ନୂଆଦିଲ୍ଲୀ: ମୃତ୍ୟୁ ହୋଇଯାଇଛି ବୋଲି ମିଛରେ ପ୍ରଘଟ କରାଇ ଛଦ୍ମ ପରିଚୟରେ ବାସ କରୁଥିବା ନୌସେନାର ଜଣେ ପୂର୍ବତନ କର୍ମଚାରୀ ୨୦ ବର୍ଷ ପରେ ଧରାପଡ଼ିଥିବା କଥା ପୁଲିସ କହିଛି।

Advertisment

ପ୍ରାୟ ୨୦ ବର୍ଷ ପୂର୍ବେ ସେ ଜଣେ ବ୍ୟକ୍ତିଙ୍କ ତଣ୍ଟିଚିପି ହତ୍ୟା କରିଥିଲେ ଓ ୨ଜଣଙ୍କୁ ପୋଡ଼ି ପକାଇଥିଲେ ବୋଲି ଅଭିଯୋଗ ହୋଇଥିଲା।

ସମ୍ପ୍ରତି ୬୦ ବର୍ଷରେ ପଦାର୍ପଣ କରିଥିବା ବାଳେଶ କୁମାର ନାମକ ସେ ପୂର୍ବତନ ନୌସେନା କର୍ମଚାରୀ ନଜାଫଗଡ଼ରେ ବାସ କରୁଥିଲେ। ଦିଲ୍ଲୀର ବାୱନା କଲୋନିରେ ୨୦୦୪ରେ ହୋଇଥିବା ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ବା‌ଳେଶଙ୍କ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିବା ପରେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଛି। ବାୱନା କଲୋନି ଓ ନଜାଫଗଡ଼ ମଧ୍ୟରେ ଦୂରତ୍ବ ପ୍ରାୟ ୩୦ କିଲୋମିଟର୍‌।

ଦିଲ୍ଲୀ ପୁଲିସ ଅପରାଧିକ ଶାଖାର ପଦସ୍ଥ ଅଧିକାରୀ ରବୀନ୍ଦ୍ର ଯାଦବ କହିଛନ୍ତି, ଅମନ ସିଂହ ବୋଲି ପରିଚୟ ଦେଇ ବାଳେଶ କୁମାର ସେଠାରେ ଜମିବାଡ଼ି କିଣାବିକା ବ୍ୟବସାୟ କରୁଥିଲେ।

ବାଳେଶ କୁମାରଙ୍କୁ ଗିରଫ କରାଯିବା ପରେ ଜଣାପଡ଼ିଲା ଯେ, ସେ ହେଉଛନ୍ତି ହରିୟାଣାର ମୂଳ ବାସିନ୍ଦା। ମାତ୍ର ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ୧୯୮୧ରେ ‌ନୌସେନାରେ ଯୋଗ ଦେଇ ୧୯୯୬ରେ ଅବସର ଗ୍ରହଣ କରିଥିଲେ। ତା’ପରେ ପରିବହନ ବ୍ୟବସାୟ ଆରମ୍ଭ କରି ସପରିବାର ଦିଲ୍ଲୀର ଉତ୍ତମ ନଗରରେ ବାସ କଲେ।

publive-image Image Courtesy of Times of India

ପୁଲିସକୁ ବାଳେଶ କୁମାର କହିଛନ୍ତି ଯେ, ୨୦୦୪ରେ ସେ ଓ ତାଙ୍କ ଭାଇ ସୁନ୍ଦର ଲାଲ୍‌ ଦିଲ୍ଲୀର ସମୟପୁର ବଦ୍‌ଲିରେ ରାଜେଶ ନାମକ ଜଣେ ବ୍ୟକ୍ତିଙ୍କ ତଣ୍ଟିଚିପି ହତ୍ୟା କରିଥିଲେ। ସେ ଦିନ ସେମାନେ ନିଶାସକ୍ତ ଥିଲେ। ବାଳେଶ କୁମାର ଓ ରାଜଶେଙ୍କ ସ୍ତ୍ରୀ ମଧ୍ୟରେ ପରକୀୟା ପ୍ରୀତି ଥିବା କଥାକୁ କେନ୍ଦ୍ର କରି ୩ଜଣଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡରୁ ଧସ୍ତାଧସ୍ତି ହେଲା। ବାଳେଶ କୁମାର ଓ ତାଙ୍କ ଭାଇ ସୁନ୍ଦର ଲାଲ୍‌ ରାଜେଶଙ୍କ ତଣ୍ଟି ଚିପି ମାରିପକାଇଲେ।

