ଉଚ୍ଚ ନ୍ୟାୟାଳୟ ଜାମିନ୍‌ ଆଦେଶରେ ଜାଲିଆତି ମାମଲା : ପୂର୍ବତନ ବେଞ୍ଚ୍‌ କ୍ଲର୍କ ଦୋଷୀ ସାବ୍ୟସ୍ତ

୨୫ରେ ଦଣ୍ଡବିଧାନ

ଭୁବନେଶ୍ୱର : ୨୦୦୬ ମସିହାରେ ହୋଇଥିବା ଉଚ୍ଚ ନ୍ୟାୟାଳୟ ଜାମିନ୍‌ ଆଦେଶରେ ଜାଲିଆତି ଘଟଣାରେ ଆଜି ସ୍ୱତନ୍ତ୍ର ସିଜେଏମ୍‌ (ସିବିଆଇ ) ପ୍ରଶାନ୍ତ କୁମାର ମିଶ୍ର ପୂର୍ବତ୍ତନ ଜେଏମ୍‌ଏଫ୍‌ସି ଗ୍ରାମାଞ୍ଚଳ କଟକ, ବେଞ୍ଚ୍‌ କ୍ଲର୍କ କଳିଙ୍ଗ କେଶରୀ ପଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସମ୍ବଲପୁର ଜିଲ୍ଲା ବିକ୍ରମ ସାହୁଙ୍କ ହତ୍ୟା ମାମଲାରେ ଫେରାର୍‌ ଥିବା ଲାପଙ୍ଗା ଅଞ୍ଚଳର ବସନ୍ତ ବେହେରା, ନରୋତ୍ତମ ବେହେରା ଓ କିରଣ ବେହେରାଙ୍କ ଜାମିନ୍‌ ଆବେଦନକୁ ଜାଲିଆତି କରି ଉଚ୍ଚ ନ୍ୟାୟାଳୟର ଏକ ନକଲି ଜାମିନ୍‌ ଆଦେଶ ଦେଇ ବସନ୍ତଙ୍କଠାରୁ କଳିଙ୍ଗ ୫୦ ହଜାର ଟଙ୍କା ନେଇଥିବା ଅଭିଯୋଗର ପ୍ରମାଣ ମିଳିଛି। ତେଣୁ ୨୩ଟି ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଆପିସି ଧାରା ୪୨୦, ୪୬୬, ୪୬୮ ଓ ୪୭୧ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଆସନ୍ତା ୨୫ ତାରିଖରେ ଦଣ୍ଡବିଧାନ କରାଯିବ ବୋଲି ସ୍ୱତନ୍ତ୍ର(ସିଜେଏମ୍‌) ଶ୍ରୀ ମିଶ୍ର ରାୟ ପ୍ରକାଶ କରିଛନ୍ତି।

ସୂଚନା ମୁତାକ, ଗତ ୨୦୦୫ ମସିହାରେ ସମ୍ବଲପୁର ଜିଲ୍ଲାର ବିକ୍ରମ ସାହୁଙ୍କୁ ହତ୍ୟା କରାଯାଇଥିଲା। ତେବେ ଏହି ହତ୍ୟାକାଣ୍ଡରେ ବୁର୍ଲା ଥାନା କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ବସନ୍ତ, ନରୋତ୍ତମ ଓ କିରଣ ଫେରାର୍‌ ଥିଲେ। ତେବେ ୨୦୦୬ ମସିହାରେ ସେମାନେ ବେଞ୍ଚ କ୍ଲର୍କ କଳିଙ୍ଗଙ୍କ ସହ ଘଟଣା ବିଷୟରେ ଆଲୋଚନା କରିଥିଲେ। କଳିଙ୍ଗ ତାଙ୍କୁ ଜାମିନ୍‌ କରାଇଦେବେ ବୋଲି କହିଥିଲେ ଏବଂ ଏ ବାବଦକୁ ୫୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। ଏଥିପାଇଁ କଳିଙ୍ଗ ବସନ୍ତଙ୍କଠାରୁ ଅଗ୍ରୀମ ୧୦ ହଜାର ଟଙ୍କା ନେଇଥିଲେ। ବସନ୍ତ, ନରୋତ୍ତମ ଏବଂ କିରଣ ସମ୍ବଲପୁର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହୋଇ ଉଚ୍ଚ ନ୍ୟାୟାଳୟର ଜାମିନ୍‌ ଆଦେଶ ଦେଖାଇ ଜାମିନ୍‌ରେ ଆସିଥିଲେ। ଆଉ ଜାମିନ୍‌ ପାଇବା ପରେ ବସନ୍ତ କଳିଙ୍ଗଙ୍କୁ ଅବଶିଷ୍ଟ ୪୦ ହଜାର ଟଙ୍କା ଦେଇଥିଲେ।

ହେଲେ ପରବର୍ତ୍ତୀ ସମୟରେ ଏହା ଏକ ଜାଲ୍‌ ଜାମିନ୍‌ ଆଦେଶ ବୋଲି ଜଣାପଡ଼ିବା ପରେ ଘଟଣାର ତଦନ୍ତ ପାଇଁ ଉଚ୍ଚ ନ୍ୟାୟାଳୟ ସିବିଆଇକୁ ତଦନ୍ତ ନିର୍ଦେଶ ଦେଇଥିଲେ। ସିବିଆଇ ପକ୍ଷରୁ ବସନ୍ତ, ନାରାୟଣ, କିରଣ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୧୨୦(ବି), ୪୨୦, ୪୬୭, ୪୬୮ ଏବଂ ୪୭୧ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ତଦନ୍ତରୁ ଜଣା ପଡ଼ିଥିଲା ଯେ, କଳିଙ୍ଗ ଉଚ୍ଚ ନ୍ୟାୟାଳୟ ଜାମିନ ଆଦେଶର ଏକ ଜାଲିଆତି କରି ବସନ୍ତଙ୍କୁ ଦେଇଥିଲେ। ଏହାପରେ ସିବିଆଇ ପକ୍ଷରୁ କଳିଙ୍ଗ ବିରୋଧରେ ସିବିଆଇ କୋର୍ଟରେ ଅଭିଯୋଗ ଫର୍ଦ ଦାଖଲ ହୋଇଥିଲା। ଦୀର୍ଘଦିନ ବିଚାର ପରେ ଆଜି ମାନ୍ୟବର ଅଦାଲତ କଳିଙ୍ଗଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ ତଥା ସ୍ୱତନ୍ତ୍ର ସିବିଆଇ ଓକିଲ ମହମ୍ମଦ ଜିଆଉଲ୍‌ ହକ୍‌ ଏହି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର