ଯୁବତୀମାନଙ୍କୁ ଆକର୍ଷିତ କରିବା ପାଇଁ ନକଲି ସେନା ଅଧିକାରୀ ସାଜିବା ସ୍କୁଲ ସୁରକ୍ଷାକର୍ମୀକୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ସେନା ଅଧିକାରୀ ବୋଲି ଦାବି କରୁଥିବା ଜଣେ ବ୍ୟକ୍ତିକୁ ଦକ୍ଷିଣ ଦିଲ୍ଲୀ ପୁଲିସ ଗିରଫ କରିଛି। ପଚରାଉଚରାରୁ ଜଣାପଡିଛି ଯେ ସେ ସୋସିଆଲ ମିଡିଆରେ ଯୁବତୀମାନଙ୍କୁ ଆକର୍ଷିତ କରିବା ପାଇଁ ଭାରତୀୟ ସେନାର କ୍ୟାପଟେନ ଶେଖର ଭାବରେ ପରିଚୟ ଦେଇଥିଲା।

ଦିଲୀପ କୁମାର ନାମକ ଏହି ବ୍ୟକ୍ତି ସେନା ଅଧିକାରୀ ବୋଲି ଦାବି କରୁଥିବା ବେଳେ ଗ୍ରେଟର କୌଳାଶରୁ ତାକୁ ପୁଲିସ ଗିରଫ କରିଥିଲା। ଦିଲୀପ ଠାରୁ ପୁଲିସ ଏକ ନକଲି ସେନା ପରିଚୟ ପତ୍ର, ୟୁନିଫର୍ମ ଏବଂ ମୋବାଇଲ୍ ଫୋନ୍ ଜବତ କରିଛି।

ଗ୍ରେଟର କୌଳାଶ ପୁଲିସ ଷ୍ଟେସନର ସବ୍-ଇନ୍ସପେକ୍ଟର ଧୀରଜ ଏହି ନକଲି ସେନା ଅଧିକାରୀ ଗ୍ରେଟର କୌଳାଶ ଅଞ୍ଚଳକୁ ଆସିଥିବା ସୂଚନା ପାଇଥିଲେ। ଏହାପରେ ଅଧିକାରୀମାନେ ଏସଏଚଓ ରିତେଶ ଶର୍ମାଙ୍କ ନେତୃତ୍ୱରେ ଦିଲୀପକୁ ଧରିବା ପାଇଁ ଜାଲ ପକାଇଥିଲେ। ଆଉ ଏହି ଜାଲରେ ଦିଲୀପ ଫସି ବି ଯାଇଥିଲା।

ପ୍ରକାଶିତ ରିପୋର୍ଟ ମୁ୍ତାବକ, ଦିଲୀପ କୁମାର ଉତ୍ତମନଗରର ଏକ ବିଦ୍ୟାଳୟରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରେ। ପଚରାଉଚରା ବେଳେ ସେ ପ୍ରକାଶ କରିଥିଲା କି, ସେ ଜଣେ ସେନା ଅଧିକାରୀ ବୋଲି ଦର୍ଶାଇ ସୋସିଆଲ ମିଡିଆରେ ଯୁବତୀମାନଙ୍କୁ ଆକର୍ଷିତ କରୁଥିଲା। ସୋସିଆଲ ମିଡିଆରେ ସେ ନିଜକୁ କ୍ୟାପଟେନ ଶେଖର ଭାବରେ ପରିଚୟ ଦେଇଥିଲା।

ତେବେ ଦିଲୀପର ପ୍ରୋଫାଇଲ୍ ଏତେ ଅବିକଳ ଥିଲା କି ସେ ନକଲି ସେନା ଅଧିକାରୀ ବୋଲି କେହି ଅନୁମାନ ବି କରି ପାରୁ ନଥିଲେ।

ପୁଲିସର ସୂଚନାନୁସାରେ, ଦିଲୀପ ଗ୍ରେଟର କୌଳାଶରେ ରହୁଥିବା ଜଣେ ଝିଅଙ୍କୁ ଭେଟିବା ପାଇଁ ଯାଇଥିଲା । ଯାହାକୁ ସେ ଡେଟ କରିବାକୁ କହିଥିଲା। ତେବେ ଦୀଲିପକୁ ବାସ୍ତବରେ ଅନେକ ସେନା ଅଧିକାରୀ ବୋଲି ଭାବି ନେଉଥିଲେ। ଦୀଲିପ ଆଇଏସଆଇ ଏଜେଣ୍ଟ ହନି-ଟ୍ରାପରେ ମଧ୍ୟ ଫସିଥିଲା। ତାର ମୋବାଇଲ୍ ଫୋନରେ ଅନେକ ପାକିସ୍ତାନୀ ନମ୍ବର ଥିବା ଦେଖିବାକୁ ମିଳିଛି।

ଗିରଫ ହୋଇଥିବା ନକଲି ସେନା କ୍ୟାପଟେନକୁ ପଚରାଉଚରା କରିବା ପାଇଁ ମିଲିଟାରୀ ଇଣ୍ଟେଲିଜେନ୍ସ ଅଫିସର, ସ୍ପେଶାଲ ସେଲ ଅଧିକାରୀ ଏବଂ ଆଇବି ଅଧିକାରୀ ଗ୍ରେଟର କୌଳାଶ ପୁଲିସ ଷ୍ଟେସନରେ ପହଞ୍ଚିଛନ୍ତି।

ଏଥିସହିତ ଦିଲୀପ ଫୋନ୍ ନମ୍ବର ୧୦୦ ରୁ ଅଧିକ ହ୍ବାଟସ ଆପ୍ ଗ୍ରୁପ୍ ସହିତ ଜଡିତ ଥିବା ପୁଲିସ ଜାଣିବାକୁ ପାଇଛି। ତାର ମୋବାଇଲରେ ଶହ ଶହ ବିଦେଶୀ ନମ୍ବର ମଧ୍ୟ ମିଳିଛି । ଏମାନଙ୍କ ସହ ସେ ହ୍ବାଟସ ଆପ ମାଧ୍ୟମରେ ଯୋଗାଯୋଗରେ ଥିଲା। ତାର ମୋବାଇଲ୍ ଯାଞ୍ଚ କରିବା ପରେ ଜଣାପଡିଛି ଯେ ଅଭିଯୁକ୍ତ ଅନ୍ତର୍ଜାତୀୟ ନମ୍ବରକୁ ଭିଡିଓ କଲ ମଧ୍ୟ କରିଛି। ଯେଉଁ ଅନ୍ତର୍ଜାତୀୟ ନମ୍ବରରେ ଅଭିଯୁକ୍ତ କଥା ହୋଇଥିଲା କିମ୍ବା ଯେଉଁ ଆନ୍ତର୍ଜାତୀୟ ନମ୍ବରରୁ କଲ ଆସିଥିଲା ତାହାକୁ ଯାଞ୍ଚ କରାଯାଉଛି।

ସମ୍ବନ୍ଧିତ ଖବର