ତା’ପରେ ଖସି ପଳାଇବା ପାଇଁ ବାଳେଶ କୁମାର ଯୋଜନା କଲେ। ଯୋଜନା ମୁତାବକ ସେ ଦିଲ୍ଲୀର ସମୟପୁର ବଦ୍‌ଲିରୁ ମନୋଜ ଓ ମୁକେଶ ନାମକ ଦୁଇ ବିହାରୀ ଶ୍ରମିକଙ୍କୁ ଆଣି ତାଙ୍କୁ କାମ ଦେବାକୁ ପ୍ରତିଶ୍ରୁତି ଦେଲେ। ତା’ପରେ ତିନିହେଁ ସୁନ୍ଦର ଲାଲ୍‌ଙ୍କ ଟ୍ରକ୍‌ରେ ରାଜସ୍ଥାନ ଅଭିମୁଖେ ଯାତ୍ରା କଲେ। ଯୋଧପୁରରେ ବାଳେଶ ଟ୍ରକ୍‌ରେ ନିଆଁ ଲଗାଇ ଦେଲେ। ସେତେବେଳେ ଶ୍ରମିକ ଦୁଇଜଣ ଟ୍ରକ୍‌ ଭିତରେ ଥିଲେ। ତା’ପରେ ସେ ଟ୍ରକ୍‌ ଭିତରେ ନିଜ କାଗଜପତ୍ର ରଖି ଦେଇ ଚାଲିଗଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚିଲା। ପୋଡ଼ିଯାଇଥିବା ଦୁଇଜଣ ଶ୍ରମିକଙ୍କ ଶବରୁ ଗୋଟିଏ ବାଳେଶଙ୍କର ବୋଲି ଚିହ୍ନଟ ହେଲା। ଅନ୍ୟ ଶବଟିର ପରିଚୟ ମିଳିଲା ନାହିଁ।

ରାଜେଶଙ୍କ ହତ୍ୟା ମାମଲା ଅଦାଲତରେ ପଡ଼ିବାରୁ ପୁଲିସ କହିଲା, ସୁନ୍ଦର ଲାଲ୍‌ଙ୍କୁ ଗିରଫ କରାଯାଇଛି ଓ ବାଳେଶ କୁମାର ଟ୍ରକ୍‌ପୋଡ଼ିରେ ମୃତ୍ୟୁବରଣ କରିଛନ୍ତି।

ବାଳେଶଙ୍କ ସ୍ତ୍ରୀ ପେନ୍‌ସନ୍‌ ଓ ବୀମା ଅର୍ଥରାଶି ପାଇଲେ। ପୋଡ଼ିଯାଇଥିବା ଟ୍ରକ୍‌ର ବୀମା ଅର୍ଥ ମଧ୍ୟ ସେ ପାଇଲେ। ଏମିତି ବାଳେଶଙ୍କର ପୂର୍ବ ପରିଚୟ ଓ ଅପରାଧ ଲୋକଲୋଚନରୁ ଲୁଚିଗଲା।

ଏବେ ସଦ୍ୟତମ ତଥ୍ୟାବଳି ମିଳିବା ପରେ ଏବେ ଦିଲ୍ଲୀ ପୁଲିସ ‌ଟ୍ରକ୍‌ପୋଡ଼ି ଫାଇଲ୍‌ ଖୋଲିବା ପାଇଁ ଯୋଧପୁର ପୁଲିସକୁ କହିଛି।