ଭୁବନେଶ୍ୱର: ସିଆଇଡି କ୍ରାଇମବ୍ରାଞ୍ଚର ଅର୍ଥନୈତିକି ଅପରାଧ ଶାଖା ଋଣ ନାଁରେ ୧.୪୩ କୋଟି ଟଙ୍କା ଆତ୍ମସାତ କରିବା ମାମଲାରେ ୨ ଭାଇଙ୍କୁ ଗିରଫ କରିଥିବା ରବିବାର ଜଣାପଡ଼ିଛି। ଅଭିଯୁକ୍ତମାନେ ହେଲେ ସୁନ୍ଦରମ୍ ଫାଇନାନ୍ସ ଲିମିଟେଡର ଏକ୍ଜ୍ୟୁକେଟିଭ୍ ଶଶୀକାନ୍ତ ସାହୁ (୩୧) ଓ ତାଙ୍କର ଭାଇ ଶ୍ରୀକାନ୍ତ ସାହୁ (୩୦)। ବର୍ଷ ୨୦୧୮-୧୯ରେ ଦୁଇ ଭାଇ ୯ ଜଣଙ୍କୁ ଋଣ ଦେବା ନାଁରେ ୧.୪୩ କୋଟି ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା। ଦୁଇ ଭାଇ ୯ ଜଣଙ୍କ ନାଁରେ ଜାଲିଆତି କରି ୧୧ଟି ଋଣ ନେଇ ଟଙ୍କା ଆତ୍ମସାତ କରିଥିଲେ।
ଇଓଡବ୍ଲ୍ୟୁ ଦୁଇ ଭାଇଙ୍କୁ ଶନିବାର ଭଦ୍ରକରୁ ଗିରଫ କରିଛି। ଏମାନଙ୍କ ବିରୋଧରେ ଗତ ନଭେମ୍ବର ୧୮ରେ ଅଭିଯୋଗ ହୋଇଥିଲା। ଆଜି ଶଶିକାନ୍ତ ଓ ଶ୍ରୀକାନ୍ତଙ୍କୁ ବାଲେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରାଯିବା ପରେ ଜେଲକୁ ପଠାଇ ଦିଆଯାଇଛି। ରିପୋର୍ଟ ଅନୁସାରେ ୧.୪୩ କୋଟି ଟଙ୍କାର ଋଣ ନାଁରେ ଟଙ୍କା ଆତ୍ମସାତ ମାମଲା ନେଇ ସୁନ୍ଦରମ୍ ଫାଇନାନ୍ସ ଲିମିଟେଡର ଟେରିଟୋରି ମ୍ୟାନେଜର ଭି କିଶୋର କୁମାରଙ୍କ ଦ୍ୱାରା ଅଭିଯୋଗ ଅଣାଯାଇଥିଲା। ଇଓଡବ୍ଲ୍ୟୁ ଘଟଣାର ତଦନ୍ତ କରୁଛି।