୫ କୋଟି ଟଙ୍କାର ଠକେଇ : ଇଣ୍ଟରଓସନ୍‌ ନିର୍ଦେଶିକାଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର : କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଆଉ ଏକ ଚିଟଫଣ୍ଡ୍‌ ଠକେଇ ମାମଲାରେ ସଂସ୍ଥାର ନିର୍ଦେଶିକାଙ୍କୁ ଗିରଫ କରିଛି। ତାଙ୍କ ନାଁ ସୁନୀତା ସାମଲ। ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଧୀନ ମନସଡ଼ାରେ। ସୁନୀତା ଇଣ୍ଟରଓସନ୍‌ ନାମକ ଏକ ଚିଟଫଣ୍ଡ୍‌ ସଂସ୍ଥାର ନିର୍ଦେଶିକା ଥିଲେ। ଆଜି ତାଙ୍କୁ କଟକରେ ଥିବା ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟକୁ ଚାଲାଣ କରାଯାଇଛି ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି। କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସୁନୀତାଙ୍କ ଉକ୍ତ ଚିଟଫଣ୍ଡ ସଂସ୍ଥା କଟକ, ଭୁବନେଶ୍ୱର, ଅନୁଗୁଳ ଓ ଯାଜପୁରରେ କାର୍ଯ୍ୟ କରୁଥିଲା। ୨୦୧୦ରୁ ୨୦୧୩ ମସିହା ମଧ୍ୟରେ ଜମାକାରୀଙ୍କୁ ବିଭିନ୍ନ ସ୍କିମ୍‌ରେ ମୋଟା ଅଙ୍କର ସୁଧ ଦେବା ଲୋଭ ଦେଖାଇ ପାଖାପାଖି ୫ କୋଟି ଟଙ୍କା ସଂଗ୍ରହ କରିଥିଲା। କିନ୍ତୁ ସଂସ୍ଥା ଚୁକ୍ତି ମୁତାବକ, ଜମାକାରୀଙ୍କୁ ଟଙ୍କା ଫେରସ୍ତ ନ କରି ହଠାତ କେଉଁଆଡ଼େ ଗାଏବ ହୋଇଯାଇଥିଲା। ଏନେଇ ଅନୁଗୁଳ ତାଳଚେର ଅଞ୍ଚଳର ଲକ୍ଷ୍ମୀନାରାୟଣ ମହାପାତ୍ର ପ୍ରଥମେ ସ୍ଥାନୀୟ ଥାନା ଓ ପରେ କ୍ରାଇମ୍‌ବ୍ରାଞ୍ଚ ନିକଟରେ ଅଭିଯୋଗ କରିଥିଲେ। କ୍ରାଇମ୍‌ବ୍ରାଞ୍ଚ ଏନେଇ ୨୦୧୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଗତକାଲି ସୁନୀତା ଯାଜପୁରରେ ଥିବା କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇ ତାଙ୍କୁ ସେଠାରୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର