀ ଓ ବଡ଼ଗଡ଼ ଥାନାରେ ୨ଟି ମାମଲା ରହିଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।

ପୁଲିସ ଅପରେସନ୍‌
ପୁଲିସ କମିସନର ଓ୍ଵାଇବି ଖୁରାନିଆ ଓ ଭୁବନେଶ୍ୱର ଡିସିପି ଅନୁପ ସାହୁଙ୍କ ନିର୍ଦେଶକ୍ରମେ ଏହି ଗ୍ୟାଙ୍ଗ୍‌କୁ ଠାବ କରିବା ପାଇଁ ସ୍ପେସାଲ ସ୍କ୍ଵାଡ୍‌ ଗତ ସପ୍ତାହେ ହେଲା ରାଜଧାନୀରେ ତଲାସି ଚଳାଇଥିଲା। କ୍ୟୁଏଟି ଟିମ୍‌ ମଧ୍ୟ ଏଥିରେ ସାମିଲ୍‌ ହୋଇଥିଲା। ଗତ ମାସ ୧୮ ତାରିଖ ଓ ୨୬ ତାରିଖରେ ଏହି ଗ୍ୟାଙ୍ଗ୍‌ ନୂଆପଲ୍ଲୀ ଓ ବଡ଼ଗଡ଼ ଥାନା ଅଞ୍ଚଳରେ ଦୁଇଟିି ବଡ଼ଧରଣର ଲୁଟ୍‌ କରିବା ପରେ କମିସନରେଟ୍‌ ପୁଲିସର ମୁଣ୍ଡବିନ୍ଧା ବଢ଼ି ଯାଇଥିଲା। ଗତ ୧୮ ତାରିଖରେ ନୂଆପଲ୍ଲୀ ଅମ୍ରିିତା କମ୍ପ୍ଲେକ୍ସ ନିକଟରୁ ଶୈଳଶ୍ରୀ ବିହାରର ମୁରଲୀଧର ପରିଡ଼ାଙ୍କ ସ୍କୁଟି ବାଇକ୍‌ ଡିକି ଭାଙ୍ଗି ଏହି ଗ୍ୟାଙ୍ଗ୍‌ ୨ ଲକ୍ଷ ଟଙ୍କା ଲୁଟି ନେଇଥିଲା। ସେହିଭଳି ୨୬ ତାରିଖରେ ବଡ଼ଗଡ଼ ଥାନା ଗଜପତି ନଗରର ପ୍ରମୋଦ ପରିଡ଼ାଙ୍କ ହାତରୁ ଏହି ଗ୍ୟାଙ୍ଗର ସଦସ୍ୟମାନେ ୧.୫ ଲକ୍ଷ ଟଙ୍କା ଝାମ୍ପି ନେଇ ଫେରାର୍‌ ହୋଇ ଯାଇଥିଲେ। ଦୁଇଟି ଯାକ ମାମଲାରୁ ପୁଲିସ ସୂଚନା ପାଇଥିଲା ଯେ ଏମାନେ ବ୍ୟାଙ୍କକୁ ଯାଉଥିବା ଗ୍ରାହକମାନଙ୍କୁ ଟାର୍ଗେଟ୍‌ କରୁଛନ୍ତି। ତେଣୁ ସ୍ପେସାଲ୍‌ ସ୍କ୍ଵାଡ୍‌ ଏହି ଦିଗକୁ ଆଧାର କରି ସେମାନଙ୍କ ପିଛା କରିଥିଲା। ଆଜି ସକାଳେ ଏମାନଙ୍କ ମଧ୍ୟରୁ ପି ମାଧବ, ଏ ନରେଶ ଓ ଆହୁଲା ମୁରଲୀ ଜୟଦେବ ବିହାରସ୍ଥିତ ଏକ ବ୍ୟାଙ୍କ ନିକଟରେ ୨ଟି ବାଇକ୍‌ରେ ପଇଁତରା ମାରୁଥିବା ପୁଲିସ ନଜରରେ ପଡ଼ିଥିଲା। ସାଧା ପୋଷାକରେ ଥିବା ପୁଲିସର ଏମାନଙ୍କ ଉପରେ ସନ୍ଦେହ ହୋଇଥିଲା। ଖବର ପାଇ ଏସିପି ସଂଜୀବ ଶତପଥୀ ଓ କ୍ୟୁଏଟି ମୁଖ୍ୟ ଦୀପକ କୁମାର ଲେଙ୍କା ସଦଳବଳେ ସେଠାରେ ପହଞ୍ଚି ଯାଇଥିଲେ। ପରେ ସେମାନଙ୍କୁ ପିଛା କରି ପୂରା ଟିମ୍‌ ମେ’ ଫେୟାର ବସ୍ତିସ୍ଥିତ ସେମାନଙ୍କ ଆଡ଼ାରେ ଅତର୍କିତ ଚଢ଼ଉ କରିଥିଲା। ସେମାନଙ୍କ ନିକଟରୁ ସୁନା ଗହଣା ଜବତ କରିଥିଲା। ପରେ ସେମାନେ ସବୁ କଥା ମାନି ଯାଇଥିଲେ ଓ ସେମାନଙ୍କ ଗ୍ୟାଙ୍ଗ୍‌ର ମୁଖିଆ ଏମ୍‌ କିରଣ ଓ ଅନ୍ୟ ୩ ଜଣ ଖଣ୍ଡଗିରି ଥାନା ଭରତପୁରରେ ଥିବା ନେଇ ସେମାନେ ପୁଲିସକୁ ସୂଚନା ଦେଇଥିଲେ। ତୁରନ୍ତ ପୁଲିସ ଟିମ୍‌ ଭରତପୁରରେ ଚଢ଼ଉ କରି ଏମ୍‌ କିରଣ ସହ ଶିବ, ସନ୍ତୋଷ ଓ ନରେଶକୁ ଗିରଫ କରିଥିଲା। ଏମ୍‌ କିରଣଠାରୁ ନଗଦ ଲକ୍ଷେ ଟଙ୍କା ମିଳିଥିଲା।

ସମ୍ବନ୍ଧିତ ଖବର