ବଢୁଛି ଉତ୍ସୁକତା: ପ୍ରଦ୍ୟୁମ୍ନ ହତ୍ୟାକାରୀକୁ ମୃତ୍ୟୁ ଦଣ୍ଡ ମିଳିବ କି?

ଗୁରୁଗ୍ରାମ:ଗୁରୁଗ୍ରାମ: ଗୁରୁଗ୍ରାମର ରିଆନ୍‌ ଇଣ୍ଟର୍‌ନ୍ୟାସନାଲ୍‌ ସ୍କୁଲ୍‌ରେ ପଢୁଥିବା ଦ୍ୱିତୀୟ ଶ୍ରେଣୀର ଛାତ୍ର ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ପୁଲିସ୍‌ ନିକଟରେ ଉକ୍ତ ସ୍କୁଲ୍‌ରେ ପଢୁଥିବା ଏକାଦଶ ଶ୍ରେଣୀର ଜଣେ ଛାତ୍ରକୁ ଗିରଫ କରିଛି। ତେବେ, ସେହି ଅଭିଯୁକ୍ତ ଛାତ୍ର ଜଣଙ୍କୁ ମୃତ୍ୟୁଦଣ୍ଡ ମିଳୁ ବୋଲି ପ୍ରଦ୍ୟୁମ୍ନର ପରିବାର ଲୋକେ ଦାବି କରିଛନ୍ତି। ମାତ୍ର ଏକାଦଶ ଶ୍ରେଣୀରେ ପଢୁଥିବା ଏହି ଛାତ୍ର ଜଣଙ୍କର ବୟସ ୧୬ ହୋଇଥିବାରୁ କାନୁନ ଅନୁଯାୟୀ ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇ ପାରିବ ନାହିଁ। ଅଭିଯୁକ୍ତଙ୍କ ବିଚାର ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟ ଅନୁଯାୟୀ କରାଯାଉଥିବାରୁ ତାଙ୍କୁ ମୃତ୍ୟୁ କିମ୍ବା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇପାରିବ ନାହିଁ। କାହିଁକି ନା, ଶିଶୁ-କିଶୋର ଅପରାଧୀଙ୍କ ପାଇଁ ମୃତ୍ୟୁଦଣ୍ଡ ଏବଂ ଆଜୀବନ କାରାଦଣ୍ଡ କାନୁନରେ ନାହିଁ। ମାତ୍ର କେତେକ ସ୍ଥଳରେ କାନୁନ ବଦଳା ଯାଇଥାଏ, ମାମଲାର ଆବଶ୍ୟକତା ଅନୁଯାୟୀ ନିୟମରେ ସଂଶୋଧନ ଅଣାଯାଇଥାଏ। ତେବେ, ପ୍ରଦ୍ୟୁମ୍ନ ହତ୍ୟା ପରି ଏକ ନିଆତି ସୂଷ୍ମ ମାମଲାର ଶୁଣାଣି କ’ଣ ହେଉଛି ତାହାକୁ ଏବେ ସାରା ଦେଶ ଅପେକ୍ଷା କରିଛି।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୮ ତାରିଖରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା କୁନି ବାଳକ ପ୍ରଦ୍ୟୁମ୍ନର ମୃତଦେହ ଗୁରୁଗ୍ରାମରେ ଥିବା ରେୟାନ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ ପରିସରରେ ମିଳିଥିଲା। ସ୍କୁଲ୍‌ ପରିସରରେ ପ୍ରଦ୍ୟୁମ୍ନର ମୃତ ଶରୀର ମିଳିବା ପରେ ତାହାକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍‌କୁ ପଠାଯାଇଥିଲା। ପ୍ରଦ୍ୟୁମ୍ନର ଶରୀର ବ୍ୟବଚ୍ଛେଦ ରିପୋର୍ଟରୁ ଜାଣିବାକୁ ମିଳିଥିଲା ଯେ ତା’ର ବେକକୁ କେହି ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିଛି। ଏହି ମାମଲାରେ ରିୟାନ୍‌ ଇଣ୍ଟରନେସନାଲ୍‌ ସ୍କୁଲ୍‌ର ବସ୍‌ କଣ୍ଡକ୍ଟରଙ୍କୁ ପୁଲିସ୍‌ ଗିରଫ କରିଥିଲା। ସୁରକ୍ଷା ମାନଦଣ୍ଡର ଉଲଂଘନ କରିଥିବାରୁ ସ୍କୁଲ୍‌ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ଗିରଫ ପର ଦିନ କଣ୍ଡକ୍ଟର ଅଶୋକ କୁମାର ନିଜେ ପ୍ରଦ୍ୟୁମ୍ନର ହତ୍ୟା କରିଥିବା କଥା ସ୍ୱୀକାର କରିଥିଲେ। ମାତ୍ର ଏହାକୁ ଅବିଶ୍ୱାସ କରିଥିଲେ ପ୍ରଦ୍ୟୁମ୍ନର ବାପା। କଣ୍ଡକ୍ଟର ତାଙ୍କ ପୁଅର ହତ୍ୟା କରିବାର କୌଣସି କାରଣ ନାହିଁ ବୋଲି କହିବା ସହ ତାଙ୍କ ପୁଅର ହତ୍ୟା କରିବା ପାଇଁ ଏହା ହେଉଛି କାହାର ଷଡ଼ଯନ୍ତ୍ର ବୋଲି ପ୍ରକାଶ କରିଥିଲେ।

ଏହି ମାମଲାର ତଦନ୍ତ କରି ସିବିଆଇ ଉକ୍ତ ସ୍କୁଲ୍‌ରେ +୨ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରକୁ ଗିରଫ କରିଛି। ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌(ସିବିଆଇ) ଖୁବ୍‌ ଶୀଘ୍ର ଏହି ମାମଲା ନେଇ ଗୁଡ଼ାଏ ତଥ୍ୟ ସାମ୍ନାକୁ ଆଣିବ ବୋଲି ପ୍ରକାଶ କରିଛି। ଗିରଫ ହୋଇଥିବା ଏହି ଅଭିଯୁକ୍ତଙ୍କର ପରିବାର ଲୋକଙ୍କୁ ପଚାରିବାରୁ ଜାଣିବାକୁ ମିଳିଛି ତାଙ୍କ ବୟସ ୧୬ ବର୍ଷ ଊର୍ଧ୍ୱ। ଏ ସଂପର୍କରେ ବିଶେଷଜ୍ଞ ମତ ଦେଇଛନ୍ତି ଅଭିଯୁକ୍ତଙ୍କୁ ଜଣେ ପ୍ରାପ୍ତ ବୟସ୍କ କିମ୍ବା ନାବାଳକ ଭାବେ ବିଚାର କରାଯିବ ଏହା ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ନିଷ୍ପତ୍ତି ନେବେ।

ଏଠାରେ ଜଣାଇ ଦେଉଛୁ କି, ୨୦୧୨ ମସିହାରେ ଘଟିଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଜଣେ ନାବାଳକ ସାମିଲ୍‌ ଥିବାରୁ ସୁପ୍ରିମ୍‌କୋର୍ଟ ଆଇନରେ ସଂଶୋଧନ କରିଛନ୍ତି। ୧୬ରୁ ୧୮ ବୟସ ମଧ୍ୟରେ ଥିବା ଅଭିଯୁକ୍ତକୁ ଜଘନ୍ୟ ଅପରାଧ ମାମଲାରେ ପ୍ରାପ୍ତବୟସ୍କ ବୋଲି ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର