ଖଣ୍ଡଗିରି:କିଛି ଦିନର ନିରବତା ପରେ ପୁଣି ପାତ୍ରପଡ଼ାରେ ବନ୍ଧୁକ ଗର୍ଜିଛି। ଶୁକ୍ରାବର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ଗୁଳି ମାଡ଼ କରି ଫେରାର୍ ହୋଇଯାଇଛନ୍ତି। ଗୁଳିମାଡ଼ରେ ଗୁରୁତର ଯୁବକ ହେଲେ ସଚିତ୍ର ଇନ୍ଦ୍ରଜିତ୍ ଓରଫ୍ ଟୁକୁସା(୪୨)। ଦୁର୍ବୃତ୍ତମାନେ ୪ ରାଉଣ୍ଡ ଗୁଳିମାଡ଼ କରିଥିବାବେଳେ ଟୁକୁସାଙ୍କ ବାମ ଜଙ୍ଘରେ ୨ଟି ଗୁଳି ବାଜିଛି। ଗୋଟିଏ ଗୁଳି ଜଙ୍ଘରେ ପଶି ବାହାରି ଯାଇଥିବାବେଳେ ଅନ୍ୟଟି ଭିତରେ ରହି ଯାଇଥିଲା। ତେବେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଅପରେସନ୍ କରି ଗୁଳି ବାହାର କରାଯିବା ପରେ ଏବେ ଟୁକୁସାଙ୍କ ଅବସ୍ଥା ବିପଦମୁକ୍ତ ଥିବା ଜଣାପଡ଼ିଛି। ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ ବି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହା ଘଟିଛି ବୋଲି ଅଭିଯୋଗ ହୋଇଛି। ଟୁକୁସାଙ୍କ ପରିବାର ପକ୍ଷରୁ ଏହାକୁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କୁହାଯାଇଛି। ସୁପାରି କିଲରଙ୍କ ଦ୍ୱାରା ଏଭଳି କାଣ୍ଡ କରାଯାଇଛି ବୋଲି ଟୁକୁସାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଅଭିଯୁକ୍ତମାନଙ୍କ ଟେର୍ ମିଳିନଥିଲେ ମଧ୍ୟ ବିଭିନ୍ନ ଦିଗକୁ ନେଇ ତମାଣ୍ଡୋ ଥାନା ପୁଲିସ ଘଟଣାର ଛାନ୍ଭିନ୍ ଜାରି ରଖିଥିବା ସୂଚନା ଦେଇଛି।
ସୂଚନାନୁସାରେ ଶୁକ୍ରବାର ଗାଁରେ ଜଣେ ବ୍ୟକ୍ତିଙ୍କ ପୁଅର ଜନ୍ମଦିନ ଭୋଜିଥିଲା। ଭୋଜି ଖିଆ ସରୁ ସରୁ ରାତି ପ୍ରାୟ ସାଢ଼େ ୧ଟା ହୋଇଯାଇଥିଲା। ଭୋଜି ଖାଇ ସାରି ତାଙ୍କ ଦାଦା ଟୁକୁସା ଓ ସୂର୍ଯ୍ୟକାନ୍ତ ସ୍ୱାଇଁ ନାମକ ଅନ୍ୟ ଜଣେ ଯୁବକ ସାଙ୍ଗ ହୋଇ ୧୬ ନମ୍ବର ଜାତୀୟ ରାଜପଥ ଏମ୍ଆଇଜି କଲୋନି ଛକକୁ ଆସିଥିଲେ। ଟୁକୁସା ଏକ ଲସି ଦୋକାନ କରିବାକୁ ପ୍ରସ୍ତୁତି ଚଳାଇଥିବାରୁ ଦୋକାନ କାମ ତଦାରଖ କରିବାକୁ ଆସିଥିଲେ। ସେମାନେ ଏନ୍ଏଚ୍ ପାର୍ଶ୍ୱରେ ଅପେକ୍ଷା କରିଥିବାବେଳେ ଭୁବନେଶ୍ୱରରୁ ଖୋର୍ଧା ଦିଗରେ ଯାଉଥିବା ଏକ ବଲେରୋ ଗାଡ଼ି ସେଠାରେ ପହଞ୍ଚିଥିଲା। ବଲେରୋଟି କିଛି ଦୁର ଆଗକୁ ଯାଇ ଅଟକି ଥିଲା ଓ ଭିତରୁ ୨ ଜଣ ଯୁବକ ଓହ୍ଲାଇ ଟୁକୁସା ଓ ସୂର୍ଯ୍ୟକାନ୍ତଙ୍କ ନିକଟକୁ ଚାଲି ଚାଲି ଆସିଥିଲେ। ପାଖରେ ପହଞ୍ଚିବା ମାତ୍ରେ ଦୁଇ ଜଣ ଯାକ ହଠାତ୍ ଦୁଇଟି ମାଉଜର୍ ବାହାର କରି ସେମାନଙ୍କୁ ଦେଖାଇବା ସହ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ। ଜଣେ ଦୁର୍ବୃତ୍ତ ସୂର୍ଯ୍ୟକାନ୍ତଙ୍କୁ ଆଣ୍ଠେଇବାକୁ ନିର୍ଦେଶ ଦେବାରୁ ସେ ରାସ୍ତା ଉପରେ ଆଣ୍ଠୁ ମାଡ଼ି ବସିଥିଲେ। ମାତ୍ର ସାହାସ ଜୁଟାଇ ଦୁର୍ବୃତ୍ତମାନଙ୍କୁ ପ୍ରତିବାଦ କରିଥିଲେ ଟୁକୁସା। ଏମିତିକି ମାଉଜରକୁ ଡରି ନଯାଇ ସେ ଜଣେ ଦୁର୍ବୃତ୍ତକୁ କାବୁ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଦୁର୍ବୃତ୍ତ ଜଣଙ୍କ ଧାଏଁ ଧାଏଁ ୪ ରାଉଣ୍ଡ ଗୁଳି ଚଳାଇ ଦେଇଥିଲା। ୨ଟି ଗୁଳି ଫାଙ୍କାରେ ଚାଲି ଯାଇଥିଲା। ଗୋଟିଏ ଗୁଳି ଟୁକୁସାଙ୍କ ଜଙ୍ଘରେ ଗଳି ବାହାରି ଯାଇଥିଲା ଓ ଅନ୍ୟଟି ଭିତରେ ରହି ଯାଇଥିଲା। ଏହା ପରେ ଦୁର୍ବୃତ୍ତମାନେ ବଲେରୋ ଯୋଗେ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିଲେ। ଖବର ପାଇ ପାତ୍ରପଡ଼ାରୁ ବହୁ ଯୁବକ ଘଟଣାସ୍ଥଳକୁ ଛୁଟି ଆସିଥିଲେ ଓ ତୁରନ୍ତ ଟୁକୁସାଙ୍କୁ ଏମ୍ସରେ ଭର୍ତି କରାଯାଇଥିଲା। ପରେ ତମାଣ୍ଡୋ, ଖଣ୍ଡଗିରି ଥାନା ସହ କମିସନରେଟ୍ ପୁଲିସର ବହୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଥିଲେ। ପୁଲିସ ଘଟଣାସ୍ଥଳରୁ ୪ଟି ଖୋକା ଜବତ କରିଛି। ଏଗୁଡ଼ିକ ୯ ଏମ୍ଏମ୍ ପିସ୍ତଲରେ ବ୍ୟବହୃତ ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନଙ୍କୁ ଠାବ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଲାଗି ପଡ଼ିଥିଲେ ବି ସେମାନଙ୍କ ପତ୍ତା ମିଳିନାହିଁ।
ପରିବାର ଲୋକଙ୍କ ସନ୍ଦେହ ସୁପାରି
