ଲାଞ୍ଚ ନେଇ ଇଏସ୍‌ଆଇ ହସ୍ପିଟାଲ୍‌ ଡ୍ରେସର୍‌ ଭିଜିଲାନ୍ସ ହାତରେ ଗିରଫ

ଭୁବନେଶ୍ୱର : ମେଡିକାଲ ବିଲ୍‌ ପାସ କରାଇ ଦେବାକୁ କହି ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଇଏସ୍‌ଆଇ ହସ୍ପିଟାଲର ଡ୍ରେସରଙ୍କୁ ଗିରଫ କରିଛି। ତାଙ୍କ ନାଁ ରବୀନ୍ଦ୍ର କୁମାର ନନ୍ଦ। ନିଜ ଘର ବାଲେଶ୍ୱର ଜିଲ୍ଲା ସୋରରେ। ଏଠାରେ ସେ ୟୁନିଟ-୯ ରୋଡ ନମ୍ବର ୭ରେ ରୁହନ୍ତି। ଭିଜିଲାନ୍ସ ଜାଲରେେ ପଡ଼ିବା ପରେ ଶ୍ରୀ ନନ୍ଦଙ୍କ ଭୁବନେଶ୍ୱର କ୍ୱାର୍ଟର୍ସ, ସୋର ଓ କେତେକ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚଳାଇଛି। ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ଆରମ୍ଭ କରିଛି ଭିଜିଲାନ୍ସ। ଏ ନେଇ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ ପକ୍ଷରୁ ଶ୍ରୀ ନନ୍ଦଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଭିଜିଲାନ୍ସ ଡିଏସ୍‌ପି ଅକ୍ଷୟ କୁମାର ମିଶ୍ରଙ୍କଠାରୁ ମିଳିଥିବା ସୂଚନା ମୁତାବକ, ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ ମାଳିସାହିର ଅଭିମନ୍ୟୁ ବରାଡ଼ ନାମକ ଜଣେ ସିକ୍ୟୁରିଟି ଗାର୍ଡ ଏଠାରେ ଲକ୍ଷ୍ମୀସାଗର ଥାନା ଅଧୀନ ଭୋଇସାହି ପ୍ଲଟ ନମ୍ବର ୯୬୦ରେ ରହୁନ୍ତି। ଗତ ମାସ ୧୨ ତାରିଖରେ ତାଙ୍କ ପତ୍ନୀ ପ୍ରସବ ଜନିତ କଷ୍ଟ ଅନୁଭବ କରିଥିଲେ। ଅଭିମନ୍ୟୁ ପତ୍ନୀଙ୍କୁ ଇଏସ୍‌ଆଇ ହସ୍ପିଟାଲରେ ଭର୍ତି କରିଥିଲେ। ଇଏସ୍‌ଆଇ ପକ୍ଷରୁ ତାଙ୍କ କ୍ୟାପିଟାଲ ହସ୍ପିଟାଲ ହସ୍ପିଟାଲ ପଠାଯାଇଥିଲା। ସେଠାରେ ତାଙ୍କ ମେଡିକାଲ୍‌ ବିଲ୍‌ ବାବଦରେ ୧୬ ହଜାର ଟଙ୍କା ଖର୍ଚ ହୋଇଥିଲା। ଏହି ବିଲ ନେଇ ସେ ବରାଡ଼ ସହିଦନଗରଠାରେ ଥିବା ଇଏସ୍‌ଆଇ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଡ୍ରେସର ଭାବେ କାମ କରୁଥିବା ରବୀନ୍ଦ୍ର ୩ ହଜାର ଟଙ୍କା ଲାଞ୍ଚ ଦେଲେ ବିଲ୍‌ ପାସ୍‌ ହୋଇଯିବ ବୋଲି କହିଥିଲେ। ସିକ୍ୟୁରିଟି ଗାର୍ଡ କାମ କରୁଥିବା ଅଭିମନ୍ୟୁ ଏତେ ଗୁଡିଏ ଟଙ୍କା କେଉଁଠୁ ଆଣିବେ ବୋଲି କହିବାରୁ ଡ୍ରେସର ରବୀନ୍ଦ୍ର ସିଧାସଳଖ ବିଲ ପାସ ହୋଇ ପାରିବ ନାହିଁ ବୋଲି କହିଥିଲେ। ଶେଷରେ ଉପାୟଶୂନ୍ୟ ହୋଇ ଅଭିମନ୍ୟୁ ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥିଲେ। ଅଭିମନ୍ୟୁଙ୍କଠାରୁ ଅଭିଯୋଗ ପାଇବା ପରେ ଆଜି ଭିଜିଲାନ୍ସର ଟିମ୍‌ ଇଏସ୍‌ଆଇ ହସ୍ପିଟାଲ ନିକଟରେ ଲୁଚି କରିଥିଲେ। ରବୀନ୍ଦ୍ର ଟଙ୍କା ନେବା କ୍ଷଣି ଭିଜିଲାନ୍ସ ଟିମ୍‌ ତାଙ୍କୁ କାବଜ କରି ନେଇଥିଲେ। ଏହା ପରେ ତାଙ୍କୁ ଭିଜିଲାନ୍ସ କାର୍ଯର୍୍ୟାଳୟ ନେଇ ପରଚାଉଚରା କରାଯାଉଛି। ପୂର୍ବରୁ ସେ ଏଭଳି କାହା କାହାଠାରୁ ବିଲ୍‌ ପାସ କରାଇ ଦେବା ନାଁରେ ଲାଞ୍ଚ ନେଇଛନ୍ତି, ସେ ନେଇ ଭିଜିଲାନ୍ସ ଟିମ୍‌ ପଚରା ଉଚରା କରୁଛି।

ସମ୍ବନ୍ଧିତ ଖବର