ବିଏମ୍‌ସିର ଅଫିସର୍‌ ପରିଚୟ ଦେଇ ଲକ୍ଷେ ଟଙ୍କା ଠକେଇ

ଭୁବନେଶ୍ୱର : ଜଣେ ମହିଳା ନିଜକୁ ବିଏମସିର ଜଣେ ଅଫିସର କହି ପାଖାପାଖି ୨୦ ଜଣ ମହିଳାଙ୍କଠାରୁ ଏକ ଲକ୍ଷ ଟଙ୍କା ଠକି ନେଇଛି। ଠକେଇର ଶିକାର ହୋଇଥିବା ମହିଳାମାନେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଏମିତି ଏକ ଘଟଣା ଘଟିଛି ନୂଆପଲ୍ଲୀ ଥାନା ଅଧୀନରେ ଥବା ନୂଆସାହି ବସ୍ତିରେ।

ମିଳିଥିବା ସୂଚନାନୁଯାୟୀ ବସ୍ତିର ଜଣେ ମହିଳା ନିଜକୁ ବିଏମ୍‌ସିର ଅଫିସର୍‌ କହି ଦୁଇଟି ମହିଳା ସମିତିରୁ ପ୍ରାୟ ୭୦ ହଜାର ଟଙ୍କା ଓ ଜଣେ ମହିଳାଙ୍କଠାରୁ ୩୫ ହଜାର ଠକି ନେଇଥିଲେ। ଠକାମିର ଶିକାର ହୋଇଥିବା ମହିଳାଙ୍କ କହିବାନୁଯାୟୀ ଉକ୍ତ ମହିଳାଙ୍କ ବାପ ଘର ନୂଆସାହିରେ। ତେଣୁ ତାଙ୍କୁ ସମସ୍ତେ ଭଲ ଭାବେ ଚିହ୍ନିଥିଲେ। ତାଙ୍କା ବହାଘର ପରେ ତାଙ୍କର ବିଏମ୍‌ସିରେ ଚାକିରି ହୋଇଯାଇଛି ବୋଲି ଆସି ମିଛରେ ପ୍ରଚାର କରିଥିଲେ। ସାହିରେ ଥିବା ମା’ ମଙ୍ଗଳା ମହିଳା ସମିତି ଓ ଗାଦିବ୍ରହ୍ମ ମହିଳା ସମିତିର ମହିଳାମାନଙ୍କୁ ବିଏମ୍‌ସିରେ ଲୋନ୍‌ କରାଇଦେବେ କହି ପ୍ରାୟ ୭୦ ହଜାର ଟଙ୍କା ନେଇଥିଲେ। ଅପରପକ୍ଷେ ସେହି ସାହିର କବିତା ପଟ୍ଟନାୟକ ନାମକ ଜଣେ ମହିଳାଙ୍କୁ ଅଙ୍ଗନଓ୍ଵାଡ଼ିରେ ଚାକିରି କରାଇ ଦେବାକୁ କହି ତାଙ୍କଠାରୁ ୩୫ ହଜାର ଟଙ୍କା ନେଇଥିଲେ। ଟଙ୍କା ନେବାର କିଛି ଦିନ ପରେ ଆଉ ଧରା ଛୁଆଁ ଦେଇ ନ ଥିଲେ। ଏହାପରେ ମହିଳାମାନଙ୍କର ସନ୍ଦେହ ହୋଇଥିଲା ଏବଂ ସେମାନେ ଜାଣିବାକୁ ପାଇଥିିଲେ ମହିଳା ଜଣକ ସମସ୍ତଙ୍କୁ ଠକିଛନ୍ତି ବୋଲି। ଆଜି ପ୍ରାୟ ୨୦ରୁ ଅଧିକ ମହିଳା ନୂଆପଲ୍ଲୀ ଥାନରେ ପହଞ୍ଚି ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗକୁ ଗ୍ରହଣ କରି ଏକ ମମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର