ଘରୋଇ କଳହକୁ କେନ୍ଦ୍ର କରି ଯୁବକଙ୍କୁ ଛୁରୀ ଭୁସିଲେ ପଡ଼ୋଶୀ

ମୁମ୍ବାଇ : ଜାଗାବାଡ଼ି ଝଗଡ଼ାକୁ କେନ୍ଦ୍ର କରି ହତ୍ୟାର ଶିକାର ହୋଇଛନ୍ତି ମୁମ୍ବାଇର ଜଣେ ଯୁବକ । କତାରରେ ଚାଳକ ଭାବେ କାମ କରୁଥିବା ୨୭ବର୍ଷିୟ ଯୁବକଙ୍କୁ ମୁମ୍ବାଇର ଅମ୍ବରନାଥରେ ତାଙ୍କର ୬ଜଣ ପଡ଼ୋଶୀ ମିଶି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଅପରାଧର ମୁଖ୍ୟ ଅପରାଧୀ ୨୭ବର୍ଷିୟ ଖାଲିଦ୍‌ ସୟଦ୍‌ଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ପାଞ୍ଚଜଣ ଫେରାର ଥିବା ଜଣା ପଡ଼ିଛି ।

ସୂଚନା ଅନୁଯାୟୀ, କତାରରେ ଚାଳକ ଭାବେ କାମ କରୁଥିବା ୨୭ ବର୍ଷିୟ ରିଜ୍‌ଓ୍ଵାନ ଶେଖ୍‌ ତାଙ୍କ ମା’ଙ୍କ ଦେହ ଖରାପ ଥିବାରୁ ଏକ ମାସ ଛୁଟି ନେଇ ଅମ୍ବରନାଥରେ ଥିବା ତାଙ୍କ ଘରକୁ ବୁଲିବାକୁ ଆସିଥିଲେ । ଯେହେତୁ ସୟଦ୍‌ ଏବଂ ଶେଖଙ୍କ ଘରର କାନ୍ଥ ଗୋଟିଏ ଥିଲା, ସେଥିପାଇଁ ଘରର କାନ୍ଥକୁ ଯେମିତି କିଛି ନ ହୁଏ ବୋଲି ଶେଖ୍‌ ସୟଦଙ୍କ ପରିବାର ଲୋକଙ୍କୁ ଚେତାବନି ଦେଇଥିଲେ । ବୁଧବାର ସୟଦଙ୍କ ପରିବାର ଲୋକେ ଘର ମଧ୍ୟରେ ଶୌଚାଳୟ ବନାଉଥିବା ବେଳେ ତାହାର ଶବ୍ଦ ଅସହ୍ୟ ହେବାରୁ ଶେଖ୍‌ଙ୍କ ପରିବାର ଲୋକେ ସୟଦଙ୍କ ପରିବାର ଲୋକଙ୍କୁ ବିରୋଧ କରିଥିଲେ । ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଜୋରରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା । ଏହି ସମୟରେ ସୟଦଙ୍କ ପରିବାରର ଜଣେ ସଦସ୍ୟ ଆସି ଶେଖ୍‌ଙ୍କ ଛାତିରେ ଛୁରି ଭୁସି ଦେଇଥିଲେ । ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଡ଼ାକ୍ତାଖାନା ନିଆଯାଇଥିଲେ ମଧ୍ୟ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ପରେ ଶେଖ୍‌ଙ୍କ ପରିବାର ଲୋକେ ସୟଦଙ୍କ ପରିବାରର ୬ଜଣ ସଦସ୍ୟଙ୍କ ବିରୋଧରେ ଏତଲା ଦେବା ପରେ ପୁଲିସ ସୟଦଙ୍କ ଘରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର