୩୦ ଲକ୍ଷ ପାଇଁ ଅପହରଣ ନାଟକ

ମିଛ ନାଟକର ନାୟକ ଓ ସହଯୋଗୀ ଗିରଫ

ଫେଲ୍‌ ମାରିଲା ବିଟେକ୍‌ ଛାତ୍ରଙ୍କ ବୁଦ୍ଧି

ଖଣ୍ଡଗିରି : ନିଜକୁ ନିଜେ ଅପହରଣ କରି ଭାଇଠାରୁ ୩୦ ଲକ୍ଷ ଟଙ୍କା ଖସାଇବା ଯୋଜନା କରିଥିଲା ସାନଭାଇ। ସାନଭାଇର ବିଟେକ୍‌ ପଢ଼ୁଆ ଛାତ୍ରବନ୍ଧୁ ତିଆରି କରିଥିଲା ଯୋଜନା। ମାତ୍ର ବଡ଼ ଭାଇ ପୁଲିସର ସହଯୋଗ ନେବା ପରେ ସବୁ ପଣ୍ଡ ହୋଇଗଲା। ଅପହରଣ କଥା ଏକ ମିଛ ନାଟକ ବୋଲି ପୁଲିସ ପର୍ଦାଫାସ୍‌ କରିଦେଲା। ତେବେ ମିଛ ନାଟକ ରଚନା କରି ପୁଲିସକୁ ଦୁଇ ଦିନ କାଳ ନାକେଦମ୍‌ କରିଥିବାରୁ ପୁଲିସ ତାକୁ ଓ ତା’ର ସହଯୋଗୀକୁ ଛାଡ଼ିଲା ନାହିଁ। ସୋମବାର ଖଣ୍ଡଗିରି ଥାନା ପୁଲିସ ଏହି ମିଛୁଆଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କନ୍ଧମାଳ ବାଲିଗୁଡ଼ାର ସ୍ୱର୍ଗତ ସନ୍ୟାସୀ ପାଣିଗ୍ରାହୀଙ୍କ ସାନପୁଅ ପ୍ରକାଶ ଓ ତା’ର ବନ୍ଧୁ ସଚିନ୍‌ ନାଏକ। ସଚିନ୍‌ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର।

ପୁଲିସ ସୂଚନାନୁସାରେ ସ୍ୱଗର୍ତ ସନ୍ୟାସୀଙ୍କର ୩ଟି ଲାଇସେନ୍‌ସପ୍ରାପ୍ତ ବିଦେଶୀ ମଦ ଦୋକାନ ରହିଛି। ତାଙ୍କ ମୃତ୍ୟୁ ପରେ ବଡ଼ ପୁଅ ବିକାଶ ମଦ ଦୋକାନର ତଦାରଖ କରୁଛନ୍ତି। ଗୋଟିଏ ମଦ ଦୋକାନ ନିଜ ହାତରେ ଥିବାବେଳେ ଅନ୍ୟ ଦୁଇଟିକୁ ସେମାନେ ଲିଜ୍‌ ସୂତ୍ରରେ ଦେଇଛନ୍ତି। ସାନପୁଅ ପ୍ରକାଶ ଖଣ୍ଡଗିରି ନିକଟ ରଶ୍ମିବିହାରରେ ଘର ଭଡ଼ା ନେଇ ରହେ। ଗତ ୧୬ ତାରିଖ ଦିନ ପ୍ରକାଶ ନିଜର କାର୍‌(ଓଡି୦୭ଟି-୦୦୨୯) ଯୋଗେ ବାଲିଗୁଡ଼ାର ବାହାରି ଭୁବନେଶ୍ୱର ଆସିଥିଲା। ବନ୍ଧୁ ସଚିନ୍‌ ସହ ବସି ଘରୁ ୩୦ ଲକ୍ଷ ଟଙ୍କା ଉଠାଇବ ବୋଲି ଉପାୟ ପାଞ୍ଚିଥିଲା। ଯୋଜନା ଅନୁସାରେ ଅପହରଣ ନାଟକ କରିଥିଲେ। ୧୮ ତାରିଖ ସକାଳୁ ପ୍ରକାଶ ନିଜ ଫୋନ୍‌ରୁ ବଡ଼ ଭାଇ ବିକାଶକୁ ଫୋନ୍‌ କରି ଜଣାଇଥିଲା ଯେ ୩୦ ଲକ୍ଷ ଟଙ୍କା ମୁଣ୍ଡଜାମିନ୍‌ ରଖି ତାକୁ ଅପହରଣ କରାଯାଇଛି। ପୁଲିସକୁ ଜଣାଇଲେ ତାକୁ ହତ୍ୟା କରିଦେବେ ବୋଲି ଧମକ ଦିଆଯାଇଛି। ଫୋନ୍‌ ପରେ ପରେ ସଚିନ୍‌ ବିକାଶଙ୍କ ନିକଟରେ ପହଞ୍ଚି ଅପହରଣ କଥାକୁ ଦୋହରାଇଥିଲା। ବିକାଶ କିନ୍ତୁ ସଚିନ୍‌ କଥାକୁ ଗୁରୁତ୍ୱ ନ ଦେଇ ତାକୁ ହିଁ ଧରି ଖଣ୍ଡଗିରି ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ପୁଲିସ ପ୍ରକାଶକୁ ଉଦ୍ଧାର କରିବା ପାଇଁ ଲାଗିପଡ଼ିଥିଲା। ସ୍ପେସାଲ ସ୍କ୍ଵାଡ୍‌ ଓ ଖଣ୍ଡଗିରି ଥାନା ପୁଲିସ ଜାଣିବାକୁ ପାଇଲେ ଯେ ପ୍ରକାଶର ମୋବାଇଲ୍‌ ଫୋନ୍‌ ନିମାପଡ଼ା, ଗୋପ, କୋଣାର୍କ ଓ ପୁରୀ ଆଦି ସହରର ଅବସ୍ଥିତି ଦର୍ଶାଉଛି। ତେଣୁ ପୁଲିସ ଟିମ୍‌ ସେହି ସବୁ ସ୍ଥାନ ବୁଲିବାକୁ ଲାଗିଲା। ଏ ଭିତରେ ପ୍ରକାଶ ବାଲିଗୁଡ଼ାରେ ତାଙ୍କ ମଦ ଦୋକାନ ଲିଜ୍‌ ନେଇଥିବା ଲଡୁ କିଶୋର ସାହୁଙ୍କ ମ୍ୟାନେଜର୍‌ ସନ୍ତୋଷ ସାହୁଙ୍କୁ ବି ଫୋନ୍‌ କରି ୫ ଲକ୍ଷ ଟଙ୍କା ମାଗିଥିଲା। ଖୋର୍ଧାରେ ତାଙ୍କ କାର୍‌ ଦୁର୍ଘଟଣାରେ ଜଣେ ମରି ଯାଇଥିବାରୁ ଲୋକେ ତାଙ୍କୁ ଅଟକ ରଖିଛନ୍ତି ଓ ତୁରନ୍ତ ୫ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟକୁ ପଠାଇବାକୁ ସେ କହିଥିଲା। ଫୋନ୍‌ ଟ୍ରାକିଂରୁ ପୁଲିସ ସନ୍ତୋଷଙ୍କ ନିକଟରେ ପହଞ୍ଚି ଏହା ଜାଣିବାକୁ ପାଇଥିଲା। ତେଣୁ ପ୍ରକାଶ ଏକ ମିଛ ଅପହରଣ ନାଟକ ରଚିଛି ବୋଲି ପୁଲିସ ଜାଣି ଯାଇଥିଲା। ଏଣେ ସଚିନ୍‌ ଜାଣିଗଲା ଯେ ପୁଲିସ ପିଛା କରିବା ଆରମ୍ଭ କରିଛି। ତେଣୁ ସେମାନଙ୍କ ମିଛ ଧରାପଡ଼ିଯିବା ଆଶଙ୍କା କରି ସେ ପ୍ରକାଶକୁ ଆଇଗିଣିଆ ଫେରି ଆସିବାକୁ କହିଥିଲା। ୧୯ ତାରିଖ ରାତିରେ ପ୍ରକାଶ ପୁରୀରୁ ଆଇଗିଣିଆ ରଶ୍ମିବିହାରସ୍ଥିତ ଭଡ଼ା ଘରକୁ ପଳାଇ ଆସିଥିଲା ଓ ପୁଲିସ ହାତରେ ଧରାପଡ଼ିଥିଲା।

ସମ୍ବନ୍ଧିତ ଖବର