ଟୁକୁସାଙ୍କ ପୁତୁରା ରଶ୍ମିରଂଜନ ପାଟ୍ଟଶାଣୀଙ୍କ ଅଭିଯୋଗ ଅନୁସାରେ ଏହି ଗୁଳିକାଣ୍ଡ ପଛରେ ସୁପାରି କିଲରଙ୍କୁ ନିୟୋଜିତ କରାଯାଇଥିବା ସେ ସନ୍ଦେହ କରୁଛନ୍ତି। ଦୁର୍ବୃତ୍ତମାନଙ୍କୁ ଉଭୟ ସୂର୍ଯ୍ୟକାନ୍ତ ଓ ଟୁକୁସା ଚିହ୍ନି ପାରିନାହାନ୍ତି। କାରଣ ଦୁଇ ଜଣଯାକ ଦୁର୍ବୃତ୍ତ ସେମାନଙ୍କ ପାଇଁ ପୂରା ଅଜଣା। ବିନା କାରଣରେ ସେମାନେ ଆସି କେବଳ ଟୁକୁସାଙ୍କୁ ଗୁଳି କରିଥିବାରୁ ଏଭଳି ସନ୍ଦେହ କରାଯାଉଛି। ୨୦୧୬ ମସିହା ଜୁନ୍ ୨୧ରେ ଘଟିଥିବା ଦିଲ୍ଲୀପ ନାଏକ ହତ୍ୟାକାଣ୍ଡରେ ଟୁକୁସା ଜଣେ ସାକ୍ଷୀ ଥିବାରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ପ୍ରତିପକ୍ଷ ଏଭଳି ପଦକ୍ଷେପ ନେଇଛି। ଦିଲ୍ଲୀପ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜୁ ବାରିକ ଜେଲ୍ରେ ଥାଇ ଏହି ଷଡ଼ଯନ୍ତ୍ର ରଚନା କରିଛି ଓ ରାଜୁର ସହଯୋଗୀ ସାମନ୍ତରାୟ ଗୋଷ୍ଠୀ ଏହି କାଣ୍ଡରେ ସମ୍ପୃକ୍ତ ଅଛନ୍ତି ବୋଲି ରଶ୍ମିରଂଜନ ଅଭିଯୋଗ କରିଛନ୍ତି।
କାରଣ ଅସ୍ପଷ୍ଟ, ପୁଲିସର ମୁଣ୍ଡବିନ୍ଧା
ଦିଲ୍ଲୀପ ନାଏକ ହତ୍ୟାକାଣ୍ଡ ପରଠାରୁ ପାତ୍ରପଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗିଛି ଛକାପଞ୍ଝା। କେତେବେଳେ ସାମନ୍ତରାୟ ଗୋଷ୍ଠୀ ଉପରେ ଆକ୍ରମଣ ହେଉଛି ତ କେତେବେଳେ ପାଟ୍ଟଶାଣୀ ଗୋଷ୍ଠୀ ଉପରେ ଆକ୍ରମଣ ହେଉଛି। ଏକଦା ସାମନ୍ତରାୟ ଗୋଷ୍ଠୀର ଦୁଇ ଭାଇ ଅଭୟ ଓ ଅରୁଣଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ଏହି ମାମଲାରେ ରଶ୍ମିରଂଜନଙ୍କ ଗୋଷ୍ଠୀର କିଛି ଯୁବକ ଗିରଫ ହୋଇଥିଲେ। ସେହିଭଳି ରଶ୍ମିରଂଜନଙ୍କ କାର୍ଯ୍ୟାଳୟ ଉପରକୁ ୨/୩ଥର ବୋମା ମାଡ଼ କରାଯାଇଥିବା ଭଳି ଘଟଣା ମଧ୍ୟ ଘଟିଛି। ତେଣୁ ଗତକାଲିର କାଣ୍ଡ ପଛରେ ଏଭଳି କିଛି କାରଣ ଥାଇ ପାରେ ବୋଲି ସନ୍ଦେହ କରାଯିବା ସ୍ୱାଭାବିକ। ଏଥିସହିତ ଜଣଙ୍କୁ ଆଣ୍ଠୁଆ ବସାଇ ଅନ୍ୟ ଜଣଙ୍କୁ ଗୁଳି ମାଡ଼ କରାଯାଇଥିବାରୁ ଗୋଷ୍ଠୀ ବିବାଦ ବା ପୂର୍ବଶତ୍ରୁତା ଏହା ପଛର କାରଣ ବୋଲି ଜଳଜଳ ଦିଶୁଥିବା କୁହାଯାଉଛି। ମାତ୍ର ଟୁକୁସା ଓ ସୂର୍ଯ୍ୟକାନ୍ତଙ୍କୁ ଅଧିକ ପଚରାଉଚରା କରାଯିବା ସହ ଅନ୍ୟ ଦିଗକୁ ମଧ୍ୟ ଗୁରୁତ୍ୱର ସହ ଦେଖୁଛି ବୋଲି ସୂଚନା ମିଳିଛି।