ଯୁବତୀଙ୍କୁ ବାପପୁଅଙ୍କ ଦୁଷ୍କର୍ମ ଉଦ୍ୟମ, ପୀଡ଼ିତାଙ୍କ ହାତ କାଟିଦେଲା ଅଭିଯୁକ୍ତ

ବାହାନଗା/ସୋର: ପ୍ରଥମେ ବାପା ଦୁଷ୍କର୍ମ ଉଦ୍ୟମ କରି ଜେଲକୁ ଗଲା। ସେ ରାଗରେ ଆଜି ପୁଅ ମଧ୍ୟ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ଯୁବତୀଙ୍କ ହାତ କାଟି ଫେରାର ହୋଇଯାଇଛି। ଯୁବତୀ ଜଣକ ୮ ଦିନ ଭିତରେ ଦୁଇ ଦୁଇଥର ଦୁଷ୍କର୍ମ ଉଦ୍ୟମର ଶିକାର ହୋଇ ମାନସିକସ୍ତରରେ ଭାଙ୍ଗି ପଡ଼ିଛନ୍ତି। ବାଲେଶ୍ବର ଜିଲ୍ଲା ସୋର ଥାନା ବାହାନଗା ବ୍ଲକ ପଥରପେଣ୍ଠ ଅଞ୍ଚଳରେ ଘଟିଛି ଏହି ଘଟଣା। ପୀଡ଼ିତା ଆଜି ଘର ପଛପଟ ବାଡ଼ିକୁ ଶୌଚ ପାଇଁ ଯାଇଥିବା ବେଳେ ଅଭିଯୁକ୍ତ ଶିବା ମଲ୍ଲିକ ତାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ହେଲେ ବିଫଳ ହେବାରୁ ଯୁବତୀଙ୍କ ହାତକୁ ବ୍ଲେଡ୍‌ରେ କାଟି ଦେଇଥିଲା।

ଯନ୍ତ୍ରଣାରେ ଛଟପଟ ହେଉଥିବା ପୀଡ଼ିତା ବହୁକଷ୍ଟରେ ଘରକୁ ଆସି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ନିଆଯାଇ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରକାଶଥାଉକି, ୮ ଦିନ ତଳେ ଅଭିଯୁକ୍ତ ଶିବାର ବାପା ଯୁଧିଷ୍ଠିର ମଲ୍ଲିକ ମଧ୍ୟ ସଂପୃକ୍ତ ଯୁବତୀଙ୍କ ପ୍ରତି ଦୁଷ୍କର୍ମ ଉଦ୍ୟମ କରି ଏବେ ଜେଲ୍‌ରେ ଅଛି। ବାପାକୁ ଜେଲ୍ ପଠାଇଥିବାରୁ ଶିବା ରାଗ ରଖି ଆଜି ଦୁଷ୍କର୍ମ ଉଦ୍ୟମ କରିଥିଲା। ଦୁହିଁଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର