ଭାରତ ବିରୋଧରେ ପାକିସ୍ଥାନର ଷଡ଼ଯନ୍ତ୍ର: ଭାରତୀୟ ବଜାରରେ ଘୂରିବୁଲୁଛି ୫୦ ଲକ୍ଷ ଟଙ୍କାର ନକଲି ନୋଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ମସିହା ନଭେମ୍ବର ୮ ତାରିଖରେ ବିମୁଦ୍ରାୟନ ଘୋଷଣା କରିବା ପରେ ଆଶା ରହିଥିଲା ଯେ ଭାରତୀୟ ବଜାରରେ ନକଲି ନୋଟ୍‌ ଏକରକମର ଆଉ ଦିଶିବ ନାହିଁ। ମାତ୍ର ପାକିସ୍ଥାନ ନିଜର ଷଡ଼ଯନ୍ତ୍ର ରଚି ଭାରତୀୟ ଅର୍ଥବ୍ୟବସ୍ଥାକୁ  କ୍ଷତି ପହଞ୍ଚାଇବାର ଉଦ୍ୟମ ଏବେ ବି ଜାରି ରଖିଛି। ନିକଟରେ ଦିଲ୍ଲୀ ପୁଲିସ୍‌ ନକଲି ନୋଟ୍‌ କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ପ୍ରବୀଣ ଓ ସାନୁ ଚୌଧୁରୀ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଦୁଇ ଜଣଙ୍କୁ ପଚରାଉଚରା କରିବାରୁ ଖୁଲାସା ହୋଇଛି ଯେ ୫୦ ଲକ୍ଷ ଟଙ୍କାର ନକଲି ନୋଟ୍‌ ଏବେ ସୁଦ୍ଧା ଭାରତୀୟ ବଜାରରେ ଘୂରି ବୁଲୁଛି।

ବିହାରର ବାସିନ୍ଦା ଅଭିଯୁକ୍ତ ସାନୁ ଓ ପ୍ରବୀଣଙ୍କଠାରୁ ୫ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନକଲି ନୋଟ୍‌ ଜବତ ହୋଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ଟିମ୍‌ ତଦନ୍ତ ଜାରି ରଖିଛି।

ଜାଣିବାକୁ ମିଳିଛି ଗତ ୨୩ ତାରିଖ ଦିନ ଦିଲ୍ଳୀର ରୋହିଣୀରେ ଥିବା ସେକ୍ଟର-୨ରେ ନକଲି ନୋଟ୍‌ କାରବାର ହେଉଥିବାର ସୂଚନା ପୁଲିସ୍‌କୁ ମିଳିଥିଲା। ସୂଚନା ପାଇବା ପରେ ଦିଲ୍ଲୀ ପୁଲିସ୍‌ର ସ୍ପେସାଲ୍‌ ସେଲ୍‌ ପ୍ରବୀଣକୁ ଧରିବାରେ ସମର୍ଥ ହୋଇଥିଲା। ତାକୁ ଜେରା କରାଯିବା ପରେ ୨୭ ତାରିଖରେ ପୁଲସ୍‌ ସାନୁକୁ ବି ଧରିବାରେ ସମର୍ଥ ହୋଇଛି।

ଏହି ନକଲି ନୋଟ୍‌କୁ ବଙ୍ଗଳାଦେଶରୁ ନେପାଳ ହୋଇ ଅଣାଯାଇ ଥାଏ। ପରେ ଏହାକୁ ପୂରା ଦେଶରେ ଖେଳାଇ ଦିଆଯିବାର ବନ୍ଦୋବସ୍ତ କରାଯାଏ। ଏହି ନକଲି ନୋଟ୍‌ ମୁଖ୍ୟତ ଦିଲ୍ଲୀ, ଉତ୍ତରପ୍ରଦେଶ, ହରିଆଣା ଓ ବିହାରରେ ଘୂରୁଥିବାର ସୂଚନା ରହିଛି।

ସମ୍ବନ୍ଧିତ ଖବର