ପ୍ରତିଶୋଧ ପରାୟଣ ହୋଇ ପ୍ରିନ୍‌ସିପାଲ୍‌ଙ୍କୁ ଗୁଳି ମାରିଲେ ସ୍କୁଲ୍‌ରୁ ବହିଷ୍କୃତ ଦଶମ ଶ୍ରେଣୀ ଛାତ୍ର

ବିଜ୍‌ନୋର୍‌: ଅନ୍ୟ ଛାତ୍ରମାନଙ୍କ ସହ ଉଗ୍ର ଆଚରଣ କରିବା ଅଭିଯୋଗରେ ସ୍କୁଲ୍‌ରୁ ବହିଷ୍କୃତ ହୋଇଥିବା ଜଣେ ଛାତ୍ର ବୁଧବାର ଦିନ ଏକ ଦେଶୀ ପିସ୍ତଲରେ ପ୍ରିନ୍‌ସିପାଲ୍‌ଙ୍କୁ ଗୁଳି ମାରିଛି। ବାମ କାନ୍ଧରେ ଗୁଳି ମାଡ଼ ଖାଇଥିବା ପ୍ରିନ୍‌ସିପାଲ୍‌ଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଥିଲେ ବି, ସେ ଫେରାର୍‌ ହୋଇ ଯାଇଛି।

ପୁଲିସ କହିବା ଅନୁସାରେ, ସାୟୋରା ଥାନା ଅଧୀନ ନାରାଓ୍ଵାଲି ଗାଁ’ର ୧୭ ବର୍ଷିୟ ଦୀପାଂଶୁ କୁମାର ୧୫ ଦିନ ତଳେ ସାୟୋରାର ରୂପପୁର ଗାଁରେ ଥିବା ଶ୍ରୀ ସାଇ ଇଣ୍ଟର୍‌ କଲେଜ୍‌ରେ ନାଁ ଲେଖାଇ ଥିଲା। ପ୍ରିୟଙ୍କା ସ୍କୁଲ୍‌ରେ ପଢୁଥିବା ସମୟରେ ତା’ର କିଛି ସହପାଠୀଙ୍କ ସହ ବିବାଦ ହୋଇଥିଲା। ଦଷ୍ଟ ସ୍ୱଭାବର ହୋଇଥିବାରୁ ସେ ସହପାଠୀଙ୍କୁ ମାରଧର କରୁଥିଲା। ଗତବର୍ଷ ସେ ୧୦ମ ପରୀକ୍ଷାରେ ଅକୃତକାର୍ଯ୍ୟ ମଧ୍ୟ ହୋଇଥିଲା।

ପରେ ସ୍କୁଲ୍‌ ମ୍ୟାନେଜ୍‌ମେଣ୍ଟ୍‌ ତାକୁ ସସ୍‌ପେଣ୍ଡ୍‌ କରି ଦେବାରୁ ସେ ରୂପପୁର ଗାଁ’ରେ ନାଁ ଲେଖାଇଥିଲା। ସେଠାରେ ମଧ୍ୟ ସେ ସହପାଠୀଙ୍କୁ ମାରଧର କଲା। ଅଗଷ୍ଟ ୨୫ ତାରିଖ ଦିନ ଜଣେ ଛାତ୍ରକୁ ମାରିବାରୁ ପ୍ରିନ୍‌ସିପାଲ୍‌ ସଞ୍ଜୀବ କୁମାର କଲେଜ୍‌ ମ୍ୟାନେଜ୍‌ମେଣ୍ଟ୍‌ ସହ ପରାମର୍ଶ କରି ଓ ତା’ର ମାଆଙ୍କୁ ଜଣାଇବା ପରେ ତାକୁ ବହିଷ୍କାର କରିଥିଲେ।

ବୁଧବାର ଦିବା ୧୧ଟା ବେଳେ ଦୀପାଂଶୁ ମାଆଙ୍କ ଶିକ୍ଷାନୁଷ୍ଠାନରେ ପହଞ୍ଚି ପ୍ରିନ୍‌ସିପାଲ୍‌ଙ୍କ ସହ କଥାବର୍ତ୍ତା କରିଥିଲା କିନ୍ତୁ, ଉଗ୍ର ଆଚରଣ ଯୋଗୁଁ ସ୍କୁଲ୍‌ରେ ରଖିବାକୁ ସେ ମନା କରିଦେଇଥିଲେ। ଉଭୟ ମାଅ ଓ ପୁଅ ଘରକୁ ଫେରିଯାଇଥିଲେ। ମାଆଙ୍କୁ ଘରେ ଛାଡ଼ି ଦୀପାଂଶୁ ଗୋଟାଏ ଦେଶୀ ପିସ୍ତଲ୍‌ ନେଇ ପ୍ରିନ୍‌ସିପାଲ୍‌ଙ୍କୁ ଗଳି ମାରି ସେଠାରୁ ଖସି ଯାଇଥିଲା।

ସ୍କୁଲ୍‌ କର୍ମଚାରୀମାନେ ପୁଲିସକୁ ଜଣାଇବା ପରେ ପ୍ରିନ୍‌ସିପାଲ୍‌ଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତାଙ୍କର ଅବସ୍ଥା ଏବେ ସ୍ୱାଭାବିକ ଅଛି।

ସମ୍ବନ୍ଧିତ ଖବର