ଖଣ୍ଡଗିରି : ବ୍ରହ୍ମପୁରରେ ଥିଲା କାରଖାନା। ପ୍ରସ୍ତୁତ ହେଉଥିଲା ଲକ୍ଷ ଲକ୍ଷ ନକଲି ଟଙ୍କା। ଆଉ ସେସବୁକୁ ରାଜଧାନୀ (ତମାଣ୍ଡୋ ଥାନା ଅନ୍ତର୍ଗତ ମହୁରା ବଜାର) ପର୍ଯ୍ୟନ୍ତ ଆଣି ବଜାରରେ ଛଡାଯାଉଥିଲା। ଏମିତି ଏକ ଗ୍ୟାଙ୍ଗ୍ କମିସନରେଟ୍ ପୁଲିସ ହାତରେ ଧରାପ଼ଡିଛି। ଏଥିସହିତ ଜାଲ୍ନୋଟ୍ ପ୍ରସ୍ତୁତ କରୁଥିବା ଏକ ବଡ଼ ର୍ୟାକେଟ୍ର ପର୍ଦାଫାସ ଘଟିଛି। କମିସନରେଟ୍ ପୁଲିସ ନକଲି ଟଙ୍କା ପ୍ରସ୍ତୁତ ହେଉଥିବା ଏହି କାରଖାନା ଉପରେ ଚଢ଼ଉ କରିବା ସହିତ ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ଚାରିଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କଠାରୁ ପାଖାପାଖି ୪ଲକ୍ଷ ୬୫ ହଜାର ଟଙ୍କାର ଜାଲ୍ ନୋଟ୍ ଓ ଏଥିଲାଗି ଥିବା ସମସ୍ତ ମେସିନ୍ ଆଦିକୁ ପୁଲିସ ଜବତ କରିଛି।
ତେବେ ରାଜଧାନୀ ବଜାରରେ ଏହି ଗ୍ୟାଙ୍ଗ୍ କେବେଠାରୁ ସକ୍ରିୟ ଥିଲେ, ବଜାରକୁ କେତେ ନକଲି ଟଙ୍କା ସେମାନେ ଛାଡିଛନ୍ତି, ଆଉ କେଉଁ କେଉଁ ଜିଲ୍ଲାରେ ଏହି ଠକ ଦଳର ଆଡ଼ା ରହିଛି, ଏ ନେଇ ପୁଲିସ ବିଶଦ ତଥ୍ୟ ଦେଇନାହିଁ। ଅନ୍ୟପକ୍ଷରେ ଅଭିଯୁକ୍ତମାନଙ୍କ ମଧ୍ୟରେ ତିନି ଜଣ ଖୋର୍ଧାର ଓ ଦୁଇଜଣ ବ୍ରହ୍ମପୁରର ବୋଲି ଜଣାପଡ଼ିଛି। ସେମାନେ ହେଲେ ଗଞ୍ଜାମ ଜିଲ୍ଲା କେ ନୂଆଗାଁ ଥାନା ନୂଆପଡ଼ା ବଜାର ସାହିର ମାଷ୍ଟର ମାଇଣ୍ଡ ରାମେଶ୍ୱର ମହାରଣା ଓରଫ୍ ରମେଶ (୪୩), ତା’ର ମୁଖ୍ୟ ସହଯୋଗୀ ବ୍ରହ୍ମପୁର ୱାର୍ଦାବାଡ଼ିର କେ. ରମେଶ (୫୬), ଖୋର୍ଧା ଥାନା ତାପଙ୍ଗ ଟାଙ୍ଗୀ ସାହିର ପ୍ରଣମ ଭୋଇ (୧୯), ଦିଲ୍ଲୀପ ଭୋଇ (୨୩) ଓ ଖୋର୍ଧା ସଦର ଥାନା ଡାଳତୋଳାର ଶରତ ସାହୁ।
ପୁଲିସ ସୂଚନା ମୁତାବକ, ଆଜି ସକାଳେ ପ୍ରଣମ, ଦିଲ୍ଲୀପ ଓ ଶରତ ମିଶି ତମାଣ୍ଡୋ ଥାନା ଅନ୍ତର୍ଗତ ମହୁରା ବଜାରରେ କିଛି ଜାଲ୍ ନୋଟ୍କୁ ବଦଳାଇବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ କମିସନରେଟ୍ ପୁଲିସର କୁଇକ୍ ଆକ୍ସନ ଟିମ୍ ମୁଖିଆ ଦୀପକ କୁମାର ଲେଙ୍କା ଓ ତମାଣ୍ଡୋ ଥାନା ଅଧିକାରୀ ସୀତାଂଶୁ ମାନ୍ଧାତା ସେଠାରେ ପହଞ୍ଚି ୩ ଜଣଙ୍କୁ କାବୁ କରି ନେଇଥିଲେ। ସେମାନଙ୍କଠାରୁ ୧୬ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରାଯାଇଥିଲା। ଜବତ ଟଙ୍କା ମଧ୍ୟରେ ୨ ହଜାର ଟଙ୍କିଆ, ୫ ଶହ ଟଙ୍କିଆ ଓ ୨ ଶହ ଟଙ୍କିଆ ନୋଟ୍ ଥିଲା।
ପୁଲିସ ସେମାନଙ୍କୁ ଅଧିକ ପଚରାଉଚରା କରିବା ପରେ କାରଖାନା ବାବଦରେ ସୂଚନା ପାଇଥିଲା। ପୁଲିସ କମିସନର୍ ଓ୍ଵାଇ.ବି ଖୁରାନିଆଙ୍କ ନିର୍ଦେଶରେ କୁଇକ୍ ଆକ୍ସନ୍ ଓ ତମାଣ୍ଡୋ ଥାନା ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ତୁରନ୍ତ ଅଭିଯୁକ୍ତମାନଙ୍କୁ ନେଇ ବ୍ରହ୍ମପୁର ଯାଇଥିଲେ। ଉକ୍ତ ଟିମ୍ ଅତର୍କିିତ ଭାବେ ରମେଶର ନୂଆପଡ଼ା ବଜାର ସାହିସ୍ଥିତ କାରଖାନାରେ ଚଢ଼ଉ କରିଥିଲା। ସେଠାରୁ ଜାଲ୍ ନୋଟ୍ ପ୍ରସ୍ତୁତ କରୁଥିବା ରମେଶ ଓ ତା’ର ସହଯୋଗୀ କେ ରମେଶକୁ ଗିରଫ କରାଯାଇଥିଲା। ଏଥିସହିତ ପୁଲିସ ମୋଟ ୪.୬୫ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ସହ ଗୋଟିଏ କଲର ପ୍ରିଣ୍ଟର୍, ୨୨ଟି କ୍ୟାଟ୍ରିଜ୍, ୯ଟି ରବର ଷ୍ଟାମ୍ପ, ୩୨ଟି ନେଲ୍ ପଲିସି, ୨୨ଟି ପେପର କଟର, ଓ ୫ଟି ମୋବାଇଲ୍ ଫୋନ୍ ଜବତ କରିଛି।
ପୁଲିସ କମିସନର କହିଛନ୍ତି, ଏହି ର୍ୟାକେଟ୍ର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଅଧିକ ତଦନ୍ତ ଜାରି ରହିଛି। ଆସନ୍ତାକାଲି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବ। ତେବେ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଅଣାଯିବାକୁ ମାନ୍ୟବର ଅଦାଲତଙ୍କୁ ଆବେଦନ କରାଯିବ।