ଖଣ୍ଡଗିରି : ମଦ ପାଇଁ ୫ ଶହ ଛଡ଼ାଇ ନେବା ଅଭିଯୋଗରେ ନକଲି ପୁଲିସକୁ ଗିରଫ

ଖଣ୍ଡଗିରି : ମଦ ପାଇଁ ଜଣେ ବସ୍ ଯାତ୍ରୀଙ୍କଠାରୁ ୫ ଶହ ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗରେ ରବିବାର ଖଣ୍ଡଗିରି ଥାନା ପୁଲିସ ଜଣେ ନକଲି ପୁଲିସକୁ ଗିରଫ କରିଛି। ଅଭିଯୁକ୍ତ ହେଲା ସ୍ଥାନୀୟ ତପୋବନ ବସ୍ତିର କାଳିଆ ମହାନ୍ତି (୪୨)। ପୁଲିସ ସୂଚନାନୁସାରେ ଡେଲ୍‌ଟା ଛକ ଅଞ୍ଚଳରେ ରହୁଥିବା ତାରିଣୀ ମହାରଣା କଟକ ଯିବା ପାଇଁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ବସ୍ ସମୟ ହୋଇନଥିବାରୁ ସେ ଏକ କ୍ୟାବିନ୍‌ ପଛକୁ ଯାଇ ଲୁଚେଇ କରି ମଦ ପିଉଥିଲେ। ଅଭିଯୁକ୍ତ କାଳିଆ ଏହା ଦେଖିବା ପରେ ସେଠାରେ ପହଞ୍ଚି ନିଜକୁ ପୁଲିସ ବୋଲି ପରିଚୟ ଦେଇ ଧମକ ଦେଇଥିଲା। ଜରିମାନା ବାବଦରେ ତାରିଣୀଙ୍କଠାରୁ ୫ ଶହ ଟଙ୍କା ଆଦାୟ କରିଥିଲା। କିନ୍ତୁ ତାରିଣୀ ଜରିମାନା ରସିଦ୍ ମାଗିବାରୁ ସେ ମଦଖିଆ ଖର୍ଚ୍ଚ ହୋଇଗଲା କହି ସେଠାରୁ ପଳାଇଥିଲା। ନକଲି ପୁଲିସ ଜାଣିବା ପରେ ତାରିଣୀ ଖଣ୍ଡଗିରି ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର