ପ୍ରେମ କରିବା ଝିଅ ପାଇଁ ହେଲା କାଳ ! ପରିବାର ଲୋକେ ବାଳ କାଟିବା ସହ ଶରୀରରେ ଦେଲେ କରେଣ୍ଟ ଆଘାତ

ଜୟପୁରର ଏକ ଯୁବତୀ ପ୍ରେମ କରି ଧରା ପଡିବାରୁ ପରିବାର ଲୋକେ ଦେଲେ ସାଂଘାତିକ ଦଣ୍ଡ । ଆଜି କାଲି ସମାଜରେ ପ୍ରେମକୁ ବିରୋଧ କରିବା ଏବଂ କଠୋର ଦଣ୍ଡ ଦେବା କିଛି ନୂଆ କଥା ନୁହେଁ । ଏହିପରି ଅନେକ ଘଟଣା ପ୍ରତିଦିନ ଦେଖିବାକୁ ମିଳିଥାଏ । ଖାସ କରି ଗାଁ ଗହଳି ଅଞ୍ଚଳରେ ଏପରି ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ ।

ସୂଚନା ଅନୁୁଯାୟୀ, ଜୟପୁର ଝୋଟବାଡାର ଧାନକା ବସ୍ତିରେ ବସ ବାସ କରିଥିବା ଏକ ଯୁବତୀ ମନୀଷ ନାମକ ଏକ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ବାନ୍ଧି ହୋଇ ରହିଥିଲେ । ଯାହାକୁ ପରିବାର ଲୋକେ ପସନ୍ଦ କରୁନଥିଲେ । ଏବଂ ଏଥିରୁ ଦୁରେଇ ରହିବା ପାଇଁ ପରିବାର ଲୋକେ ଝିଅକୁ ସବୁବେଳେ କହୁଥିଲେ । କିନ୍ତୁ ଯୁବତୀ ପରିବାର ଲୋକଙ୍କ କଥାକୁ ଖାତିର ନକରିବାରୁ ପରିବାର ଲୋକେ ବହୁବାର ଯୁବତୀଙ୍କୁ ମାରପିଟ ମଧ୍ୟ କରୁଥିଲେ । ତେଣୁ ପ୍ରତି ଦିନର ଏହି ମାରପିଟକୁ ସହ୍ୟ କରିନପାରି ଯୁବତୀ ଜଣକ ଏପ୍ରିଲ ୨୫ ତାରିଖରେ ଘର ଛାଡି ଏକ ମନ୍ଦିରକୁ ପଳାଇ ଯାଇଥିଲେ । ତେବେ ସେଠାକୁ ଯାଇ ମଧ୍ୟ ପରିବାର ଲୋକେ ଯୁବତୀଙ୍କୁ ଘରକୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଯୁବତୀ ତାଙ୍କ ଜିଦରେ ଅଟଳ ରହିଥିଲେ । ଯୁବତୀ ନଫେରିବାରୁ ତାଙ୍କ ପରିବାର ଲୋକେ ମନୀଷଙ୍କ ଘରେ ପହଞ୍ଚି ମନୀଷଙ୍କୁ ଧମକାଇବାକୁ ଲାଗିଲେ । ପରେ ମନୀଷ ତାଙ୍କ ପ୍ରେମିକାଙ୍କୁ ଫୋନ କରି କହିଥିଲେ ଘରକୁ ଫେରିଯିବା ପାଇଁ । ସେ ଏହା ମଧ୍ୟ କହିଥିଲେ ଯଦି ତୁମେ ଘରକୁ ନଫେର ତେବେ ତୁମ ପରିବାର ଲୋକେ ମତେ ହଇରାଣ କରିବା ବନ୍ଦ କରିବେ ନାହିଁ । ଏହା ଶୁଣି ଯୁବତୀ ଘରକୁ ଫେରିଆସିଥିଲେ । କିନ୍ତୁ ଗତ ସୋମବାର ଦିନ ଯୁବତୀ ତାଙ୍କ ପ୍ରେମିକଙ୍କ ସହ କଥା ହେଉଥିବା ଦେଖି ପରିବାର ଲୋକେ ତାଙ୍କୁ ବେଲ୍ଟରେ ମାଡ ମାରିଥିଲେ । ସେଥିରେ ତାଙ୍କ ରାଗ ଶାନ୍ତ ହୋଇନଥିଲା ।

ମାଡ ମାରିବା ପରେ ଯୁବତୀଙ୍କ ବାଳ କାଟିବା ସହ ଯୁବତୀଙ୍କୁ କରେଣ୍ଟ ଦେଇଥିଲେ । ଯାହା ଫଳରେ ସେ ବେହୋସ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ବେହୋସ ଅବସ୍ଥାରେ ଗୋଟେ ରୁମରେ ବନ୍ଦ କରିଦେଇଥିଲେ । ତେବେ ଯୁବତୀ ଜଣକ କୌଶଳ କ୍ରମେ ସେଠାରୁ ବାହାରି ନିକଟରେ ଥିବା ମହିଳା ସୁରକ୍ଷା କେନ୍ଦ୍ରରେ ପହଞ୍ଚି ଥିଲେ । ସେଠାରେ ଉପସ୍ଥିତ ଥିବା ଅଧିକାରୀଣିଙ୍କୁ ତାଙ୍କର ପୁରା କାହାଣି କହିଥିଲେ । ଏବେ ମହିଳା କେନ୍ଦ୍ର ଅଧିକାରୀ ତାଙ୍କୁ ସୁରକ୍ଷିତ ଅବସ୍ଥାରେ ଏକ ମହିଳା ଘରେ ରଖିଛନ୍ତି । ଯେହେତୁ ଯୁବତୀଙ୍କୁ ୧୮ ବର୍ଷରୁ ଅଧିକ ହୋଇସାରିଛି ତେଣୁ ସେ ଯେଉଁଠି ରହିବାକୁ ଚାହିଁବେ ତାଙ୍କୁ ସେଠାକୁ ପଠାଇ ଦିଆଯିବ ବୋଲି କହିଛନ୍ତି ମହିଳା କେନ୍ଦ୍ର ଅଧିକାରୀ । ଏବଂ ପିଡିତା ପରିବାର ଲୋକଙ୍କ ବିରୁଦ୍ଧରେ କରିଥିବା ଅଭିଯୋଗର ତଦନ୍ତ କରାଯାଇ ଖୁବ ଶିଘ୍ର ଏହି ଘଟଣାର ଦୋଷୀମାନଙ୍କୁ ଦଣ୍ଡ ଦିଆଯିବ ବୋଲି କହିଛନ୍ତି ମହିଳା ସୁରକ୍ଷା କେନ୍ଦ୍ରର ମୁଖ୍ୟ ନିଶା ସିଦ୍ଧୁ ।

ସମ୍ବନ୍ଧିତ ଖବର