ଭୁବନେଶ୍ବର: ସଂକଟ ସମୟରେ ସେବା ଯୋଗାଉଥିବା ଲୋକଙ୍କୁ ହଇରାଣ ହରକତ କରିବା ହୁଏତ ଆପଣ ଚିନ୍ତା ମଧ୍ୟ କରି ପାରିବେ ନାହିଁ । କିନ୍ତୁ ଏଭଳି ଘଟଣା ସାମ୍ନାକୁ ଆସିଛି । କରୋନା ସଂପର୍କରେ ସହାୟତା କରିବା ପାଇଁ ଓ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ରେଜିଷ୍ଟ୍ରେସନ ପାଇଁ ସରକାର ଖୋଲିଥିବା ହେଲ୍ପ ଲାଇନ୍ ନମ୍ବରକୁ ଆସୁଛି ପ୍ରେମ ନିବେଦନ କଲ । କରୋନା ଭୂତାଣୁକୁ ନେଇ ରାଜ୍ୟବାସୀ ଆତଙ୍କିତ ଥିବା ବେଳେ ଲୋକଙ୍କ ହିତ ପାଇଁ ଜାରି ହୋଇଥିବା ୧୦୪ ନମ୍ବରରେ ଏଭଳି ଫୋନ କଲ ଆସୁଛି ।
ତେବେ ବଡ କଥା ହେଉଛି ୧୦୪କୁ ଆସୁଥିବା ଏଭଳି ନକଲି ଫୋନ କଲ୍ କେଉଁମାନେ କରୁଛନ୍ତି, ସେମାନଙ୍କୁ ଚିହ୍ନଟ କରିବା ନିହାତି ଦରକାର । ନଚେତ୍ ହେଲ୍ପ ଲାଇନ୍ ନମ୍ବରରେ ଯେଉଁମାନେ କାମ କରୁଛନ୍ତି, ସେମାନେ ହତାଶ ହେବାର ସମ୍ଭାବନା ରହିଛି । ପୁଣି ପ୍ରକୃତରେ ଯିଏ ସହାୟତା ପାଇଁ ଏହି ନମ୍ବରକୁ କଲ୍ କରିଥିବେ ହୁଏତ ସେ ସେବା ନ ପାଇ ପାରନ୍ତି ।
ଅନ୍ୟପଟେ, ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏବେ ପଶ୍ଚିମବଙ୍ଗରୁ ଆସିଥିବା ଲୋକଙ୍କ ଠାରେ କରୋନା ଚିହ୍ନଟ ହେଉଛି । ସେମାନେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କଠାରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି । ଏଭଳି ପରିସ୍ଥିତିରେ ହେଲପ୍ ଲାଇନ୍ ନମ୍ବରରେ କାମ କରୁଥିବା କର୍ମଚାରୀଙ୍କୁ ଅଯଥା ଫୋନ କଲ କରି ଅସୁବିଧାରେ ପକାଉଥିବା ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି । ତେବେ ମହାମାରୀ ଆଇନରେ ଥିବା ଦଣ୍ଡବିଧାନ ବ୍ୟବସ୍ଥା ଅନୁସାରେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏମାନଙ୍କୁ କେମିତି ଚିହ୍ନଟ କରାଯିବ ଏବଂ ତାଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବ ।