ସ୍କୁଲ୍‌ରେ ପୁଅର ଆଡ୍‌ମିସନ୍‌ ହୋଇ ନ ପାରିବାରୁ ପୋଡ଼ି ହୋଇ ମଲେ ବାପା

ବେଙ୍ଗାଲୁରୁ: ଦୁଇଟି ପିଲାର ବାପା ୩୫ ବର୍ଷିୟ ସଫ୍‌ଟ୍‌େଓ୍ଵର୍‌ ଇଞ୍ଜିନିୟର୍‌ ରିତେଶ କୁମାର ମାରାତାହାଲ୍ଲିରେ ଏକ ଘରୋଇ ଫାର୍ମରେ କାମ କରନ୍ତି। ଗତ ଗୁରୁବାର ଦିନ ରିତେଶ ନିଜ ଦେହରେ ନିଅାଁ ଲଗାଇ ଦେଇଥିଲେ। ତହିଁ ଆର ଦିନ ତାଙ୍କର ମୃତ୍ୟୁ ହୋଇଥିଲା।

ଠକି ଯାଇଥିବାରୁ କୁମାର ପୋଡ଼ି ହୋଇ ମରିଥିଲେ। ଗୋଟାଏ ଶୀର୍ଷସ୍ତରୀୟ ଘରୋଇ ସ୍କୁଲ୍‌ରେ ତାଙ୍କ ପୁଅର ଆଡ୍‌ମିସନ୍‌ କରାଇ ଦେବ ବୋଲି ଆଦିତ୍ୟ ବଜାଜ ନାମକ ଜଣେ ଏଜେଣ୍ଟ୍‌ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସେଥିପାଇଁ ତାଙ୍କ ଠାରୁ ୧ ଲକ୍ଷ ୨୫ ହଜାର ଟଙ୍କା ନେଇଥିଲେ। ଆଦିତ୍ୟ ଗୋଟାଏ ଟୁୟୁସନ୍‌ ସେଣ୍ଟର୍‌ର ମାଲିକ।

ଆଦିତ୍ୟ ବଜାଜ ମାଗିଥିବା ସମୁଦାୟ ୬ ଲକ୍ଷ ଟଙ୍କାରୁ କୁମାର ଅଢ଼େଇ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ। ଗୋଟାଏ ସମ୍ମାନଜନକ ସ୍କୁଲ୍‌ରେ ରିତେଶଙ୍କ ୭ ବର୍ଷିୟ ପୁଅକୁ ଆଡ୍‌ମିସନ୍‌ କରାଇଦେବେ ବୋଲି ବଜାଜ୍‌ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ, ଆଡ୍‌ମିସନ୍‌ ନ ହୋଇ ପାରିବାରୁ କୁମାର ତାଙ୍କ ଟଙ୍କା ଫେରସ୍ତ ମାଗିଥିଲେ। ଅଗଷ୍ଟ ମାସରେ ବଜାଜ୍‌ ୧ ଲକ୍ଷ ୨୫ ହଜାର ଟଙ୍କା ଫେରାଇ ଦେଇଥିଲେ। ଆସନ୍ତା ଶିକ୍ଷା ବର୍ଷରେ ତାଙ୍କ ପୁଅ ପାଇଁ ସିଟ୍‌ କରାଇ ଦେବ ବୋଲି ପୁଣି ପ୍ରତିଶ୍ରୁତି ଦେଇ ବାକି ଟଙ୍କା ୧୦ ଦିନ ମଧ୍ୟରେ ଫେରାଇ ଦେବାକୁ ସମୟ ମାଗିଥିଲେ।

ଦ୍ୱିତୀୟ ଥର ବଜାଜଙ୍କୁ ବିଶ୍ୱାସ କରିବାକୁ ଇଚ୍ଛା ନ କରି କୁମାର ବୋତେଲେ ପେଟ୍ରୋଲ୍‌ ନେଇ ଜେପି ନଗର ଫେଜ୍‌-୨ରେ ଥିବା ବଜାଜଙ୍କ ଅଫିସ୍‌ରେ ପହଞ୍ଚି ଥିଲେ। କୁମାର ନିଜ ଉପରେ ପେଟ୍ରୋଲ୍‌ ଢାଳି ଦେଇ ବଜାଜଙ୍କୁ ଧମକାଇଲେ କି, ସେ ପୋଡ଼ି ହୋଇ ମରିବେ।

ବଜାଜଙ୍କୁ ଡରାଇବାକୁ ଦିଆଶିଲି ଜଳାଇବାରୁ ତାଙ୍କ ଦେହରେ ନିଅାଁ ଲାଗିଯାଇଥିଲା। ପରଦିନ ଭିକ୍ଟୋରିଆ ହସ୍‌ପିଟାଲ୍‌ରେ କୁମାରଙ୍କର ଦେହାନ୍ତ ହୋଇଗଲା।

କୁମାରଙ୍କୁ ଏଥିରୁ ଅଟକାଇବାକୁ ଚେଷ୍ଟା କରୁଥିବାରୁ ବଜାଜଙ୍କ ଦେହ ମଧ୍ୟ ପୋଡ଼ି ଯାଇଛି। କିନ୍ତୁ ସେ ବଞ୍ଚିଛନ୍ତି।

ଠକାମି ଅଭିଯୋଗରେ ବଜାଜଙ୍କୁ ଜେଏନ୍‌ ନଗର ପୁଲିସ ଗିରଫ କରିଛି। ଅନ୍ୟାନ୍ୟ ପିଲାଙ୍କର ଅଭିଭାବକମାନଙ୍କୁ ମଧ୍ୟ ବଜାଜ ଠକିଛନ୍ତି କି, ନାହିଁ ପୁଲିସ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର