ସାମ୍ବାଦିକ ପରିଚୟରେ ବାଇକ୍‌ ଲୁଟ୍‌, ୧୮ ବାଇକ୍‌ ଜବତ

ଖଣ୍ଡଗିରି: ଗାଡ଼ିରେ ପ୍ରେସ୍‌ ଲେଖି ବୁଲୁଥିବା ଜଣେ ନକଲି ସାମ୍ବାଦିକଙ୍କ ଭିତରେ ଛପି ରହିଥିବା ବାଇକ୍‌ ଲୁଟେରାର ଅସଲ ଚେହେରାକୁ ପଦାକୁ ଆଣିଛି ଖଣ୍ଡଗିରି ଥାନା ପୁଲିସ। ତାକୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଛି ଓ ଗୋଟିଏ ଦିନରେ ପୁଲିସ ତା’ଠାରୁ ପ୍ରାୟ ୧୮ଟି ବାଇକ୍‌ ଜବତ କରିଥିବା ଜଣାପଡ଼ିଛି। ତେବେ ତଦନ୍ତ ସରି ନଥିବାରୁ ପୁଲିସ ଉକ୍ତ ଲୁଟେରା ବାବଦରେ ମୁହଁ ଖୋଲିନାହିଁ। ବରମୁଣ୍ଡା ରୁଚିକା ମାର୍କେଟ୍‌ ଅଞ୍ଚଳରୁ ବାରମ୍ବାର ବାଇକ୍ ଚୋରି ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଖଣ୍ଡଗିରି ଥାନା ପୁଲିସ ସେହି ଅଞ୍ଚଳର ସିସିଟିଭି କ୍ୟାମେରାରୁ ଫୁଟେଜ୍ ସଂଗ୍ରହ କରୁଥିଲା। ଗତ କିଛି ଦିନ ହେଲା ଅଟକ ଲୁଟେରା ଉପରେ ପୁଲିସ ସନ୍ଦେହ କରିବା ସହ ତା’ ଗତିବିଧି ଉପରେ ନଜର ରଖିଥିଲା। ଗତକାଲି ରାତି ପ୍ରାୟ ୯ଟାବେଳେ ସେ ମାର୍କେଟ୍‌ରୁ ଏକ ବାଇକ୍‌ ନେଇ ଚମ୍ପଟ ମାରୁଥିବାବେଳେ ଛକି ରହିଥିବା ପୁଲିସ କର୍ମଚାରୀମାନେ ତାକୁ କାବୁ କରିନେଇଥିଲେ। ପ୍ରଥମେ ସେ ବଡ଼ ଚତୁରତାର ସହ ଉକ୍ତ ଗାଡ଼ିଟିକୁ ଭୁଲବଶତଃ ନେଇ ଯାଉଥିବା କହିଥିଲା। ତେବେ ତା’ ନିଜ ଗାଡ଼ି ସେଠାରେ ଅଛି କହି ପୁଲିସ କର୍ମଚାରୀଙ୍କୁ ଦେଖାଇଥିଲା। ଗାଡ଼ିରେ ପ୍ରେସ୍ ଲେଖାଥିଲା। ତେଣୁ ସେ ପ୍ରଥମେ ସାମ୍ବାଦିକ କହି ପୁଲିସକୁ ବାଟବଣା କରିବାକୁ ଉଦ୍ୟମ କରିଥିଲା। ମାତ୍ର ତା ପାଇଁ ଜାଲ ବିଛାଇଥିବା ପୁଲିସ ଥାନାକୁ ଆଣି ପଚରାଉଚରା କରିବା ପରେ ସେ ସବୁ କଥା ସ୍ବୀକାର କରିଥିଲା। ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ଲୁଚାଇ ରଖିଥିବା ଏହି ବାଇକ୍‌ଗୁଡ଼ିକୁ ପୁଲିସ ଆଜି ଦିନ ତମାମ୍‌ ଲାଗି ଏକାଠି କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର