ବିହାର ସେଲ୍‌ଟର ହୋମ୍‌ ଦୁଷ୍କର୍ମ ମାମଲାରେ ସ୍ୱାମୀଙ୍କ ସହ ବନ୍ଧା ହେଲେ ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମା

ପାଟ୍‌ନା: ସେଲ୍‌ଟର ହୋମ୍‌ ଦୁଷ୍କର୍ମ ମାମଲାରେ ବିହାର ପୁଲିସ୍‌ ରବିବାର ପୂର୍ବତନ ସାମାଜ କଲ୍ୟାଣ ମନ୍ତ୍ରୀ ମଞ୍ଜୁ ବର୍ମା ଏବଂ ତାଙ୍କ ସ୍ୱାମୀ ଚନ୍ଦନେଶ୍ୱର ବର୍ମାଙ୍କୁ ଗିରଫ କରିଛି। ଅଗଷ୍ଟ ୧୭ ତାରିଖରେ ବେଗୁସରାଇ ଜିଲ୍ଳାରେ ଥିବା ତାଙ୍କ ବାସଭବନରେ ଚଢ଼ଉ କରି ସିବିଆଇ ୪୦ଟି ଗୁଳି(କ୍ୟାଟ୍ରିଜ୍‌) ଜବତ କରିଛି। ମୁଜାଫର୍‌ ନଗର ସେଲ୍‌ଟର ହୋମ୍‌ ଦୁଷ୍କର୍ମ ମାମଲାରେ ସଂପୃକ୍ତି ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ବେଗୁରସରାଇର ସୁପରିଟେଣ୍ଡେଣ୍ଟ ଆଦିତ୍ୟ କୁମାରଙ୍କ କହିବା ମୁତାବକ, କେତେକ ଗୁଳି ଏସ୍‌ଏଲ୍‌ଆର୍‌ରୁ ଜବତ ହୋଇଥିବା ବେଳେ ଆଉ କିଛି ଗୁଳି ୩୨ କ୍ୟାଲିବର୍‌ରୁ ବାହାରିଛି। ସିବିଆଇ ପକ୍ଷରୁ ସୂଚନା ରିପୋର୍ଟ ଦାଖଲ ହେବା ପରେ ଏହି ଅଭିଯୁକ୍ତ ଦମ୍ପତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଗୁଳିର ଉତ୍ସ ଖୋଜିବା ସହ ପୁଲିସ୍‌ ଅଭିଯୁକ୍ତ ଦମ୍ପତିଙ୍କୁ ପଚରାଉଚରା କରିବ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଦେଶର କୌଣସି ଅଣସୈନିକଙ୍କର ସେଲ୍‌ଫ୍‌ ଲୋଡିଂ ରାଇଫଲ୍‌(ଏସ୍‌ଏଲ୍‌ଆର୍‌) ରଖିବାର ଅଧିକାର ନାହିଁ।

ଶୁକ୍ରବାର ସିବିଆଇ ବର୍ମର୍ାଙ୍କ ଘର ଓ ଅଫିସ୍‌ ଆଦି ମିଶାଇ ୧୨ଟି ସ୍ଥାନରେ ଚଢ଼ଉ କରିଥିଲା। ଏହା ସହ ଅଭିଯୁକ୍ତ ଦମ୍ପତିଙ୍କୁ ଦୀର୍ଘ ୬ ଘଣ୍ଟା ଧରି ତାଙ୍କର ପାଟ୍‌ନାସ୍ଥିତ ବାସଭବନରେ ପଚରାଉଚରା କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ସେଲ୍‌ଟର ହୋମ୍‌ ଦୁଷ୍କର୍ମ ମାମଲାରେ ମଞ୍ଜୁ ବର୍ମାଙ୍କ ସ୍ୱାମୀଙ୍କର ସଂପୃକ୍ତି ଥିବା ଅଭିଯୋଗରେ ଅଗଷ୍ଟ ୮ ତାରିଖରେ ସେ ପଦବୀରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ଅଭିଯୋଗ ହୋଇଥିଲା ଯେ ତାଙ୍କ ସ୍ୱାମୀ ନିୟମିତ ଭାବେ ସେଲ୍‌ଟର୍‌ ହୋମ୍‌କୁ ଯିବାଆସିବା କରୁଥିଲେ।

ପଚରାଉଚରା ସମୟରେ ସିବିଆଇ ତାଙ୍କ ସ୍ୱାମୀଙ୍କର ସେଲ୍‌ଟର ହୋମ୍‌ ଦୁଷ୍କର୍ମ ମାମଲାର ମାଷ୍ଟର୍‌ ମାଇଣ୍ଡ୍‌ ବ୍ରଜେଶ ଠାକୁର ସହ ସଂପୃକ୍ତିକୁ ସନ୍ଦେହ କରି ଅନେକ ପ୍ରଶ୍ନ ପଚାରିଥିଲା। କଲ୍‌ ଡିଟେଲ୍‌ସରୁ ଜାଣିବାକୁ ମିଳିଛି ଯେ ଚଳିତବର୍ଷ ଜାନୁଆରିରୁ ମେ ଭିତରେ ଚନ୍ଦନେଶ୍ୱର ଓ ବ୍ରଜେଶ ଠାକୁର ୧୭ ଥର ଫୋନ୍‌ ଯୋଗେ କଥା ହୋଇଛନ୍ତି।

ସମ୍ବନ୍ଧିତ ଖବର