ବାଲିଅନ୍ତା: ପୁଣି ମାତିଲେଣି ଲୁଟେରା। ରାଜଧାନୀ ଉପକଣ୍ଠ ବାଲିଅନ୍ତା ଓ କଟକ ସଦର ଥାନା ସୀମାନ୍ତ ରାମଚନ୍ଦ୍ରପୁର-କୁରାଙ୍ଗ ମୁଖ୍ୟରାସ୍ତାର ଦୁଦୁରାବସ୍ତ ମହାବୀର ବଜାରରେ ଏକ ଲୁଟେରା ଗ୍ୟାଙ୍ଗ୍‌ ଆଜି ଦିନ ଦ୍ୱିପ୍ରହରରେ ଆତଙ୍କ ଖେଳାଇଥିଲେ। ଛଅଜଣ ଦୁର୍ବୃତ୍ତ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଜଣେ ବ୍ୟବସାୟୀଙ୍କ ନିକଟରୁ ୧ ଲକ୍ଷ ୨୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ବ୍ୟବସାୟୀ ଜଣକ ହେଲେ, ବାଲିଅନ୍ତା ଥାନା ଅଧୀନ ଗଡ଼ ଭିଙ୍ଗାରପୁର ଗ୍ରାମର ପ୍ରତାପ କୁମାର ଜେନାଙ୍କ ପୁଅ ଅସିତ୍‌ କୁମାର ଜେନା (୨୪)। ତେବେ ଏହି ଗୁଳି ଚାଳନାରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ଖବର ପାଇ ଦୁଇ ଥାନାର ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଚଳାଇଛନ୍ତି। ଘଟଣାସ୍ଥଳରୁ ପୁଲିସ ଦୁଇଟି ଖୋକା ଜବତ କରିଛି। ବିଳମ୍ବିତ ରାତି ସୁଦ୍ଧା ଏହି ଗ୍ୟାଙ୍ଗକୁ ଠାବ କରିବାରେ ପୁଲିସ ସଫଳ ହୋଇପାରିନି। ଅସିତ୍‌ଙ୍କ ଅଭିଯୋଗକୁ ଆଧାର କରି କଟକ ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବାଲିଅନ୍ତା ଥାନାର ଜଣେ ପୁଲିସ ଅଧିକାରୀ କହିଛନ୍ତି। ଦୁଇଟି ବାଇକ୍‌ରେ ଆସିଥିବା ୬ଜଣ ଯୁବକଙ୍କ ମଧ୍ୟରୁ ଏକାଧିକ କଟକ ସଦର ଥାନା ଅଧୀନ ସ୍ଥାନୀୟ କୁରାଙ୍ଗ ପଞ୍ଚାୟତ ଅଞ୍ଚଳର ବୋଲି ପୁଲିସ ଜାଣିବାକୁ ପାଇଛି। ମୁହଁରେ କପଡ଼ା ଗୁଡ଼ାଇ ହାତରେ ମାରଣାସ୍ତ୍ର ଧରି ସମସ୍ତେ ମହାବୀର ବଜାରରେ ଅଧଘଣ୍ଟାଏ ଆତଙ୍କ ଖେଳାଇଥିଲେ। କଟକ ଯିବା ପାଇଁ ବାଇକ୍‌ ନିକଟକୁ ଯାଉଥିବା ଅସିତ୍‌ଙ୍କୁ ସେମାନେ ଘେରି ଯାଇଥିଲେ। ତାଙ୍କ ବେକରେ ଚାପଡ଼ ଲଗାଇ ଭୟଭୀତ କରାଇବା ସହ ହାତରୁ ଟଙ୍କା ଭର୍ତି ବ୍ୟାଗ୍‌ଟିକୁ ଝାମ୍ପି ନେଇଥିଲେ। ଅସିତ୍‌ ଚିତ୍କାର କରିବାରୁ ଉପସ୍ଥିତ ବ୍ୟବସାୟୀ ଓ ଲୋକମାନେ ସେଠାକୁ ମାଡ଼ି ଆସି ଡକାୟତମାନଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ। ହେଲେ ଦୁଇରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ସେଠାରୁ ଖସି ଯାଇଥିଲେ।

Advertisment

ପୁଲିସ ସୂଚନାନୁଯାୟୀ, ଅସିତ୍‌ଙ୍କର ମହାବୀର ବଜାରରେ ଜେନା ଟ୍ରେଡିଂ ଆଣ୍ଡ କୋ ନାମରେ ଏକ ଲୁହା ଓ ଗ୍ୟାସ୍‌ ଓଲ୍ଡିଂ ଦୋକାନ ରହିଛି। ଆଜି ସକାଳ ପାଖାପାଖି ୧୧ଟାରେ ସେ ବିଭିନ୍ନ ସାମଗ୍ରୀ କିଣାକିଣି କରିବା ପାଇଁ କଟକ ଡିପୋକୁ ବାହାରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ, ଠିକ୍‌ ଏତିକିବେଳେ ଏହି ଡକାୟତ ଗ୍ୟାଙ୍ଗ ସେଠାରେ ପହଞ୍ଚି ଆତଙ୍କ ଚଳାଇ ଅସିତ୍‌ଙ୍କଠାରୁ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ। ଗୁଳି ଫୁଟିବା ଶବ୍ଦ ଶୁଣି ପାଖ ଦୋକାନୀ ଓ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡ଼ିଥିଲେ। ଖବର ପାଇ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ, ବାଲିଅନ୍ତା ଥାନା ଅଧିକାରୀ ସୁଜିତ୍‌ ଦାସ ଓ କଟକ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଚଳାଇଛନ୍ତି। ଘଟଣା ଉପରେ ନଜର ରଖିବା ପାଇଁ ପିସିଆର ଭ୍ୟାନ୍‌ ବଜାରରେ ପଇଁତରା ମାରିବା ସହ ପୁଲିସ ମୁତୟନ ହୋଇଛି। ଅସିତ୍‌ଙ୍କ ସହ ଧସ୍ତାଧସ୍ତି ବେଳେ ଜଣଙ୍କର ମୁହଁରୁ କପଡ଼ା ଖସି ପଡ଼ିବାରୁ ସେ ଚିହ୍ନଟ ହୋଇ ସାରିଛି। ତେଣୁ ଗ୍ୟାଙ୍ଗକୁ ଗିରଫ କରିବା ସହଜ ହେବ ବୋଲି ବାଲିଅନ୍ତା ଥାନା ସୂତ୍ରରୁ ଜଣାପଡ଼ିଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଗ୍ୟାଙ୍ଗର କୌଣସି ସଦସ୍ୟଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇ ପାରିନଥିବା ଥାନା ସୂତ୍ରରୁ ଜଣାପଡ଼ିଛି। ଗୁଳିକାଣ୍ଡ ପରଠାରୁ ବ୍ୟବସାୟୀମାନେ ଦୋକାନ ବନ୍ଦ କରି ଦେଇଥିବାରୁ ବଜାର ପୂରା ଶୂନ୍‌ଶାନ ହୋଇଯାଇଛି।

୩ ମାସରେ ୫ ଲୁଟ୍‌
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ବଢ଼ି ଚାଲିଛି ଲୁଟେରାଙ୍କ ଆତଙ୍କ। ବିଶେଷକରି ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳରେ ଏବେ ଲୁଟେରାମାନେ ଆତଙ୍କ ଖେଳାଇବା ଆରମ୍ଭ କରିଛନ୍ତି। କିଛି ଦିନ ତଳେ ଜଣେ ମଦ ଦୋକାନ କର୍ମଚାରୀଙ୍କୁ ଗୁଳି ମାଡ଼ କରି ୬୦ ହଜାର ଟଙ୍କା ଲୁଟି ନେଇଥିଲେ। ଆଜି ପୁଣି ଥରେ ସମାନ ଢଙ୍ଗରେ ବାଲିଅନ୍ତା ଓ କଟକ ସଦର ଥାନା ସୀମାନ୍ତ ରାମଚନ୍ଦ୍ରପୁର-କୁରାଙ୍ଗ ମୁଖ୍ୟରାସ୍ତାର ଦୁଦୁରାବସ୍ତ ମହାବୀର ବଜାରରେ ଆତଙ୍କ ଖେଳାଇଥିଲା ଏକ ଲୁଟେରା ଗ୍ୟାଙ୍ଗ୍‌। ଛଅଜଣ ଦୁର୍ବୃତ୍ତ ଦୁଇରାଉଣ୍ଡ ଫାଙ୍କା ଗୁଳି କରି ଜଣେ ବ୍ୟବସାୟୀଙ୍କ ନିକଟରୁ ୧ ଲକ୍ଷ ୨୫ ହଜାର ଟଙ୍କା ଲୁଟି ନେଇଥିଲେ। କେବଳ ଆଜିର ଏହି ଗୋଟିଏ ଘଟଣା ନୁହେଁ, ୩ ମାସ ମଧ୍ୟରେ ଲୁଟେରାମାନେ ରାଜଧାନୀ ଉପକଣ୍ଠରେ ୫ଟି ଲୁଟ୍‌ପାଟ୍‌ କରିଛନ୍ତି।

ଜାନୁଆରି ୭: ଫାଇନାନ୍ସ କମ୍ପାନିରେ କାମ କରୁଥିବା ଜଣେ ଯୁବତୀ କାମ ସାରି ଘରକୁ ଫେରୁଥିଲେ। ସେ ଭୁବନେଶ୍ୱର-ବନମାଳିପୁର ମୁଖ୍ୟ ରାସ୍ତାରେ ଯାଉଥିବା ସମୟରେ ହଠାତ ଦୁଇଜଣ ଯୁବକ ଏକ ପଲସରରେ ଆସି ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲେ। ଯୁବତୀଜଣଙ୍କ ଆହତ ହୋଇ ତଳେ ପଡ଼ିଥିବାରୁ ଲୁଟେରାମାନେ ତାଙ୍କ ପାଖରେ ଥିବା ନଗଦ ୭୦ ହଜାର ଟଙ୍କା ଓ ସ୍କୁଟି ନେଇ ଚାଲି ଯାଇଥିଲେ।

ଫେବ୍ରୁଆରି ୧: ବାଲିଅନ୍ତା ଥାନା ଗୋପ ବ୍ରାଞ୍ଚ-ଆଣ୍ଠୁଆରି ମୁଖ୍ୟ ରାସ୍ତାରେ ଯାଉଥିବା ବେଳେ ୩ଜଣ ଯୁବକ ରାମଚନ୍ଦ୍ର ପଲେଇ ନାମକ ଜଣେ ଲୋକ ସଂପର୍କ ବିଭାଗ କର୍ମଚାରୀଙ୍କ ବେକରେ କଟୁରି ଲଗାଇ ନଗଦ ଆଠ ହଜାର ଟଙ୍କା, ମୋବାଇଲ ଫୋନ, ଏଟିଏମ କାର୍ଡ ଓ ଗାଡ଼ି ଲୁଟି ନେଇଥିଲେ।

ମାର୍ଚ୍ଚ ୬: ବାଲିଅନ୍ତା ଥାନା ଅଧୀନରେ ଥିବା ଅଲରାପୁର ସାଇଫନ ନିକଟରେ ପ୍ରସନ୍ନ ସାହୁ ଓ ପିଣ୍ଟୁ ବାରିକ ନାମକ ଦୁଇ ଯୁବକଙ୍କୁ ୩ଜଣ ଯୁବକ ଭୋର ୪ଟା ସମୟରେ ମାଡ଼ ମାରି ସେମାନଙ୍କ ବାଇକ୍‌ ଛଡ଼ାଇ ନେଇଥିଲେ। ଏନେଇ ସେମାନେ ବାଲିଅନ୍ତା ଥାନାରେ ଅଭିଯୋଗ କରିଥିଲେ।

ମାର୍ଚ ୩୦: ବାଲିଅନ୍ତା ନୂଆସାହିର ବ୍ରଜକିଶୋର ପରିଡ଼ା ନାମକ ଜଣେ ହୋଟେଲ ବ୍ୟବସାୟୀଙ୍କୁ କିଛି ଯୁବକ ଧଉଳି ଛକ ନିକଟରେ ଅଟକାଇ ତାଙ୍କ ନିକଟରୁ ତାଙ୍କ ମୋବାଇଲ, ୧୫୦୦ ଟଙ୍କା ଓ ବାଇକ୍‌ ଲୁଟି ନେଇଥିଲେ।