ଅରୁନ୍ଧତୀ ଇନ୍‌ଫ୍ରାଟେକ୍‌ ମାଲିକାଣୀ ଗିରଫ

୨୫୦ ଜଣଙ୍କଠାରୁ ୩ କୋଟି ଟଙ୍କା ଚଳୁ

ଖଣ୍ଡଗିରି :  ସୋମବାର କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଅରୁନ୍ଧତୀ ଇନ୍‌ଫ୍ରାଟେକ୍‌ ମାଲିକାଣୀ ନିରୁପମା ସୁନ୍ଦରାୟ (୫୦)ଙ୍କୁ ଗିରଫ କରିଛି। ରାଜଧାନୀ ଉପକଣ୍ଠରେ ସିମ୍ପ୍ଲେକ୍‌ସ ବିଲ୍ଡିଂ ଯୋଗାଇବା ବାହାନାରେ ପ୍ରାୟ ଅଢ଼େଇଶହ ଗ୍ରାହକଙ୍କୁ ଚୁନ ଲଗାଇ ୩ କୋଟିରୁ ଅଧିକ ଟଙ୍କା ଚଳୁ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ କାଇମାଟିଆ ଗ୍ରାମସ୍ଥିତ ତାଙ୍କ ବାସଭବନରୁ ନିରୁପମାଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଏହି ଠକେଇ ମାମଲାରେ ସଂସ୍ଥାର ଅନ୍ୟତମ ନିର୍ଦେଶକ ତଥା ନିରୁପମାଙ୍କ ସ୍ୱାମୀ ଅଶୋକ କୁମାର ସୁନ୍ଦରାୟଙ୍କୁ ଅର୍ଥନୈତିକ ଅପରାଧ ଶାଖା ଗତ ମେ ମାସରୁ ଗିରଫ କରିସାରିଛି।

ସୂଚନାନୁସାରେ ୨୦୧୦ ମସିହାରେ ଅଭିଯୁକ୍ତ ଅଶୋକ ଓ ତାଙ୍କ ପତ୍ନୀ ନିରୁପମା ତମାଣ୍ଡୋ ଥାନ କଳିଙ୍ଗବିହାରରେ ଅରୁନ୍ଧତୀ ଇନ୍‌ଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ବିଲ୍ଡର୍ସ ସଂସ୍ଥା କାର୍ଯ୍ୟାଳୟ ଖୋଲିଥିଲେ। ଜଟଣୀ ତହସିଲ୍‌ ଅନ୍ତର୍ଗତ ଜାଗସରା ମୌଜାରେ ଅରୁନ୍ଧତୀ ବିହାର ନାମରେ ଏକ ହାଉସିଂ ପ୍ରୋଜେକ୍ଟ କରିଥିଲେ। ବିଭିନ୍ନ ସାଇଜ୍‌ର ପ୍ଲଟ୍‌ ଉପରେ ସିମ୍ପ୍ଲେକ୍ସ ଘର ନିର୍ମାଣ କରି ବିକିବା ପାଇଁ ସେ ବିଜ୍ଞାପନ ଜରିଆରେ ଗ୍ରାହକ ଯୋଗାଡ଼ କରିଥିଲେ। ପ୍ରାୟ ୨୫୦ ଜଣ ଗ୍ରାହକ ଘର କିଣିବା ପାଇଁ ସେମାନଙ୍କ ସହ ଚୁକ୍ତି କରିଥିଲେ। ସେଲ୍‌ ଡିଡ୍‌ ହୋଇଥିଲା ଓ ଗ୍ରାହକମାନେ ଅଗ୍ରୀମ ଆକାରରେ ଟଙ୍କା ପଇଠ କରିଥିଲେ। ଚୁକ୍ତି ଅନୁସାରେ ଗ୍ରାହକମାନଙ୍କୁ ୧୮ରୁ ୨୪ ମାସ ଭିତରେ ଘର ଦେବା ପାଇଁ ସେମାନେ ପ୍ରତିଶ୍ରୁତି ଦେଇ ଟଙ୍କା ଗ୍ରହଣ କରିଥିଲେ। ମାତ୍ର ଏ ଭିତରେ ପ୍ରାୟ ୭ ବର୍ଷ ବିତି ଯାଇଥିଲେ ବି ସେମାନେ ଗ୍ରାହକମାନଙ୍କୁ ଘର ହସ୍ତାନ୍ତର କରିନଥିଲେ। ଜାଗସରା ମୌଜାରେ ଅରୁନ୍ଧତୀ ବିହାର ନିର୍ମାଣ ହୋଇଥିଲେ ବି ଜମି କିଣାବିକାରେ ବହୁ ତ୍ରୁଟି ଥିବାରୁ ଘର ହସ୍ତାନ୍ତର ହୋଇ ପାରିନଥିଲା।

ତଦନ୍ତରୁ ଜଣାପଡ଼ିଲା ସେ ସେମାନେ ଗ୍ରାହକଙ୍କୁ ଠକିବା ଉଦ୍ଦେଶ୍ୟରେ ଜାଲ୍‌ ଜମି କିଣିବା ସହ ଜାଲ୍‌ ବିକ୍ରି ବି କରିଛନ୍ତି। ଘର ପାଇବାରେ ବିଳମ୍ବ ହେବାରୁ କିଛି ଗ୍ରାହକ ଅରୁନ୍ଧତୀ ବିହାରରୁ ଜବରଦସ୍ତ ଘର ମାଡ଼ି ବସିଲେ। କିନ୍ତୁ  ପ୍ଲଟର ମାଲିକାନା ନଥିବାରୁ ସେମାନଙ୍କୁ ବିଦ୍ୟୁତ୍‌ ସଂଯୋଗ ଭଳି ଆନୁସଙ୍ଗିକ ସୁବିଧା ସୁଯୋଗ ମିଳିନଥିଲା। ଫଳରେ ସେମାନେ ଖାଲି ଘର ମାଡ଼ି ବସିଲେ ସିନା ରହି ପାରିଲେ ନାହିଁ। ତେବେ ବହୁ ଗ୍ରାହକ ଘର ନ ପାଇ ଅର୍ଥନୈତିକ ଅପରାଧ ଶାଖାର ଦ୍ୱାରସ୍ଥ ହୋଇଥିଲେ। ତଦନ୍ତରୁ ଏହା ଏକ ବଡ଼ ଠକାମୀ ବୋଲି ପ୍ରମାଣ ମିଳିବା ପରେ ଗତ ମେ ୧୮ ତାରିଖରେ ନିର୍ଦେଶକ ଅଶୋକଙ୍କୁ ଗିରଫ କରାଯାଇଥିଲା। ସେଲ୍‌ ଡିଡ୍‌ଗୁଡ଼ିକରେ ନିରୁପମାଙ୍କ ନାମ ରହିଥିବାରୁ ଏବେ ତାଙ୍କୁ ବି ଗିରଫ କରାଯାଇଛି ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଯେ ଗତ ସାଧାରଣ ନିର୍ବାଚନରେ ଅଶୋକ ସୁନ୍ଦରାୟ ଜଟଣୀ ନିର୍ବାଚନ ମଣ୍ଡଳୀର ବିଧାୟକ ପଦବୀ ପାଇଁ ସ୍ୱାଧୀନ ପ୍ରାର୍ଥୀଭାବେ ଲଢ଼ି ହାରିଥିଲେ।


 

ସମ୍ବନ୍ଧିତ ଖବର