ଭୁବନେଶ୍ୱର: ଜାଲିଆତି କରି ବ୍ୟାଙ୍କରୁ ଜଣେ ଗ୍ରାହକଙ୍କୁ ଏକ କୋଟି ଟଙ୍କାର ସିସି ମଞ୍ଜୁର କରିବା ସହିତ ୮ ଲକ୍ଷ ଟଙ୍କା ଋଣ ଦେବା ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କର ଡିଜିଏମ ବିମ୍ବାଧର ସ୍ୱାଇଙ୍କୁ ବେଙ୍ଗାଲୁରସ୍ଥିତ ଓଭରସିଜ୍‌ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟରୁ ଗିରଫ କରିଛି। ଶ୍ରୀ ସ୍ୱାଇଁଙ୍କ ଘର ଟଙ୍କପାଣି ରୋଡ୍‌ରେ ବୋଲି କ୍ରୟାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। ଗତ ୨୧ ତାରିଖ ଦିନ ଶ୍ରୀ ସ୍ୱାଇଁଙ୍କୁ ବେଙ୍ଗାଲୁର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟର ହାଜର କରାଯାଇ ତାଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଭୁବନେଶ୍ୱର ଆଣି ଆଜି ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଛି।
କ୍ରାଇମବ୍ରାଞ୍ଚ ସୂତ୍ରରୁ ପ୍ରକାଶ ଯେ, ୨୦୧୦ ମସିହାରେ ଶ୍ରୀ ସ୍ୱାଇଁ ରସୁଲଗଡ଼ ଓଭରସିଜ୍‌ ବ୍ୟାଙ୍କ୍‌ର ମ୍ୟାନେଜର ଥିବା ବେଳେ ଆଶୁତୋଷ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କୁ ୧କୋଟି ୮ ଲକ୍ଷ ଟଙ୍କାର ସିସି ଓ କାର ଲୋନ ମଞ୍ଜୁର କରିଥିଲେ। ମାତ୍ର ଏଥିପାଇଁ ଶ୍ରୀ ମିଶ୍ର ଜାଲ କାଗଜପତ୍ର ଦାଖଳ କରିଥିଲେ। ଏହି ଘଟଣାରେ ପୂର୍ବରୁ ଶ୍ରୀ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରି ସାରିଥିଲା। ତେବେ ଏ ନେଇ ଓଭରସିଜ୍‌ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ପରିଚାଳକ ଏସ ଉମାପତି ଅଭିଯୋଗ କରିବାରୁ ଶ୍ରୀ ସ୍ୱାଇଁଙ୍କ ବିରୋଧରେ ଦଫା ୪୨୦, ୪୦୬,୪୭୬, ୪୬୮, ୪୭୧,୧୨୦ (ଖ)ରେ ଏକ ମାମଲା ରୁଜୁ କରି ଶ୍ରୀ ସ୍ୱାଇଁଙ୍କୁ ଗିରଫ କରାଯାଇଛି।