ପ୍ରେମିକକୁ ହତ୍ୟା କରି ପ୍ରେମିକାର ବାପା ଗିରଫ

ଟାଙ୍ଗରପାଲି : ଦୁଇ ଦିନ ପୂର୍ବେ ସଂଘଟିତ ସାନପତ୍ରାପାଲି ହରେଶ ନାଏକଙ୍କ ହତ୍ୟା ଘଟଣାର ପର୍ଦାଫାସ ହୋଇଛି। ପ୍ରେମ ବ୍ୟାପାରକୁ ନେଇ ଜୀବନ ନେଇଛି ପ୍ରେମିକାର ବାପା। ନିଜ ପରିବାର ସମ୍ମାନ ରଖିବା ପାଇଁ ଝିଅ ଆଗରେ ଟାଙ୍ଗିଆରେ ହାଣି ସେ ଝିଅର ପ୍ରେମିକକୁ ହତ୍ୟା କରିଛି। ପୁଲିସ ହତ୍ୟାକାରୀ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସାନପତ୍ରାପାଲି ଗାଁର ହରେଶ ପଡୋଶୀ ଖୁଣ୍ଟଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ା ତାଙ୍କର ଏହି ମିଳାମିଶାକୁ ପ୍ରେମିକାଙ୍କ ବାପା ଅମିନ୍  ନାଏକ(୫୦) ବିରୋଧ କରି ଆସୁଥିଲେ। ଏପରିକି ସେ ହରେଶକୁ ଝିଅ ସହିତ ମିଳାମଶା ନ କରିବାକୁ ଅନେକ ଥର ତାଗିଦ୍ କରିଥିଲେ।  କିନ୍ତୁ ସେମାନେ ଅମିନଙ୍କ କଥାକୁ ଭ୍ରୂକ୍ଷେପ କରିନଥିଲେ ା ଏଥିରେ ଅମିନ କ୍ରୋଧାନ୍ବିତ  ହୋଇ ଝିଅର ପ୍ରେମିକ  ହରେଶଙ୍କୁ  ରାସ୍ତାରୁ  ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।  ଗତ ବୁଧବାର ଦିନ ହରେଶ ପ୍ରେମିକା ସହିତ ଦେଖା କରିବାଲାଗି ଖୁଣ୍ଟଗାଁ ନାଳକଡ଼କୁ ଯାଇଥିଲା। ଅମିନ୍ ଏକ ଟାଙ୍ଗିଆ ଧରି ସେଠାରେ ପହଞ୍ଚି ଝିଅର ଆଖି ଆଗରେ ହରେଶଙ୍କୁ ଚୋଟ ପରେ ଚୋଟ ପକାଇଥିଲେ। ଗୁରୁତର ଅବସ୍ଥାରେ ହରେଶଙ୍କୁ ବୁର୍ଲା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଅମିନ ନାଏକ ଗିରଫ ହେବା ପରେ ସେ ନିଜର ଦୋଷ ସ୍ବୀକାର କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର